Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଅ ବର୍ଷର କୁନି ଝିଅ ‘ଖୁସି’ର ଭାଗ୍ୟ ଆକାଶରେ ଦୁଃଖର କଳା ବାଦଲ : କାରଣ ସାଜିଛନ୍ତି ଖୋଦ୍ ଖୁସିର ବାପା!

4/09/2019 at 7:08 PM

ସାନଖେମୁଣ୍ଡି୪|୯: ନଅ ବର୍ଷର କୁନି ଝିଅ ‘ଖୁସି’ର ଭାଗ୍ୟ ଆକାଶରେ ଏବେ ଦୁଃଖର କଳା ବାଦଲ ଛାଇ ଯାଇଛି । ତା’ର ଭବିଷ୍ୟତକୁ ଘନ ଅନ୍ଧକାର ଭିତରୁ ଠେଲି ଦେବାକୁ ଚାହୁଁଛନ୍ତି ଖୋଦ୍‌ ଖୁସିର ବାପା । ଖୁସି ଏବେ ଓଷ୍ଟିଓସାରୋକମା କ୍ୟାନସରରେ ପୀଡ଼ିତ । ହେଲେ ଚିକିତ୍ସା କଲେ କାଳେ ଝିଅର ହାତଟିକୁ କାଟିବାକୁ ପଡ଼ିବ, କାଳେ ତାର ବାହାଘର ହୋଇପାରିବ ନାହିଁ, ସେଇ ଆଶଙ୍କାରେ ଏବେ ଖୁସିର ଚିକିତ୍ସା କରିବାକୁ ନାରାଜ୍‌ ତା’ର ବାପା । ଖୁସି କେବଳ କ’ଣ ଗୋଟେ ଝିଅ ବୋଲି ତା’ ପ୍ରତି ଏତେ ଅବିଚାର ନା’ ଆଉ କ’ଣ କାରଣ ଅଛି ଚାଲନ୍ତୁ ଦେଖିବା ଏଇ ରିପୋର୍ଟରେ ।

 ଖୁସି । ଭାଗ୍ୟ-ଭବିଷ୍ୟତ, ଭଲ-ମନ୍ଦର ବିଚାର କରିବାକୁ  ତା’ର ଜ୍ଞାନ  ନାହିଁ । କାହିଁକି ନା’ ଖୁସିର ବୟସ ମାତ୍ର ୯ବର୍ଷ । ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା କୁନି ଝିଅର ମଙ୍ଗଳ-ଅମଙ୍ଗଳ ସବୁକିଛି ତା’ର ବାପାମାଆଙ୍କ ହାତରେ । ସେଇମାନଙ୍କ ହାତଧରି ଚାଲି ଶିଖିବା ପରଠାରୁ କେବଳ ସେଇମାନେ ହିଁ ତା’ର ବିଶ୍ବାସ, ଆଉ ସେଇ ମାନେ ହିଁ ତା’ର ଭରସା ।

ହେଲେ ଖୁସିର ସେଇ ବିଶ୍ବାସ ଆଉ ଭରସାକୁ ଏବେ ଅନ୍ଧ ବିଶ୍ବାସର ଗ୍ରହଣ ଲାଗିଯାଇଛି । ଯାହା ଖୁସିର ଭବିଷ୍ୟତ ରାସ୍ତାରେ ଠିଆ କରିଛି ଏକ ବିରାଟ ପ୍ରଶ୍ନ ଚିହ୍ନ ।  କିଛି ଦିନ ତଳେ ସାଙ୍ଗସାଥୀଙ୍କ ମେଳରେ ଖେଳୁ ଖେଳୁ ପଡ଼ିଯାଇଥିଲା ଖୁସି । ବାମ ହାତ କାନ୍ଧ ପାଖରୁ ହାଡ଼ ଖସିଯାଇଥିଲା । ହେଲେ ବାପା ତାକୁ ଡାକ୍ତରଖାନାକୁ ନ ନେଇ ଦେଶୀ ଚିକିତ୍ସା କରିଥିଲେ । ଦୀର୍ଘ ଦିନ ଧରି ଝିଅର ହାତ ଭଲ ନହେବାରୁ ଶେଷରେ ତାକୁ ଡାକ୍ତରଙ୍କୂ ଦେଖାଇଥିଲେ ।

