ବିଦେଶୀ ରେଡିଓ ଷ୍ଟେସନ ଶ୍ରୋତାଙ୍କୁ କିମ୍‌ଙ୍କ ଦଣ୍ଡ, ଜାହାଜ କ୍ୟାପ୍ଟେନଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ ୨୦/୧୨: ଉତ୍ତର କୋରିଆ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ କ୍ରୁରତା ବିଶ୍ବରେ ଅଲୋଡା ରେକର୍ଡ ସୃଷ୍ଟି କରିଛି। କିମ୍‌ ଜୋଙ୍ଗ କେତେବେଳେ କାହାକୁ କେଉଁ ଦଣ୍ଡ ଦେଉଛନ୍ତି ତାହା କାହାକୁ ଜଣାନାହିଁ। କିମ୍‌ଙ୍କ ଦ୍ବାରା ପୁଣି ଏକ ଦଣ୍ଡବିଧାନ ତାଙ୍କ କ୍ରୁରତାର ଜ୍ବଳନ୍ତ ଉଦାହରଣ  ପାଲଟିଛି। ଗୋଟିଏ ମାଛଧରା ଜାହାଜର କ୍ୟାପ୍ଟେନଙ୍କୁ ଗୁଳି କରି ମାରିଛି କିମ୍ ପ୍ରଶାସନ ‌।  କ୍ୟାପ୍ଟେନଙ୍କ ଭୁଲ୍‌ ଥିଲା ସେ ପ୍ରତିବନ୍ଧିତ ରେଡିଓ ଷ୍ଟେସନ ନିଜ ରେଡିଓରେ ଲଗାଇ ଶୁଣୁଥିଲେ।

ରେଡିଓ ଫ୍ରି ଏସିଆର ରିପୋର୍ଟ ଅନୁସାରେ ଏହି ଷ୍ଟେସନ୍‌ ୧୫ ବର୍ଷ ହେଲା ଶୁଣୁଥିଲେ କ୍ୟାପ୍ଟେନ। ତେଣୁ କିମ୍‌ ତାଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରିଦେଲେ। ଆରଏଫଏର ରିପୋର୍ଟ ଅନୁସାରେ କ୍ୟାପ୍ଟେନ ଚୋଇଙ୍କୁ କିମ୍‌ଙ୍କ ନିର୍ଦେଶ କ୍ରମେ ୧୦୦ କର୍ମଚାରୀଙ୍କ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି। ଚୋଇ ୫୦ରୁ ଅଧିକ ଜାହାଜର ମାଲିକ ଥିଲେ।

ଚୋଇ ବିଦେଶୀ ରେଡିଓ ଷ୍ଟେସନ୍‌ ଶୁଣୁଥିବା ନେଇ ତାଙ୍କର ଜଣେ ସହଯୋଗୀ ପ୍ରଶାସନକୁ ଖବର ଦେଇଥିବା ସୂଚନା ମିଳିଛି। ପୂର୍ବରୁ ସେନାରେ ରେଡିଓ ଅପରେଟର ଥିବା ଚୋଇ ସେବେଠୁ ବିଦେଶୀ ବ୍ରଡ୍‌କାଷ୍ଟ ଶୁଣିବା ଆରମ୍ଭ କରିଥିଲେ। ଚାକିରୀ ଛାଡ଼ିବା ପରେ ବି ଚୋଇ ନିଜର ଅଭ୍ୟାସ ଛାଡ଼ି ପାରିନଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।

ତେବେ ଚୋଇଙ୍କୁ ଗୁଳି କରି ହତ୍ୟା କରାଯିବା ସହ ଜାହାଜରେ ଥିବା ସୁରକ୍ଷା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ଉତ୍ତର କୋରିଆରେ ବହୁ ବିଦେଶୀ ରେଡିଓ ଷ୍ଟେସନ୍‌ ଆସୁଛି। କିନ୍ତୁ ଏହାକୁ ଶୁଣିବାକୁ ପ୍ରଶାସନ ଅନୁମତି ଦେଉନାହିଁ। ଲୋକେ ଲୁଚି ଛପି ବିଦେଶୀ ଷ୍ଟେସନ୍‌ ଶୁଣୁଥିବା ଯୋଗୁ ଚୋଇଙ୍କୁ ସର୍ବସାଧାରଣରେ ଗୁଳି କରି ମାରିବା ଦ୍ବାରା ସେମାନଙ୍କ ମନରେ ଭୟ ସୃଷ୍ଟି ହେବ ବୋଲି କିମ୍‌ ପ୍ରଶାସନ ବିଶ୍ବାସ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.