ସୁରଟର ହୀରା ବଜାର ଉପରେ କରୋନା ଭାଇରସର ଛାଇ, ୨ମାସରେ ୮ହଜାର କୋଟି ଟଙ୍କା ଟପିବ କ୍ଷତି

Published By : Prameya-News7 Bureau | February 06, 2020 IST

ସୁରଟ ୦୬।୦୨: ସାରାବିଶ୍ବରେ ଦିନକୁ ଦିନ ଅତି ଭୟଙ୍କର ହେବାର ଲାଗିଛି କରୋନା ଭାଇରସ। ଏହି ମାରାତ୍ମକ ଭାଇରସ ପ୍ରଥମେ ଲୋକଙ୍କ ଜୀବନ ନେଉଥିଲେ । କିନ୍ତୁ ଏବେ ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ପକାଇଛି । କରୋନା ଭାଇରସ ଦ୍ବାରା ଚୀନର ଆର୍ଥିକ ବ୍ୟବସ୍ଥା ପୂରୁପୂରି ଭାବେ ଭାଙ୍ଗି ପଡିତିବା  କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିଭଳି ତୈଳ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରତିଦିନ ତୈଳ ଦ୍ରବ୍ୟ କମୁଥିବା ବେଳେ ବିଶ୍ବସ୍ତରରେ ତୈଳଜାତୀୟ ଦ୍ରବ୍ୟ ଦାମ୍‌ ମଧ୍ୟ ହ୍ରାସ ପାଉଛି । ସେହପରି ଭାରତର ହୀର ସହର କୁହାଯାଉଥିବା ସୁରଟ ଉପରେ କରୋନା ପ୍ରଭାବ ପଡିଛି ବୋଲି ଅନୁମାନ କରାଯାଉଛି । ଏହି ମାରତ୍ମକ  ଭାଇରସ ଯୋଗୁଁ ସୁରଟରେ ହୀରା ବ୍ୟବସାୟକୁ ଜୋରଦାର ଝଟକା ଲାଗିବାର ଅନୁମାନ  ହେଲାଣି । ଆସନ୍ତା ୨ ମାସରେ ସୁରଟର ହୀରା ଶିଳ୍ପ ପ୍ରାୟ ୮,୦୦୦ କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଉଛି ।

ହଂକଂ ସୁରଟ ହୀରା ଶିଳ୍ପ ପାଇଁ ଏକ ପ୍ରମୁଖ ବଜାର । କରୋନା ଭାଇରସ୍‌ ଯୋଗୁ ହଂକଂରେ ବର୍ତ୍ତମାନ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ବ୍ୟବସାୟ ଏକ ପ୍ରକାର ଠପ୍‌ । ଏଭଳି ପରିସ୍ଥିତି ଯୋଗୁ ଆଶଙ୍କା ମଧ୍ୟରେ ଅଛନ୍ତି ସୁରଟ ହୀରା ବ୍ୟବସାୟୀ । ଏମାନଙ୍କ କହିବାନୁଯାୟୀ, ହଂକଂ ସେମାନଙ୍କ ପାଇଁ ଏକ ପ୍ରମୁଖ ବାଣିଜ୍ୟ ହବ୍‌ । କିନ୍ତୁ ସେଠାରେ କରୋନା ଆତଙ୍କ ଯୋଗୁ କାରବାର ବ୍ୟାହତ ହୋଇଛି । ସ୍ଥିତି ନ ସୁଧୁରିଲେ ବଡ ଧରଣର କ୍ଷତି ସହିବାକୁ ପଡ଼ିବ ।

ରତ୍ନପଥର ଏବଂ ଗହଣା ରପ୍ତାନି ପ୍ରୋତ୍ସାହନ ପରିଷଦ (ଜିଜେଇପିସି) ଆଞ୍ଚଳିକ ଅଧ୍ୟକ୍ଷ ଦୀନେଶ ନବାଡିଆ କହିଛନ୍ତି ଯେ, ସୁରଟରୁ ପ୍ରତିବର୍ଷ ହଂକଂକୁ ୫୦,୦୦୦ କୋଟି ଟଙ୍କାର ଶୁଦ୍ଧ ହୀରା ରପ୍ତାନି ହୋଇଥାଏ । ସୁରଟର ମୋଟ ରପ୍ତାନିରେ ହଂକଂର ଭାଗ ୩୭% । କିନ୍ତୁ ଏବେ କରୋନା ଭାଇରସ୍‌ କାରଣରୁ ହଂକଂରେ ମାସକ ପାଇଁ ଛୁଟି ଘୋଷଣା କରାଯାଇଛି । ଏଭଳି ପରିସ୍ଥିତି ଯୋଗୁ ହୀରା ବ୍ୟବସାୟକୁ ଝଟ୍‌କା ମିଳିବା ସ୍ୱାଭାବିକ ।

