ଚୋରା ଗଞ୍ଜେଇ କାରବାର ପରେ ନୂଆ ପନ୍ଥା ଆପଣାଇଛନ୍ତି ଅପରାଧି: ମୁଣ୍ଡ ଜାମିନ ରଖି ମାଗୁଛନ୍ତି ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | July 05, 2020 IST

ଜୟପୁର୫/୭: ଜୟପୁରରେ ବଦଳୁଛି ଅପରାଧର ତରିକା। ଚୋରା ଗଞ୍ଜେଇ କାରବାର ପରେ ଟଙ୍କା ଏବେ ଲୋକଙ୍କୁ କରା ଯାଉଛି ଅପହରଣ। ବାହାରର ଟ୍ରକ ଚାଳକ ଏବେ ଟାର୍ଗେଟରେ। ଏହି ଅପରାଧିକା ଘଟଣାରେ  ସ୍ଥାନୀୟ ଅପରାଧି ସାମିଲ ରହୁଛନ୍ତି। ଏମିତି ଏକ ଘଟଣାର ପର୍ଦ୍ଦାଫାଶ କରିଛି ଜୟପୁର ସଦର ପୋଲିସ। ଏଥିସହ ୩ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।ହେଲେ ପୋଲିସକୁ ଚକମା ଦେଇ ଖସି ଯାଇଛି ମୁଖ୍ୟ ଅଭିଯୁକ୍ତ।

ଲକ୍ ଡାଉନରେ ଟଙ୍କା ରୋଜଗାର ପାଇଁ ଜୟପୁରରେ ଅପରାଧୀଙ୍କ ନୂଆ ଚାଲ୍।  ଗଞ୍ଜେଇ କାରବାରରେ ଏବେ ନୂଆ ପନ୍ଥା ଆପଣାଇଛନ୍ତି ଦୁର୍ବୃତ୍ତମାନେ। ଲୋକମାନଙ୍କୁ ଅପହଣ କରି ମୁଣ୍ଡ ଜାମିନ ରଖାଯାଉଛି। ଟାର୍ଗେଟରେ ରାଜ୍ୟ ବାହାରର ଟ୍ରକ ଓ ଟ୍ରକ କର୍ମଚାରୀ।ଲକ୍ ଡାଉନ ଯୋଗୁଁ ଜିଲ୍ଲାରେ  ଚୋରା ଗଞ୍ଜେଇ ଚାଲାଣ କମିଥିବାରୁ ଅପହରଣ କରି ଟଙ୍କା ରୋଜଗାର ତରିକାକୁ ବାଛିଛନ୍ତି ଏହି ପେଷାଦାର ଅପରାଧୀ। ଆଉ ଏହି ଅପରାଧୀ ଗ୍ୟାଙ୍ଗରେ ସାମିଲ ହେଉଛନ୍ତି ଯୁବ ଗୋଷ୍ଠୀ।ଏମିତି କିଛି ଅଭିଯୋଗ ପୂର୍ବରୁ ପୋଲିସ ପାଖରେ ଥିବା ବେଳେ ଏହାର ପର୍ଦ୍ଦାଫାଶ କରିଛି କରିଛି ଜୟପୁର ସଦର ପୋଲିସ। ଉତ୍ତର ପ୍ରଦେଶର ଏକ ଟ୍ରକକୁ ଅପହରଣ କରିବା ଓ ଏହି ଟ୍ରକର ୨ ଜଣ ଡ୍ରାଇଭରଙ୍କୁ ୫ ଲକ୍ଷ ଟଙ୍କା ପାଇଁ ଅପହରଣ କରି ୨ ଦିନ ମୁଣ୍ଡ ଜାମିନ ରଖିବା ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଅଭିଯୋଗ ଅନୁସାରେ ପଡୋଶୀ ଛତିଶଗଡ଼ର ରାୟପୁରରେ ଗୋଟିଏ ଟ୍ରକ ପ୍ଳାଷ୍ଟିକ ଚେୟାର ବୋଝେଇ କରି ଜୟପୁର  ଆସିଥିଲେ। ଆଉ ଜୟପୁରରେ ଏହି ଅନଲୋଡିଂ ସାରିବା ପରେ ମାଲ ପୁଣି ବିଶାଖାପାଟଣାରେ ଲୋଡିଂ କରିବାର ଥିଲା। ତେଣୁ ଜୟପୁରରୁ ଏମାନେ ବିଶାଖାପାଟଣା ଅଭିମୁଖେ ବାହାରି ଥିଲେ। ଏତିକି ବେଳେ ଜୟପୁରରୁ କିଛି ଦୂରରେ ଗୋଟିଏ ମାରୁତି କାରରେ କିଛି ଯୁବକ ଟ୍ରକଟିକୁ ପିଛା କରି ଅଟକାଇ ଥିଲେ। ଟ୍ରକରେ ଗଞ୍ଜେଇ ଯାଉଥିବା ଅଭିଯୋଗ କରି ୨ଟ୍ରକ ଡ୍ରାଇଭରଙ୍କୁ ମାଡ ମାରି ଅପହରଣ କରିବା ସହ  ୫ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ ରଖିଥିଲେ। ଏପରି କି ଟ୍ରକଟିକୁ ମଧ୍ୟ ଜୟପୁର କେନାଲ ନିକଟରେ ଲୁଚାଇ ଦେଇଥିଲେ। କିନ୍ତୁ କୌଶଳ କ୍ରମେ ରାଜୁ ନାମକ ଜଣେ ଟ୍ରକ ଡ୍ରାଇଭର ଅପରାଧୀଙ୍କ କବଳରୁ ଖସି ଆସି ପୋଲିସକୁ ସୂଚନା ଦେଖା ପରେ ଘଟଣା ଉପରୁ ପରଦା ହଟିଥିଲା।

ପୋଲିସ ଚଢ଼ାଉ କରି ଆଉ ଜଣଙ୍କୁ ଉଦ୍ଧାର କରିବା ସହ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ତେବେ ମୁଖ୍ୟ ଅଭିଯୁକ୍ତ ପୋଲିସକୁ ଚକମା ଦେଇ ଖସି ଯାଇଛି। ଲକ ଡାଉନରେ ବି କମୁନି ଅପରାଧ। ପୋଲିସ ଅପରାଧ ରୋକିବାକୁ ଯେତେ ଚେଷ୍ଟା କଲେ ବି ଅପରାଧୀମାନେ କିନ୍ତୁ ପୋଲିସଠୁ ଦୁଇ ପାଦ ଆଗରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.