ଲକ୍ ଡାଉନ୍ରେ ବି ପାର୍ଟି ନିଶା, ମାରି ଖାଇଗଲେ ଶହ ଶହ ପକ୍ଷୀ
27/04/2020 at 6:37 PM

ଇସଲାମାବାଦ ୨୭।୪: କରୋନା ଭାଇରସ୍ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି । ଚୀନରୁ କରୋନା ଭାଇରସ୍ ବିସ୍ତାର ହେବାର ବାଦୁଡି ଏକ ପ୍ରମୁଖ କାରଣ ବୋଲି ବିଶ୍ବାସ କରାଯାଉଛି । କିନ୍ତୁ ପାକିସ୍ତାନର ଲୋକମାନେ ଏପର୍ଯ୍ୟନ୍ତ ସୁଧୁରିନାହାନ୍ତି । ଏଠାରେ ଲୋକମାନେ ପକ୍ଷୀ ଶିକାର କରି ଖାଉଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରରେ କିଛି ଫଟୋ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଶହ ଶହ ପକ୍ଷୀକୁ ଶିକାର କରି ସେଗୁଡିକର ମାଂସକୁ ରାନ୍ଧି ଖାଉଛନ୍ତି ।
ପାକିସ୍ତାନର ଇଂରାଜୀ ନ୍ୟୁଜ୍ ୱେବସାଇଟ୍ PARHLOର ରିପୋର୍ଟ ଅନୁଯାୟୀ, ସାଜିଦ ନାମକ ଜଣେ ବ୍ୟକ୍ତି ଡେରା ଇସମାଇଲ ଖାନ ଜିଲ୍ଲାର କୁଲାଚି ତହସିଲରେ ଶହ ଶହ ପକ୍ଷୀ ଶିକାର କରିଥିଲେ । ପାକିସ୍ତାନରେ ପକ୍ଷୀ ଶିକାର କରିବା ନିଷେଧ ଏବଂ ଏହା ଅପରାଧ ବୋଲି ଧରାଯାଏ ।
ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଯେତେବେଳେ ସାଜିଦ ଏବଂ ତାଙ୍କ ସହଯୋଗୀମାନଙ୍କୁ ଶିକାର କରିବାର କାରଣ ପଚରାଯାଇଥିଲା, ସେମାନେ କହିଥିଲେ ଯେ ସେମାନେ ପାର୍ଟି କରିବା ପାଇଁ ଏହା କରିଛନ୍ତି କାରଣ ଲକ୍ ଡାଉନ୍ ସମୟରେ ଶିକାର ହେଉଛି ସେମାନଙ୍କର ହବିର ଏକ ଅଂଶ । ସାଜିଦ୍ କହିଛନ୍ତି, ପ୍ରବାସୀ ପକ୍ଷୀମାନଙ୍କ ଶିକାର କରାଯାଇଛି ଯାହା ମୂଳତଃ ଏହି ଦେଶର । ପାକିସ୍ତାନରେ ପଶୁ ଓ ପକ୍ଷୀମାନଙ୍କର ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ସେଭ୍ ଲାଇଫ୍ ଟ୍ବିଟ୍ କରି କହିଛି ଯେ, ଏହି ସାଜିଦ୍ ଏବଂ ତାଙ୍କ ସାଙ୍ଗମାନେ କେବଳ ପାର୍ଟି ନାଁରେ ଶହ ଶହ ପକ୍ଷୀ ଶିକାର କରିଛନ୍ତି ।
ଏହି ସଂଗଠନ ବନ ବିଭାଗ ନିକଟରେ ଅଭିଯୋଗ କରିଛି ଏବଂ ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା ରଖିଛି ।