କଣ୍ଟା ସାଜିବାରୁ ଗୁଳି କରିଥିଲେ - ମାଟିରେ ପୋତିଥିଲେ୨ ଟି ବନ୍ଧୁକ

Published By : Prameya-News7 Bureau | December 25, 2019 IST

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଭୁବନେଶ୍ୱର ବାହାଦଲପୁରରେ ଅନୀଲ ଜେନା ହତ୍ୟା ଘଟଣା ଉପରୁ ପରଦା ହଟାଇଛି ଖଣ୍ଡଗିରି ଥାନା ପୁଲିସ୍‌ । ଦୁର୍ଦ୍ଦାନ୍ତ ଅପରାଧୀ ସରକନ୍ତାର ଗାଁର ଭରତ ସାହୁ ଓରଫ ହାପି (୨୯) ଓ ସହଯୋଗୀ ବାହାଦଲପୁର ଗାଁର ଦୁର୍ଗା ପ୍ରସାଦ ସାହୁ ଓରଫ ବାପି (୨୬)ର ରାସ୍ତାରେ ଅନୀଲ୍‌ କଣ୍ଟା ସାଜିବାରୁ ଏହି ଦୁଇ ଜଣ ତାଙ୍କୁ ହତ୍ୟା କରିଥିଲେ । ଦେଢ଼ ମାସ ପରେ ସୋମବାର ବିଳମ୍ବିତ ରାତିରେ ହାପି ଓ ବାପିକୁ ଖଣ୍ଡଗିରି ଥାନା ପୁଲିସ୍‌ ଓ ଡିସିପିଙ୍କ ସ୍ପେଶାଲ୍‌ ସ୍କ୍ୱାଡ୍‌ ଟିମ୍‌ ରାୟଗଡ଼ା ଜିଲ୍ଳା ଚାନ୍ଦିଲି ଥାନା ହାତୀଖମ୍ବ ଗାଁରୁ ଗିରଫ କରିଛନ୍ତି । ଏମାନଙ୍କ ଠାରୁ ୨ ଟି ବାଇକ୍‌, ୧ ଟି ବନ୍ଧୁକ ଜବତ କରାଯାଇଛି ବୋଲି ପୁଲିିସ୍‌ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ ରାଜା ଏବେ ବି ଫେରାର ଥିବା କମିଶନର କହିଛନ୍ତି ।

{"id":202323,"sizeSlug":"large"}

ହାପି ନିଜ ପାଖରେ ସବୁବେଳେ ବନ୍ଧୁକ ରଖୁନଥିଲା । କାଳେ କିଏ ଦେଖି ଦେବ ସେଥିପାଇଁ ଘରେ ବନ୍ଧୁକ ନ ରଖି ମାଟି ତଳେ ପୋତି ଦେଉଥିଲା । ଜେରା ସମୟରେ ପୁଲିସ୍‌ ତା’ଠାରୁ ଏମିତି ତଥ୍ୟ ପାଇଛି । ହାପି କାହା ଠାରୁ ବନ୍ଧୁକ ଆଣିଥିଲା, ତାହା ଜାଣିବାକୁ ପୁଲିସ୍‌ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି । ଖାଲି ବନ୍ଧୁକ ନୁହେଁ, ଖଣ୍ଡା, ଭୁଜାଲି, ଚାପଡ଼ ମଧ୍ୟ ହାପି ଘରେ ରଖିଛି । ପୂର୍ବରୁ ହତ୍ୟା କରି ଜେଲ୍‌ ଯାଇଥିବାରୁ ଗାଁରେ ତାକୁ ସମସ୍ତେ ଭୟ କରନ୍ତି ।