ଗୁଜରାଟ ବ୍ୟବସାୟୀମାନଙ୍କ ଅଫିସ୍‌ ପ୍ରାୟତଃ ହଂକଂରେ ରହିଛି ।ହଂକଂ ବନ୍ଦ ଯୋଗୁଁ ସେମାନେ ଦେଶକୁ ପ୍ରତ୍ୟାବର୍ତ୍ତିନ କରୁଛନ୍ତି । ନବାଡିଆ ମତରେ, ଯଦି ସ୍ଥିତିରେ ସୁଧାର ନ ଆସେ ତା’ହେଲେ ସୁରଟର ହୀରା ବ୍ୟବସାୟ ଭୟଙ୍କର ଭାବେ ପ୍ରଭାବିତ ହେବ । ସୁରଟର ହୀରା ଉଦ୍ୟୋଗ ଦେଶକୁ ଆସୁଥିବା ୯୯% ଅଶୋଧିତ ହୀରାକୁ ପଲିସ୍‌ କରିଥାଏ । ଫେବ୍ରୁଆରୀ ଏବଂ ମାର୍ଚ୍ଚରେ ସୁରଟର ହୀରା ଉଦ୍ୟୋଗୀମାନଙ୍କୁ ୮,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ।


ହଂକଂରେ ଅନ୍ତର୍ଜାତୀୟ ଗହଣା ଏକ୍ସପୋ ରଦ୍ଦ ହୋଇପାରେ । ଯଦି ଏହା ହୁଏ ତେବେ ସୁରଟର ଗହଣା ବଜାର ଭୟଙ୍କର ଭାବେ ପ୍ରଭାବିତ ହେବ । କାରଣ ଏହି ଏକ୍ସପୋ ଜରିଆରେ ସୁରଟ ବ୍ୟବସାୟୀମାନେ ବିପୁଳ ମାତ୍ରାରେ ହୀରା ବିକ୍ରି କରିଥାନ୍ତି । ଏହା ରଦ୍ଦ ହେଲେ ବହୁଳ ମାତ୍ରାରେ କ୍ଷତି ହେବ ।  ସୁରଟରେ ପ୍ରସ୍ତୁତ ହୀରା ଗହଣା ହଂକଂ ଜରିଆରେ ସମଗ୍ର ବିଶ୍ୱକୁ ପଠାଯାଇଥାଏ । କିନ୍ତୁ ଏବେ ହଂକଂରେ ଅବକାଶ ଜାରି ହୋଇଥିବାରୁ ସେଠାରେ ହୀରା କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ସେଠାରେ ଥିବା ଭାରତୀୟ ବ୍ୟବସାୟୀ ଦେଶକୁ ଫେରି ଆସୁଛନ୍ତି । ଯଦି ସ୍ଥିତି ନ ସୁଧୁରେ ତା’ହେଲେ ସୁରଟ ହୀରା ଉଦ୍ୟୋଗକୁ ହଜାର ହଜାର କୋଟିର କ୍ଷତି ସହିବାକୁ ପଡ଼ିବ ବୋଲି ପ୍ରବୀଣ ନାନାବତୀ ନାମକ ଜଣେ ହୀରା ବ୍ୟବସାୟୀ କହିଛନ୍ତି ।

ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ସାରା  ବିଶ୍ୱରେ ବ୍ୟାପିଲାଣି । ଏପର୍ଯ୍ୟନ୍ତ ଭାଇରସ୍‌ରେ ପ୍ରାୟ ୫ଶହ ଲୋକ ମୃତ୍ୟୁବରଣ କରିଥିବାବେଳେ ୨୪ହଜାରରୁ ଅଧିକ ଲୋକ  ଆକ୍ରାନ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.