ବାହାଘର ପାଇଁ ପଇସା ଦର୍କାର ବୋଲି ୫ମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ କରି ରଖିଥିଲା ଜଙ୍ଗଲରେ, ସାହସ ଓ କୌଶଳରେ ଖସିଗଲେ ନାବାଳକ: ଗିରଫ ହେଲା ଅପହରଣକାରୀ, ସବୁଠି ଏବେ ଛାତ୍ରଙ୍କ ପ୍ରଶଂସା

Published By : Prameya-News7 Bureau | January 09, 2019 IST

କୁଚିଣ୍ଡା୯|୧: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଘଟିଛି ଏକ ଲୋମ ହର୍ଷଣକାରୀ ଚାଞ୍ଚଲ୍ୟକର ଘଟଣା । ୫ଶ୍ରେଣୀରେ ପଢୁଥିବା ଜଣେ ନାବାଳକ ଦୁଇରାତି ଘଂଚ ଜଂଗଲ ମଧ୍ୟରେ ଅପହରଣକାରୀ କବଳରେ ରହିବା ପରେ କୌଶଳ କ୍ରମେ ଖସି ଆସିଛନ୍ତି । ଏବେ ନିଜ ସାହସ ପାଇଁ ଏହି ନାବାଳକ ସମସସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଅପହରଣକାରୀ ଯୁବକକୁ ମଧ୍ୟ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଅପହରଣ କରିଥିବା ଯୁବକ କାହିଁକି ନାବାଳକକୁ ଅପହରଣ କରିଥିଲା ତାର କାରଣ ମଧ୍ୟ ଅତ୍ୟନ୍ତ  ରୋଚକ । ବାହାଘର ପାଇଁ ପାଖରେ ବିଶେଷ ପଇସା ନଥିବାରୁ ବାଳକକୁ ଅପହରଣ କରି କିଛି ପଇସା ରୋଜଗାର କରିବାକୁ ଚାହୁଁଥିବା ଗିରଫ ପରେ କହିଛି ଅପହରଣକାରୀ । ସମଗ୍ର ଘଟଣାଟି ଏହି ପରି-

{"id":72157}

ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବାଦିବାହାଲ ଗାଁର ସାହିଲ ନାଏକ ନିଜ ମାମୁଁଘର କୁଚିଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ଗାଁରେ ରହିବା ସହ ନିକଟସ୍ଥ ସୁବର୍ଣ୍ଣପାଲି ଅରବିନ୍ଦ ଶିକ୍ଷାକେନ୍ଦ୍ରରେ ୫ ଶ୍ରେଣୀରେ ପାଠ ପଢୁଥିଲେ । ଗତ ରବିବାର ଦିନ ସ୍କୁଲ ଛୁଟିଥିବାରୁ ସେ ଅପରାହ୍ନରେ ନିକଟରେ ଥିବା ସୁଢେନମାଲ ଗାଁକୁ ଯାଇ ନିଜର ଜଣେ ସାଂଗ ସହ ଖେଳା ଖେଳି କରିଥିଲେ । ଅପରାହ୍ନ ପ୍ରାୟ ୫ଟାବେଳେକୁ ସଂପୃକ୍ତ ସାଂଗ ସାହିଲଙ୍କୁ ନିଜ ସାଇକଲରେ ବସାଇ କିଛି ରାସ୍ତା ଆଣି ଛାଡି ଦେଇଥଲେ । ସାହିଲ ସେଠାରୁ ନିଜ ମାମୁଁଘରକୁ ଚାଲି ଚାଲି ଫେରୁଥିଲେ । ପଛପଟୁ ଏକ ମଟରସାଇକଲେ  କାଲୋପଡା ଗାଁର ନିରଞ୍ଜନ ସୁନା ନାମକ ଜଣେ ଯୁବକ ଆସିଥିଲେ । ମାମୁଁ ଘରେ ଛାଡିଦେବି ବୋଲି କହି ସେ ସାହିଲକୁ ମଟର ସାଇକଲରେ ବସିବାକୁ କହିଥିଲା । ନିରଞ୍ଜନଙ୍କୁ ସାହିଲ ଜାଣିନଥିଲେ ମଧ୍ୟ ମାମୁଘର ପାଖ ହୋଇ ଆସିଥିବାରୁ ସେ କାଳେ ଛାଡିଦେବେ ବୋଲି ନିରଂଜନର ଗାଡିରେ ବସିଥିଲେ । ହେଲେ ନିରଂଜନ ସାହିଲଙ୍କୁ ତାଙ୍କ ମାମୁଘରେ ଛାଡିବା ବଦଳରେ ନିକଟରେ ଥିବା ମାତାମହଲ ଗାଁକୁ ନେଇଯାଇଥିଲା । ସାହିଲକୁ ପାଟି ନଖୋଲିବାକୁ ଧମକ ଚମକ ଦେଇ ମାତା ମହଲ ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ସାହିଲକୁ ନିରଞ୍ଜନ ରଖିଥିଲା । ସକାଳ ହେବାପରେ ସାହିଲକୁ ନେଇ ନିରଞ୍ଜନ ନିକଟରେ ଥିବା ମହାଲିଂଗକୁଦର ଜଂଗଲକୁ ଯାଇଥିଲା ଏବଂ ସେଠାରେ ଏକ ବୁଦାରେ ସାହିଲକୁ ବାନ୍ଧି ଦେଇ ଚାଲିଯାଇଥିଲା ।