{"id":202324,"sizeSlug":"large"}

ଅଭିଯୁକ୍ତଙ୍କୁ ଖୋଜିବାରେ ଦେଢ଼ ଲକ୍ଷ ଖର୍ଚ୍ଚ
ପୁଲିସ୍‌ ଠାରୁ ଦୁଇ ପାଦ ଆଗରେ ଚାଲୁଥିଲେ ହାପି ଓ ବାପି । ଏମାନଙ୍କୁ ଧରିବା ପାଇଁ ଖଣ୍ଡଗିରି ଥାନା ପୁଲିସ୍‌ ଓ ସ୍ପେଶାଲ୍‌ ସ୍କ୍ୱାଡ୍‌ ୪୫ ଦିନରେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଗାଡ଼ିରେ ତେଲ ପକାଇବା, ଖାଇବା ଓ ରହିବାରେ ଏହି ସବୁ ଟଙ୍କା ଖର୍ଚ୍ଚ ହୋଇଛି । ଏ ସବୁ ଟଙ୍କା ପୁଲିସ୍‌ କର୍ମଚାରୀମାନେ ମିଳିତ ଭାବେ ନିଜ ପକେଟରୁ ଖର୍ଚ୍ଚ କରିଛନ୍ତି । ଏମିତିକି ଅଭିଯୁକ୍ତକୁ ଧରିବାକୁ ଗଞ୍ଜାମ ଯାଇ ୭ ଦିନ ଡେରା ପକାଇଥିଲେ ପୁଲିସ୍‌ । ଟଙ୍କା ସରିଯିବାରୁ ସୁନା ମୁଦି ବିକ୍ରି କରି ସେଠାରୁ ଭୁବନେଶ୍ୱର ଆସିଥିଲେ । ବଡ଼ କଥା ହେଲା ଗତ ୪ ଦିନ ହେବ ପୁଲିସ୍‌ ରାସ୍ତା କଡ଼ରେ ଶୋଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଜମି ବାଡ଼ିକୁ ନେଇ ପୂର୍ବରୁ ହାପି ଓ ଅନୀଲ୍‌୍‌ଙ୍କ ପରିବାର ମଧ୍ୟରେ କିଛି ବିବାଦ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କମିଶନର ଶ୍ରୀ ଷଡଙ୍ଗୀ କହିଥିଲେ । ତା’ଛଡା ଅନୀଲ୍‌ ମଧ୍ୟ ତମାଣ୍ଡୋ ଥାନାରେ ଏକ ହତ୍ୟା ଘଟଣାରେ ସାମିଲ ଥିଲା । ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହୁଥିଲା । ସୁଯୋଗକୁ ଅପେକ୍ଷା କରିଥିଲା ହାପି । ମଣିଷ ମାରିବା, ଦାଦା ବଟି ଆଦାୟ କରିବାରେ ହାପି ଥିଲା ସିଦ୍ଧହସ୍ତ । ପୁଲିସ୍‌ ସବୁ ଜାଣି ମଧ୍ୟ କିଛି କରି ପାରୁନଥିଲା । ମଉକା ଦେଖି ଅନୀଲକୁ ରାସ୍ତାରୁ ହଟାଇ ଦେଇଥିଲା ।

