ଭୁବନେଶ୍ବର 6/8: ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି କିକି ଡାନ୍ସ | ସାରା ବିଶ୍ୱର ଅନେକ ଲୋକ ବର୍ତ୍ତମାନ ସୋସିଆଲ ମିଡ଼ିଆ ସାଇଟରେ କିକି ଡାନ୍ସ ଚ୍ୟାଲେଞ୍ଜ ଭିଡିଓ ଅପ୍ଲୋଡ଼ କରୁଛନ୍ତି | କିକି ଡାନ୍ସ ବହୁ ଲୋକ ଆହତ ହେଉଥିବା ଓ ମୃତ୍ୟୁମୁଖରେ ପଡିବା ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଫଳରେ ଏହି ଡ୍ୟାନ୍ସ ଚାଲେଂଜ ନକରିବା ପାଇଁ ବିଭିନ୍ନ ଦେଶରେ ପୋଲିସ ସତର୍କ ସୂଚନା ଜାରି କରିଛି | ଭାରତରେ ମଧ୍ୟ ବିଭିନ୍ନ ରାଜ୍ୟ ପୋଲିସ ସତର୍କ ସଚେତନତା ଆରମ୍ଭ କରିଛନ୍ତି ।
ଆସନ୍ତୁ ଜାଣିବା କିକିଡାନ୍ସ ଚ୍ୟାଲେଞ୍ଜ କଣ : –
ଚଳନ୍ତାରୁ ଓହ୍ଲାଇ କିକି ଗୀତରେ ଡାନ୍ସ କରି ପୁଣି ଗାଡି ଭିତରକୁ ଡେଇଁ ବସିପଡିବା ହେଉଛି କିକି ଡାନ୍ସ ଚ୍ୟାଲେଞ୍ଜ | କିକି ଗୀତଟି ହେଉଛି କାନାଡ଼ାର ଜଣେ ନାଁକରା ଗାୟକ ରା଼ପେର ଡ୍ରେକ ଗାଇଥିବା ଏକ ଗୀତ । ସେ ଗୀତର ଲୋକପ୍ରିୟ ଧାଡିଟି ହେଲା ” କିକି ଡୁ ୟୁ ଲଭ ମି ” |
ଜୁନ ୩୦ରେ ସିଗି ନାମକ ଜଣେ ହାସ୍ୟ ଅଭିନେତା ଏହି ଗୀତରେ ଚାର ଚାନ୍ଦ ଲଗାଇଦେଲେ । ଏହି ଗୀତର ତାଳେ ତାଳେ ସେ ନିଜ ଚଳନ୍ତା କାରରୁ ଓହ୍ଲାଇ ନାଚିଥିଲେ ଓ ପୁଣି କାରରେ ବସିଥିଲେ । ନାଚ କରିବାବେଳେ ସେ ନିଜ ଅଂଗୁଳିରେ ହୃଦୟର ସଂକେତ ଦେଖାଇବା ଓ ତାଙ୍କ ଷ୍ଟେପିଙ୍ଗ ମଧ୍ୟ ଆକର୍ଷଣୀୟ ହୋଇଥିଲା । ନିଜ ଇନ୍ସଟାଗ୍ରାମ ପେଜରେ ଅପଲୋଡ଼ କରିଥିଲେ ଭିଡିଓଟିକୁ ସେ । ଏହି ଭିଡିଓ ଭାଇରାଲ ହେଲା ପରେ ବହୁ ସେଲିବ୍ରିଟି ଏଭଳି ଭିଡିଓ ନିଜେ ତିଆରି କରି ସୋସିଆଲ ମିଡିଆରେ ଅପଲୋଡ କରିବାରେ ଲାଗିଲେ । ଏହା ପରେ ପରେ ଆମେରିକାର ଜଣେ ଫୁଟବଲ ଖେଳାଳି ଓଡ଼ଏଲ ବେକହାମ ମଧ୍ୟ କିକି ଗୀତରେ ନିଜ ଭିଡିଓ ରେକର୍ଡିଙ୍ଗ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ | ବାସ ତା ପରଠୁ କିକି ଡାନ୍ସ ଏକ ନୂଆ ଟ୍ରେଣ୍ଡ୍ ଓ ଚ୍ୟାଲେ଼ଂଜ ହୋଇଯାଇଛି ଅନେକଙ୍କ ପାଇଁ ।
ଯାହା ଫଳରେ ଅନେକ ଆହତ ହୋଇଛନ୍ତି ଓ କିଛି ମୃତ୍ୟୁ ମଧ୍ୟ କରିଛନ୍ତି | ତେଣୁ ପୋଲିସ ସାଧାରଣରେ ସତର୍କ ରହିବାକୁ ଲୋକଙ୍କୁ ଚେତାଇବା ସହଏହା ନକରିବାକୁ ସତର୍କ କରିଛନ୍ତି |
ତେବେ କିକି ଡାନ୍ସକୁ ନେଇ ଓଡିଶା ପୋଲିସ ମଧ୍ୟ ଜଣସାଧାରଣଙ୍କୁ ସତର୍କ କରିଦେଇଛି | ଓଡିଶା ପୋଲିସ ଟ୍ୱିଟରରେ ଟ୍ୱିଟ କରି ଲୋକଙ୍କୁ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଡାନ୍ସକୁ ନଆପଣେଇବାକୁ ପରାମର୍ଶ ଦେଇଛି |