ଡାକ୍ତର କହିଲେ ଖୁସି ଏବେ ଓଷ୍ଟିଓସାରୋକମା କ୍ୟାନସରରେ ପୀଡ଼ିତ । ଯଥାଶୀଘ୍ର ତା’ର ଟ୍ରିଟ୍‌ମେଣ୍ଟ ଆରମ୍ଭ କରିବାକୁ ପଡ଼ିବ । ନଚେତ୍‌ ରୋଗ ବଢ଼ିଲେ ତା’ର ହାତ କାଟିବାକୁ ପଡ଼ିପାରେ । ଡାକ୍ତରଙ୍କ ଏଭଳି କଥା ଶୁଣି ଖୁସିର ବାପାଙ୍କ ମାନସିକ ସନ୍ତୁଳନ ଦୋହଲି ଯାଇଛି ।  ଝିଅର ହାତ କଟାହେଲେ କାଳେ ଭବିଷ୍ୟତରେ ବାହା ହେବେନି । କାଳେ ସେ ତାଙ୍କ ପାଇଁ ବୋଝ ହୋଇଯିବ ସେଇ ଆଶଙ୍କାରେ ସେ ଏବେ ଖୁସିର ଚିକିତ୍ସା କରାଇବାକୁ ଏକଦମ୍‌ ନାରାଜ୍‌ । ଏମିତିକି ଝିଅକୁ ନେଇ ତା’ର ଅଜା ଘରେ ଚାଡ଼ିଦେଇଆସିଛନ୍ତି ।

ଖୁସିର ଏ ଦୁଃଖ ଖବର ଏକ ସ୍ବେଚ୍ଛାସେବୀ ସଂସ୍ଥା ପାଖରେ ପହଞ୍ଚିବା ପରେ ସେମାନେ ଖୁସିର ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ସହାୟତାର ହାତ ବଢ଼ାଇଛନ୍ତି । ହେଲେ ଏଥିରେ ପ୍ରତିବନ୍ଧକ ସାଜିଛନ୍ତି ଖୁସିର ବାପାପ୍ରଫୁଲ୍ଲ ସେଠି । ଏନେଇ ସଂପୃକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ମଧ୍ୟ ଟ୍ବିଟ୍‌ କରାଯାଇଛି ।

ଗଞ୍ଜାମ ଜିଲ୍ଲା ଶେରଗଡ଼ କାଚଖଣ୍ଡି ଗାଁର କୁନିଝିଅ ‘ଖୁସି’ର ଦୁଃଖ  କାହାଣୀ ଦେଖିବା ପରେ ଆପଣଙ୍କ ମନକୁ କ‘ଣ ଆସୁଛି ? ଏଠି ସଚେତନତା ଅଭାବରୁ ଖୁସିର ବାପା ଖୁସିର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେବାକୁ ବି ପଛାଉନାହାନ୍ତି । ଏଠି ଖୁସି କେବଳ ଗୋଟେ ଝିଅ ବୋଲି ତା’ର ଅସୁସ୍ଥତାକୁ ଏକ କଳଙ୍କ ବୋଲି ଧରିନିଆଯାଉଛି । ୯ବର୍ଷର କୁନି ଝିଅର ଚିକିତ୍ସା କରାଇ ତାକୁ ଭଲ କରିବା ବଦଳରେ ଅନ୍ଧବିଶ୍ବାସୀ ବାପାମାଆ ଏବେ ଠୁ ତା’ର ବାହାଘର ଚିନ୍ତା କରି ଚୁପ୍‌ ହୋଇବସିପଡ଼ିଛନ୍ତି । ଏମିତିରେ ଜିଲ୍ଲା ପ୍ରଶାସନ ତୁରନ୍ତ ଖୁସିର ବାପାଙ୍କ ସହ ଆଲୋଚନା କରି ଖୁସିର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରୁଛି ନ୍ୟୁଜ୍‌ ସେଭେନ୍‌ ।

   Related Posts