ବାହାଦଲପୁର ଓ ସରକନ୍ତରାରେ ବ୍ରାଉନ୍‌ ସୁଗର ବେପାର କରୁଥିଲେ ହାପିର ଅନ୍ୟ ଜଣେ ସହଯୋଗୀ ଆଲୋକ ପ୍ରଧାନ । ଅନୀଲ ଏହାକୁ ବିରୋଧ କରୁଥିଲେ । ଗତ ଦୀପାବଳି ଦିନ ଅନୀଲଙ୍କ ପୁତୁରାକୁ ଏମାନେ ବ୍ରାଉନ୍‌ସୁଗର ଖୁଆଇ ଥିଲେ । ଏହାପରେ ଅନୀଲ ଗାଁର କିଛି ଯୁବକଙ୍କୁ ଡାକି ଘଟଣା ବିଷୟରେ ଜଣାଇଥିଲେ । ଆଲୋକକୁ ଏକ ନିରୋଳା ସ୍ଥାନକୁ ଡାକି ନିଶା ବେପାର ବନ୍ଦ କରିବାକୁ କହିବା ସହ ମାଡ଼ ମାରିଥିଲେ । ଅଲୋକ ଘଟଣା ବିଷୟରେ ହାପିକୁ ଜଣାଇବା ପରେ ହାପି ଅନୀଲକୁ ଫୋନ୍‌ କରି ଧମକ ଚମକ ଦେଇଥିଲେ । ନଭେମ୍ବର ୬ ତାରିଖରେ ହାପିର ଜନ୍ମ ଦିନ ଥିଲା । ସେଦିନ ହାପି, ବାପି, ରାଜା, ଆଲୋକ, ପୁଲିକ୍‌ ହାତୀ, ଚିତ୍ତ ରଞ୍ଜନ ପରିଜା ଓ ଅନ୍ୟ କିଛି ସହଯୋଗୀମାନେ ପୁରୀ ଯାଇଥିଲେ । ଏହି ସମୟରେ ତାଙ୍କୁ ଖବର ମିଳିଥିଲା ଅନୀଲ ଗାଁରେ ବୈଠକ ଡାକିଛି । ଉକ୍ତ ବୈଠକ ମୂଳ ଲକ୍ଷ୍ୟ ହେଉଛି ଗାଁରୁ ନିଶା ବେପାର ବନ୍ଦ କରିବା । ଏହି ଖବର ପାଇ ହାପି ଅନୀଲ୍‌କୁ ଫୋନ୍‌ କରି ହତ୍ୟା କରିବ ବୋଲି ଧମକ ଦେଇଥିଲା । ଏଇଠୁ ଆରମ୍ଭ ହୋଇଥିଲା ଅନୀଲଙ୍କୁ ଜୀବନରେ ମାରିବାକୁ ଯୋଜନା । ନଭେମ୍ବର ୭ ତାରିଖ ସନ୍ଧ୍ୟା ପ୍ରାୟ ୫ ଟା ବେଳେ ଅନୀଲଙ୍କ ବାପା ଅଭିମନ୍ୟୁ ଘର ପାଖରେ ଥିବା ଶିବମନ୍ଦିର ବେଢ଼ାରେ ଝାଡୁ ମାରୁଥିଲେ । ମନ୍ଦିର ପାଖ ଦୋକାନ ବାହାରେ ବସିଥିଲେ ଅନୀଲ୍‌ । ଏହି ସମୟରେ ଏକ ବାଇକ୍‌ରେ ହାପି, ବାପି ଓ ରାଜା ସେଠାରେ ପହଞ୍ଚି ଅନୀଲକୁ ଡାକିଥିଲେ । ରାଜା ଗାଡ଼ି ଚଲାଉଥିଲା । ପଛରେ ବସିଥିଲେ ହାପି ଓ ବାପି । ଏମାନଙ୍କ ହାତରେ ୨ ଟି ବନ୍ଧୁକ ଥିଲା । ଅନୀଲ୍‌କୁ ଏମାନେ ପାଖକୁ ଡାକିଥିଲେ । ଅନୀଲ ସେମାନଙ୍କ ପାଖକୁ ଆସିବା କ୍ଷଣି ତାଙ୍କ ଛାତିରେ ଗୋଟିଏ ରାଉଣ୍ଡ ଗୁଳି ବାଜିଥିଲା । ଏହା ଦେଖି ଅନୀଲଙ୍କ ବାପା ଅଭିମନ୍ୟୁ ଏମାନଙ୍କୁ ଧରିବାକୁ ଧାଇଁଥିଲେ । ବାପି ତାଙ୍କ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ହେଲେ ଘଟଣାସ୍ଥଳରେ ବାଇକ୍‌ ଛାଡ଼ି କିଛି ଦୂରରେ ଲୁଚି ରହିଥିଲେ । ରାଜା ଆଉ ଏକ ବାଇକ୍‌ ଯୋଗାଡ଼ କରି ଦୁଇଜଣଙ୍କୁ ନେଇ ସେଠାରୁ ଚମ୍ପଟ ମାରିଥିଲା ।
ଜମି ବାଡ଼ିକୁ ନେଇ ପୂର୍ବରୁ ହାପି ଓ ଅନୀଲ୍‌୍‌ଙ୍କ ପରିବାର ମଧ୍ୟରେ କିଛି ବିବାଦ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କମିଶନର ଶ୍ରୀ ଷଡଙ୍ଗୀ କହିଥିଲେ । ତା’ଛଡା ଅନୀଲ୍‌ ମଧ୍ୟ ତମାଣ୍ଡୋ ଥାନାରେ ଏକ ହତ୍ୟା ଘଟଣାରେ ସାମିଲ ଥିଲା । ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହୁଥିଲା । ସୁଯୋଗକୁ ଅପେକ୍ଷା କରିଥିଲା ହାପି । ମଣିଷ ମାରିବା, ଦାଦା ବଟି ଆଦାୟ କରିବାରେ ହାପି ଥିଲା ସିଦ୍ଧହସ୍ତ । ପୁଲିସ୍‌ ସବୁ ଜାଣି ମଧ୍ୟ କିଛି କରି ପାରୁନଥିଲା । ମଉକା ଦେଖି ଅନୀଲକୁ ରାସ୍ତାରୁ ହଟାଇ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.