କେମିତି ଅଛନ୍ତି କିମ୍ ? ଉତ୍ତର କୋରିଆର ପୂର୍ବତନ ଅଧିକାରୀଙ୍କ ସୂଚନା, କ୍ଷେପଣାସ୍ତ୍ର ପରୀକ୍ଷା ବେଳେ ଆହତ ହୋଇଛନ୍ତି ଏକଛତ୍ରବାଦୀ ଶାସକ
28/04/2020 at 1:40 PM

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ବିଷୟରେ ସାରା ବିଶ୍ବରେ ଅନେକ କଳ୍ପନାଜଳ୍ପନା ଚାଲିଛି । ଗତ କିଛି ଦିନ ଧରି ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ବାସ୍ଥ୍ୟ ନେଇ ରହସ୍ୟ ରହିଆସିଛି । କିନ୍ତୁ ଏହି ସମୟରେ କିଛି ଗଣମାଧ୍ୟମ ରିପୋର୍ଟରେ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଥିବା ବେଳେ କିଛି ରିପୋର୍ଟରେ ସେ ସୁସ୍ଥ ହୋଇ ବୁଲାବୁଲି କରୁଥିବା କୁହାଯାଇଛି । ପ୍ରକୃତରେ ଗତ କିଛି ଦିନ ହେବ କିମଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ଉତ୍ତର କୋରିଆ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ଗତକିଛି ଦିନ ଧରି ଉତ୍ତର କୋରିଆ ଶାସକଙ୍କ ମୃତ୍ୟୁ ଖବର ନେଇ ଅନେକ କଥା ପ୍ରଚାର ହେଉଛି । କିନ୍ତୁ କେଉଁଟା ସତ୍ୟ ତାହା ପ୍ରମାଣିତ ହୋଇନାହିଁ । ଏହି ସମୟ ମଧ୍ୟରେ ଉତ୍ତର କୋରିଆର ଜଣେ ପୂର୍ବତନ ଅଧିକାରୀ କିମ ଜୋଙ୍ଗଙ୍କ ବିଷୟରେ ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ମିସାଇଲ୍ ପରୀକ୍ଷଣ ସମୟରେ କିମ୍ ଆହତ ହୋଇଥିବା ଆଶଙ୍କା କରୁଛନ୍ତି ।

କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଆହତ ହୋଇଥାଇ ପାରନ୍ତି ବୋଲି ପୂର୍ବତନ ଅଧିକାରୀ ଆଶଙ୍କା କରିଛନ୍ତି। ପୂର୍ବତନ କୋରିଆ ଅଧିକାରୀଙ୍କ ଦାବି ଅନୁଯାୟୀ, କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ କିମ ଜୋଙ୍ଗ ଆହତ ହୋଇପାରନ୍ତି। ସେବେଠାରୁ ତାଙ୍କୁ ସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନଥିଲା। ତାଙ୍କ ଦେଶରେ କୌଣସି ଅସ୍ତ୍ରର ପରୀକ୍ଷଣ ସମୟରେ କିମ ଜୋଙ୍ଗ ଉନ ସେଠାରେ ଉପସ୍ଥିତ ରହିଥାନ୍ତି ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୧ ଠାରୁ କିମ ଜୋଙ୍ଗ କୌଣସି ସର୍ବସାଧାରଣ ସ୍ଥାନରେ ଦେଖା ଯାଇନାହାଁନ୍ତି। ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ କଳ୍ପନାଜଳ୍ପନା ଲାଗିରହିଛି ଏବଂ କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଛି । କିମ୍ ଜୋଙ୍ଗଙ୍କ ମୃତ୍ୟୁ ଖବର ପାଇବା ପରେ ରାଜଧାନୀ ପୋଙ୍ଗୟାଙ୍ଗର ଲୋକମାନେ ଭୟଭୀତ ଅବସ୍ଥାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଆରମ୍ଭ କରିଦେଇଛନ୍ତି । କେତେକ ରିପୋର୍ଟରେ ତାଙ୍କ ଅବସ୍ଥା ଗୁରୁତର ଥିବା ମଧ୍ୟ ଦାବି କରାଯାଇଛି।

ପୂର୍ବତନ ଅଧିକାରୀ ଜଣଙ୍କ ଦକ୍ଷିଣ କୋରିଆ ଖବରକାଗଜ ମାଧ୍ୟମରେ ଏହି ଦାବି କରିଛନ୍ତି । ପୂର୍ବତନ ଅଧିକାରୀ ଲି ଜୋଙ୍ଗ ହୋ ଦକ୍ଷିଣ କୋରିଆର ଏକ ଖବରକାଗଜକୁ ଚିଠି ଲେଖିଛନ୍ତି ଯେ କିମ ଜୋଙ୍ଗ ଏପ୍ରିଲ ୧୪ ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରୀକ୍ଷା ସମୟରେ ସେ ଆହତ ହୋଇଥିଲେ ଯାହା ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା।

କିମ ଜୋଙ୍ଗ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଘଟଣାକୁ ଉତ୍ତର କୋରିଆର ପଡୋଶୀ ରାଷ୍ଟ୍ର ଦକ୍ଷିଣ କୋରିଆ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି। କିମ୍ ଜୋଙ୍ଗ ଉନ୍ ପୁରା ଠିକ୍ ଅଛନ୍ତି ବୋଲି ଦକ୍ଷିଣ କୋରିଆ ଦାବି କରୁଛି । କିନ୍ତୁ କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ, କରୋନା ସଂକ୍ରମଣ ଭୟ ହେତୁ କିମ ଜୋଙ୍ଗ କେଉଁଠାରେ ଲୁଚି ରହିଛନ୍ତି ।