ବଜାରକୁ ଆସିଲା କିଆ ମୋଟର୍ସର ନୂଆ ଲୋଗୋ ସହ ନୂଆ ସ୍ଲୋଗାନ, ଏ ବର୍ଷ ବଜାରକୁ ଛାଡ଼ିପାରେ ଇଲେକ୍ଟ୍ରିକ୍ ଗାଡି
8/01/2021 at 10:16 AM

ନୂଆଦିଲ୍ଲୀ,୦୮/୦୧: ଦକ୍ଷିଣ କୋରିଆର କାର ନିର୍ମାତା କମ୍ପାନୀ କିଆ ମୋଟର୍ସ ବଜାରକୁ କମ୍ପାନୀର ନୂଆ ଲୋଗୋ ଛାଡ଼ିଛି। ଏହି ଲୋଗୋର ସମସ୍ତ ଅକ୍ଷର ଗୋଟିଏ ସହ ଅନ୍ୟଟି ଲଗା ଲଗି ହୋଇ ରହିଥିବା ଦେଖିବାକୁ ମିଳିଛି। ଏହା ସହିତ କମ୍ପାନୀ ତାର ସ୍ଲୋଗାନକୁ ମଧ୍ୟ ପରିବର୍ତ୍ତନ କରିଛି। ବର୍ତ୍ତମାନ ଏହାର ସ୍ଲୋଗାନ ‘ ମୁଭ୍ମେଣ୍ଟ ଡେଟ୍ ଇନ୍ସପାର୍ୟସ’ରଖାଯାଇଛି।
କମ୍ପାନୀ ତାର ନୂଆ ଲୋଗୋର ଉନ୍ମୋଚନ ଧମାକାଦାର୍ ଭାବେ କରିଛି। ଏଥିରେ ସିଂକ୍ରୋନାଇଜ୍ଡ୍ ଡିସ୍ପ୍ଲେ ସହାୟତାରେ ୩୦୩ ପାୟରୋଡ୍ରୋନ୍ସର ବ୍ୟବହାର ମଧ୍ୟ କରାଯାଇଥିଲା। ଯାହିକି ଏକ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛି। କମ୍ପାନୀ ଏନେଇ କହିଛି ଯେ , ନୂଆ ଲୋଗୋ ହାତଲେଖା ଦସ୍ତଖତ ଭଳି ହୋଇଛି। ୨୦୧୯ରେ ଏହି ଲୋଗକୁ କମ୍ପାନୀର ଇମାଜିନ୍ କନ୍ସେପ୍ଟରେ ଦେଖିବାକୁ ମିଳିଥିଲା। ତେବେ କମ୍ପନୀର ପୁରୁଣା ଲୋଗୋକୁ ପରିବର୍ତ୍ତନ ପଛରେ କଣ ଉଦ୍ଦେଶ୍ୟ ରହିଛି ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । କମ୍ପାନୀ ତାର ରିବ୍ରାଣ୍ଡିଂ ଉପରେ କାମ କରୁଥିବା ଜଣାପଡିଛି। ସେହିପରି କମ୍ପାନୀ ତାର ଆଗାମୀ ଯୋଜନାରେ ଇଲେକ୍ଟ୍ରିକ୍ ଗାଡିର ରେଞ୍ଜ୍ ବୃଦ୍ଧି କରିବା ସହ ଟେଲର୍ଡ ମୋବିଲିଟି ସଲ୍ୟୁସନ୍ରେ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ଏନେଇ ଜାନୁଆରୀ ୧୫ ତାରିଖରେ କମ୍ପାନୀ ପକ୍ଷରୁ ବୟାନ ଜାରି କରାଯିବ ବୋଲି ସୂଚନା ମିଳିଛି ।
ସୂଚନା ଥାଉକି, କିଆ ତାର ପ୍ରଥମ ବ୍ୟାଟେରି ଚାଳିତ ଇଲେକ୍ଟ୍ରିକ୍ ଗାଡି ସିବିକୁ (କୋଡ୍ ନାମ) ଏହି ବର୍ଷ ବଜାରକୁ ଛାଡ଼ିବ। ଏହି କାରକୁ ଥରେ ଚାର୍ଜ କଲେ ଏହା ୫୦୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ିବ। ଏହା ସହିତ ଏଥିରେ ଫାଷ୍ଟ ଚାର୍ଜିଂର ସୁବିଧା ମଧ୍ୟ ରହିପାରେ। ତେବେ କମ୍ପାନୀ ୨୦୨୦ ମସିହାରେ ଆଗାମୀ ୫ ବର୍ଷ ମଧ୍ୟରେ ୧୧ ପ୍ରକାରର ଇଲେକ୍ଟ୍ରିକ୍ ଗାଡି ବଜାରକୁ ଛାଡ଼ିବାର ଲକ୍ଷ୍ୟ ରଖିଥିବା କୁହାଯାଇଛି ।