ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗଙ୍କ ମୃତ୍ୟୁ ଖବର ଗୁଜବ, ମାସେ ପରେ ପୁଣି ନଜର ଆସିଲେ କୋରିଆନ ସର୍ବେସର୍ବା

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ ୦୬/ ୦୬ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦୀର୍ଘ ଏକ ମାସ ପରେ ପୁନର୍ବାର ଦେଖାଦେିଛନ୍ତି । ଉତ୍ତର କୋରିଆରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଏବଂ ଦେଶର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥିବା ବେଳେ କିମଙ୍କ ନିଖୋଜ ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା ।  କିମ୍ ନିଖୋଜ ହେବା ପରେ ତାଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱରେ କଳ୍ପନାଜଳ୍ପନା ଚାଲିଥିଲା । ଏପରିକି ଉତ୍ତର କୋରିଆରେ ଆଗାମୀ ଶାସନ ଭାର କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କୁ ଦିଆଯିବା ନେଇ ଗୁଜବ ଆରମ୍ଭ ହୋଇଥିଲା ।

ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ୧୭ରେ ଯେତେବେଳେ କିମ ଜୋଙ୍ଗ-ଉନ ତାଙ୍କ ପିତାଙ୍କ ମୃତ୍ୟୁ ବାର୍ଷିକୀରେ ଉପସ୍ଥିତ ନଥିଲେ ସେତେବେଳେ ଆମେରିକୀୟ ସମେତ ବିଭିନ୍ନ ଦେଶର ଗଣମାଧ୍ୟମରେ କିମଙ୍କ ମୃତ୍ୟୁ ହୋଇଯାଇଥାଇପାରେ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହାର ଠିକ କିଛି ଦିନ ପରେ ପୁଣି ଥରେ କିମଙ୍କ ଆବିର୍ଭାବ ସମସ୍ତଙ୍କୁ ତାଜୁବ କରିଦେଇଥିଲା । ହଠାତ ସାମ୍ନାକୁ ଆସି ଦେଶବାସୀଙ୍କୁ ସେମ୍ବୋଧିତ କରିଥିଲେ କିମ ।

ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କୋରିଆନ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ପ୍ରାୟ ଏକ ମାସ ଧରି ନିଖୋଜ ହେବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା । ଏଜେନ୍ସି ଏହା ମଧ୍ୟ କହିଛି ଯେ ଶାସକ ଦଳର ବୈଠକରେ କିମ ଯୋଗଦେଇଥିଲେ । 

ପ୍ରାୟ ମାସେ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ସ୍ଥାନରେ ନଜର ଆସିଥିଲେ ଏକଛତ୍ରବାଦୀ ଶାସକ କିମ୍-ଜୋଙ୍ଗ-ଉନ । ଦେଶକୁ ଗୁରୁତର ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ କିମ ଗରମାଧ୍ୟମକୁ ସୂଚନା ଦେଇଥିଲେ । ମେରୁଦଣ୍ଡ ଭାଙ୍ଗିପଡିଥିବା ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ବୈଠକରେ ନିଜ ଦଳର ନେତାମାନଙ୍କ ସହିତ ଆଲୋଚନା କରିଥିଲେ କିମ ।

କୋରିଆନ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ, ଆତ୍ମ ନିର୍ଭରତା ତଥା ଆତ୍ମ ରୋଜଗାର ପାଇଁ ବିଭିନ୍ନ ପନ୍ଥା ତିଆରି କରୁଛନ୍ତି ଉତ୍ତର କୋରିଆ ସରକାର । ଏହା ସହିତ ଲୋକମାନଙ୍କର ରୋଜଗାର ବଢିବା ଦିଗରେ ମଧ୍ୟ କିଛି ଯୋଜନା ପ୍ରସ୍ତୁତି କରାଯାଇଥିବା ନ୍ୟୁଜ ଏଜେନ୍ସି କହିଛି । ମହାମାରୀ କାରଣରୁ ଉତ୍ତର କୋରିଆକୁ ଲାଗିଥିବା ଅନ୍ୟ ଦେଶମାନଙ୍କର ସୀମାକୁ ସିଲ କରିଦିଆଯାଇଛି । ଯାହା ଫଳରେ ଜିନିଷପତ୍ର ନେବା ଆଣିବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି ।

ଦେଶରେ ଗୁରୁତର ଆର୍ଥିକ ସଙ୍କଟକୁ ନେଇ ଏକଛତ୍ରବାଦୀ ଶାସକ କିମ୍‌ କହିଛନ୍ତି ଯେ, ‘ଦେଶ ଏବେ ଯେଉଁଭଳି ଭାବେ ପ୍ରତିକୂଳ ପରିସ୍ଥିତି ଏବଂ ମାହୋଲକୁ ନେଇ ଗତି କରୁଛି ତାହା ନିହାତି ଭାବେ ଚ୍ୟାଲେଞ୍ଜିଂ । ଏଥର କିନ୍ତୁ ପ୍ରେସ କନଫରେନ୍ସରେ ଆମେରିକା କିମ୍ବା ଦକ୍ଷିଣ କୋରିଆ ବରୁଦ୍ଧରେ ପଦୁଟିଏ ମଧ୍ୟ ଟିପ୍ପଣୀ ଦେଇନାହାନ୍ତି କିମ । ଉତ୍ତର କୋରିଆ ଖୁବ ଶୀଘ୍ର ଗୁରୁତର ଆର୍ଥିକ ସଙ୍କଟରୁ ବାହାରିବ ବୋଲି ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ-ଉନ୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.