{"id":72158}

ସାହିଲ ଭୟଭୀତ ହୋଇ ଜଂଗଲ ମଧ୍ୟରେ ରହିଥିଲେ । ଏପଟେ ନିରଞ୍ଜନ ଜଂଗଲ ଭିତରୁ ବାହାରକୁ ଆସି ସାହିଲଙ୍କ ମାମୁଁ ଅଜିତ ନାଏକଙ୍କୁ ଫୋନ କରିଥିଲା । ସେତେବେଳକୁ ସାହିଲଙ୍କ ମାମୁ ଘର ଲୋକେ ସାହିଲକୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ନପାଇବା ପରେ ପୋଲିସ ଥାନାକୁ ଯିବାକୁ ଚିନ୍ତା କରୁଥିଲେ । ଅଜିତଙ୍କୁ ନିରଞ୍ଜନ କହିଥିଲା ଯେ, ତାଙ୍କ ଭଣଜାକୁ ସେ ରଖିଛି । ତାଙ୍କ ଭଣଜାକୁ ରାଉରକେଲାରେ ସୁରକ୍ଷିତ ଭାବେ ରଖାଯାଇଛି । ତେବେ ଖର୍ଚ୍ଚାପାଣି ଦେଲେ ଛାଡି ଦିଆଯିବ । କେତେ ଖର୍ଚ୍ଚାପାଣି ବୋଲି ପଚାରିବାରୁ ନିରଞ୍ଜନ କହିଥିଲା ଲକ୍ଷେଟଙ୍କା ଦେଲେ ଛାଡିଦିଆଯିବ । ହଉ ଟଂକା ଯୋଗାଡ କରୁଛି ବୋଲି କହି ଅଜିତ ଫୋନ ରଖିବା ସହ କୁଚିଣ୍ଡା ଥାନାରେ ସମସ୍ତ କଥା ଜଣାଇଥିଲେ । କୁଚିଣ୍ଡା ପୋଲିସ ନିରଂଜନ କରିଥିବା ଫୋନ ନମ୍ବରକୁ ଟ୍ରାକିଂ କରି ସେ ମହାଲିଂଗ ଅଂଚଳରେ ଅଛି ବୋଲି ଜାଣିପାରିଥିଲେ ମଧ୍ୟ ରାତି ହୋଇ ଯାଇଥିବାରୁ କିଛି ପଦକ୍ଷେପ ନେଇପାରିନଥିଲା ।

