ଚାଞ୍ଚଲ୍ୟ : ଶିକ୍ଷା ବିଭାଗୀୟ କିରାଣୀଙ୍କ ପୁଅକୁ ଅପହରଣ କରି ୨ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଓ ପରେ ବୀଭତ୍ସ ହତ୍ୟା

Published By : Prameya-News7 Bureau | December 06, 2018 IST

ଢେଂକାନାଳ ୬|୧୨: ଅପହରଣ କରି ୨ଲକ୍ଷ ଟଙ୍କା ମୁଣ୍ଡ ଜାମିନ ପରେ ବିଭତ୍ସ ହତ୍ୟା । ମୁଣ୍ଡକୁ ପଥରରେ ଛେଚି ଅତି ନିର୍ମମ ଭାବେ ଜଣେ ଯୁବକଙ୍କୁ ହତ୍ୟା କରାଯାଇ ନିଛାଟିଆ ସ୍ଥାନରେ ପକାଇ ଡାଳପତ୍ର ଘୋଡାଇ ଦିଆଯାଇଛି । ଢେଙ୍କାନାଳ ବନମାଳୀ କଣ୍ଟାନାଳୀ ଅଞ୍ଚଳର ଶିକ୍ଷା ବିଭାଗର ଜଣେ କର୍ମଚାରୀଙ୍କ ପୁଅକୁ ଏପରି ମୁଣ୍ଡ ଜାମିନ କରି ବିଭତ୍ସ ହତ୍ୟା କରାଯିବା ଘଟଣା ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ୩ଜଣଙ୍କୁ ଅଟକ ରଖି କରୁଛି ଛାନଭିନ୍‌ । [embed]https://youtu.be/LYJPDOwJHcE[/embed] ୨ଲକ୍ଷ ଟଙ୍କା ଦିଅ ନହେଲେ ପୁଅକୁ ଉଡାଇ ଦେବୁ । ଫିଲ୍ମ ଷ୍ଟାଇଲ୍‌ରେ ଫୋନ୍‌ରେ ଅପହର୍ତ୍ତା ଦେଉଛି ଏଭଳି ଧମକ । ଆଉ ଏପେଟେ ଅପହର୍ତ୍ତା ମାନେ ଅପହରଣକାରୀକୁ ଅତି ନିର୍ମମ ଭାବେ ହତ୍ୟା କରି ବୁଦାରେ ଲୁଚାଇ ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ । ଢେଙ୍କାନାଳ କଣ୍ଟାନାଳୀ ଅଞ୍ଚଳରେ ରହୁଥିବା ଶିକ୍ଷା ବିଭାଗର କିରାଣୀ ଗଣେଶ ଚନ୍ଦ୍ର ପୃଷ୍ଟିଙ୍କ ପୁଅ ସଂଗ୍ରାମ ସୋମବାର ସଂଧ୍ୟାରେ ନିଖୋଜ ହୋଇଯାଇଥିଲା । ପୁଅ ଫୋନ୍‌କୁ ଗଣେଶ ଫୋନ୍‌ କରିଥିଲେ ମଧ୍ୟ କେହି ଉଠାଇନଥିଲେ । ହେଲେ ମଙ୍ଗଳବାର ସକାଳ ୭ଟା ୪୦ରେ ପୁଅ ଫୋନ୍‌ରୁ କଲ୍‌ ଆସିଥିଲା । ଯେଉଁଥିରେ ଅପହରଣକାରୀ ସଂଗ୍ରାମକୁ ଅପହରଣ କରାଯାଇଛି ଏବଂ ୨ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା । ଏହା ପରେ ଗଣେଶ ଥାନାରେ ପୁଅ ଅପହରଣ ନେଇ ଏତଲା ଦେଇଥିଲେ । ସେହି ଦିନ ଟଙ୍କା ପାଇଁ ଆଉ ୨ ଥର କଲ୍‌ ଆସଥିଲା ।ଗଣେଶ ଏତେ ଟଙ୍କା ଦେଇପାରିବେ ନାହିଁ କହିଥିଲେ । ଆଉ ଶେଷରେ ଅପହରଣକାରୀ ସଂଗ୍ରାମକୁ ହତ୍ୟା କରିଥିଲେ । ସେହି ଫୋନ କଲ ହିଁ ହତ୍ୟାକାଣ୍ଡର ପର୍ଦାଫାସ କରିଛି । ଫୋନ କଲ ରେକର୍ଡ ଯାଞ୍ଚ କରି ସ୍ଥାନୀୟ ବନମାଳୀ ପ୍ରସାଦର ଜଣେ ନାବାଳକକୁ କାବୁ କରିଥିଲା ପୋଲିସ । ପରେ ଏହି ବିଭତ୍ସ ହତ୍ୟାକାଣ୍ଡ ଉପରୁ ପରଦା ହଟିଥିଲା । ବନମାଳୀ ପ୍ରସାଦ ଗାଁ ଠାରୁ କିଛି ଦୂର କାଜୁ ଜଙ୍ଗଲ ପାଖରେ ସଂଗ୍ରାମର ରକ୍ତ ଜୁଡୁ ବୁଡୁ ମୃତ ଦେହ ପଡିଥିଲା । ମୃତ ଦେହକୁ ଡାଳପତ୍ରରେ ଘୋଡାଇଦେଇଥିଲେ ହତ୍ୟାକାରୀ । କଣ୍ଟାନାଳୀରେ ରହୁଥିବା ସଂଗ୍ରାମର ୨ଜଣ ସାଙ୍ଗ ତାକୁ ମଦ ପିଇବାକୁ ଡାକି ଆଣି ସଂଗ୍ରାମଙ୍କ ଫୋନରୁ ସଂଗ୍ରାମର ବାପାଙ୍କ ପାଖକୁ  ଫୋନ କରି ଟଙ୍କା ଦେବାକୁ କହିଥିବା ଗିରଫ ନାବାଳକ କହିଛି । ଏପରିକି ପରେ ସଂଗ୍ରାମର ମୁଣ୍ଡକୁ ପଥରରେ ଛେଚି ସେହି  ଜଣକ ହତ୍ୟା କରିଥିବା ପ୍ରକାଶ କରିଛି ଏହି ନାବାଳକ । ପୁଲିସ ମୃତଦେହ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ ଚଲାଇଛି । ଏହି ନାବାଳକ ସହ କଣ୍ଟାନାଳୀ ଅଞ୍ଚଳର ୩ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଢେଙ୍କାନାଳ ପୋଲିସ । ଶାନ୍ତିପୂର୍ଣ୍ଣ ସହର କୁହାଯାଉଥିବା ଢେଙ୍କାନାଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ  ଚାଞ୍ଚଲ୍ୟ ଖେଳାଇଦେଇଛି । କିଛି ଦିନ ହେଲା ସହରରେ ଲୁଟପାଟ, ହତ୍ୟାକାଣ୍ଡ ଭଳି ଘଟଣା ବୃଦ୍ଧି ପାଉଥିବା ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.