ଉତ୍ତର କୋରିଆରେ କରୋନା କେସ୍ ବଢିବାରୁ ଚିନ୍ତାରେ ତାନାଶାହ, ସେନାକୁ ଦେଲେ ଏମିତି ନିର୍ଦ୍ଦେଶ

Published By : Prameya-News7 Bureau | May 16, 2022 IST

ପୋଙ୍ଗୟାଙ୍ଗ ୧୬।୫: ତାନାଶାହ କିମ୍ ଜୋଙ୍ଗ୍ ଉନ୍ ଉତ୍ତର କୋରିଆରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ବେଶ୍ ଚିନ୍ତିତ । କିମ୍ କୋଭିଡ୍-୧୯ ପ୍ରକୋପ ମଧ୍ୟରେ ଦେଶବାସୀଙ୍କୁ ଔଷଧ ଦେବାରେ ବିଫଳ ଅଧିକାରୀଙ୍କୁ ତାତ୍ସଲ୍ୟ କରିଛନ୍ତି । ଦ୍ରୁତ ଗତିରେ ଔଷଧ ବିତରଣ କରିବା ଲାଗି ତାନାଶାହ କିମ୍ ଜୋଙ୍ଗ ଉନ୍ ସେନା ଯବାନଙ୍କୁ କାମରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତର କୋରିଆରେ କୋଭିଡ୍-୧୯ ସଂକ୍ରମଣ ମଧ୍ୟରେ ଜ୍ବରରେ ଆହୁରି ୮ଜଣଙ୍କର ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ୩,୯୨,୯୨୦ ଜଣ ଜ୍ବରରେ ପୀଡିତ ଅଛନ୍ତି । ଉତ୍ତର କୋରିଆ ଆଣ୍ଟି ଭାଇରସ୍ ଏମରଜେନ୍ସୀ ମୁଖ୍ୟାଳୟ କହିଛି ଯେ, ଅପ୍ରେଲ ଶେଷରୁ ୧୨ ଲକ୍ଷ ଲୋକଙ୍କୁ ଜିବର ହୋଇସାରିଲାଣି । ସେମାନଙ୍କ ମଧ୍ୟରୁ ୫,୬୪,୮୬୦ ଜଣ ଏବେବି ଆଇସୋଲେସନରେ ଅଛନ୍ତି ।

ମୁଖ୍ୟାଳୟ ଅନୁସାରେ ରବିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜ୍ବରରେ ପୀଡିତ ଆଉ ୨୪ ଜଣଙ୍କର ମୃତ୍ୟୁ ପରେ ଦେଶରେ ମୃତକଙ୍କ ସଂଖ୍ୟା  ୫୦କୁ ବୃଦ୍ଧି ପାଇଛି । ସରକାରୀ ମିଡିଆ ଏହା ସ୍ପଷ୍ଟ କରିନାହିଁ ଯେ ଜ୍ବରରେ ପୀଡିତ ଏବଂ ମୃତକଙ୍କ ମଧ୍ୟରୁ କେତେ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ।

ବିଶେଷଜ୍ଞଙ୍କ ଅନୁସାରେ ଉତ୍ତର କୋରିଆରେ ଖରାପ ମେଡିକାଲ ସିଷ୍ଟମ ଯୋଗୁଁ କରୋନା ଭାଇରସ୍ ବ୍ୟାପିବାରୁ ରୋକିବାରେ ଅସଫଳତା ତା ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ୨.୬ କୋଟି ଜନସଂଖ୍ୟା ବିଶିଷ୍ଟ ଉତ୍ତର କୋରିଆରେ ଅଧିକାଂଶ ଲୋକଙ୍କୁ ଟିକା ଦିଆଯାଇନାହିଁ ।

ଉତ୍ତର କୋରିଆ ମିଳିତ ଜାତିସଂଘର ‘କୋଭାକ୍ସ’ ଟିକା ବିତରଣ କାର୍ଯ୍ୟକ୍ରମରୁ ସାହାଯ୍ୟ ନେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିସାରିଛି । କୋଭିଡ-୧୯ ମହାମାରୀ ବ୍ୟାପିବାର ୨ ବର୍ଷରୁ ଅଧିକ ସମୟ ପରେ ଗୁରୁବାର ଦିନ ଉତ୍ତର କୋରିଆରେ କରୋନା ଭାଇରସ୍ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.