{"id":72159}

ଅପରପାର୍ଶ୍ବରେ ଜଂଗଲ ଭିତରେ ବନ୍ଧାହୋଇ ଏକାକି ଥିବା ସାହିଲ ନିଜ ହାତକୁ ବନ୍ଧନ ମୁକ୍ତ କରିବା ପାଇଁ ଦିନସାରା ଉଦ୍ୟମ କରୁଥିଲା । ତେବେ ସଂଧ୍ୟାବେଳକୁ କୌଣସି ମତେ ତାଙ୍କ ହାତ ଖୋଲିଯାଇଥିଲା । ତେବେ ରାତି ହୋଇଯାଇଥିବାରୁ ସେ ଜଂଗଲ ଭିତରୁ ପଦାକୁ ବାହାରି ନପାରି ଏକ ଗଛମୂଳେ ରାତି କଟାଇଥିଲେ । ସକାଳ ହେବାମାତ୍ରେ ସେ ଚାଲି ଚାଲି ଜଂଗଲ ଭିତରୁ ପଦାକୁ ଆସିଥିଲେ ଏବଂ ଜଂଗଲକୁ ଲାଗି ରହିଥିବା ମହାଲିଂଗ ଗାଁରେ ପହଞ୍ଚିଥିଲେ । ଗାଁରେ ଲୋକଙ୍କୁ ସମସ୍ତ ଘଟଣା କହିଥିଲେ । ଫଲରେ ମାହାଲିଂଗ ଗାଁ ଲୋକେ ସାହିଲଙ୍କୁ ଖାଇବା ପିଇବାକୁ ଦେଇ ରଖିବା ସହ ତାଙ୍କ ମାମୁଁଙ୍କ ପାଖକୁ ଖବର ଦଇଥିଲେ । ମଙ୍ଗଳବାର ଦିନ ସକାଳେ ଅଜିତ ନାଏକ ପୋଲିସ ସହ ମହାଲିଂଗ ଗାଁରେ ପହଞ୍ଚି ଭଣଜା ସାହିଲକୁ ଉଦ୍ଧାର କରି ଘରକୁ ଆଣିବା ସହ ତାଙ୍କର ଚିକିତ୍ସା କରାଇଥିଲେ । ଥଣ୍ଡା କାକରମାଡରେ ସାହିଲଙ୍କୁ ସାମାନ୍ୟ ଜ୍ବର ହୋଇଯାଇଥିଲା । ତାଙ୍କର ଆଉ କୌଣସି ସ୍ବାସ୍ଥ୍ୟ ସମସ୍ୟା ହୋଇନଥିଲା । ପୋଲିସ ମଧ୍ୟ ସାହିଲଙ୍କଠୁ ସମଗ୍ର ଘଟଣା ଶୁଣିବା ସହ ନିରଞ୍ଜନକୁ ଧରିବା ଅଭିଯାନ ଆରମ୍ଭ କରିଥିଲା ।

{"id":72160}

ପୋଲିସ ଆଜି ଫୋନ ଟ୍ରାକିଂ କରି ନିରଞ୍ଜନକୁ କାଲୋପଡାରେ ଥିବା ତା ଘରୁ ଗିରଫ କରିଛି  । ଗିରଫ ପରେ ନିରଞ୍ଜନ କହିଛି ଯେ, ନିଜ ବାହାଘର ଆଗକୁ ହେବାର ଅଛି । ସେଥିପାଇଁ ତା ନିକଟରେ ପଇସା ନଥିଲା । ଏମିତି ଅପହରଣ ମାଧ୍ୟରେ ସେ କିଛି ପଇସା ରୋଜଗାର କରିବାକୁ ଚାହିଁଥିଲା ବୋଲି ପୋଲିସ ଆଗରେ ସ୍ବୀକାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.