ବେଙ୍ଗାଲୁରୁ ଷ୍ଟେସନରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ ଘଟଣା ; ତଦନ୍ତ ଆରମ୍ଭ କଲା ଖୋର୍ଦ୍ଧା ରୋଡ୍ ଜିଆରପି

Published By : Prameya-News7 Bureau | November 10, 2018 IST

ଖୋର୍ଦ୍ଧା ୧୦|୧୧: ବେଙ୍ଗାଳୁରୁ ଷ୍ଟେସନରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଅକଥନୀୟ ଆକ୍ରମଣ ଅଭିଯୋଗରେ ଖୋର୍ଦ୍ଧା ରୋଡ୍ ଜିଆରପି ଥାନା ତଦନ୍ତ ଆରମ୍ଭ କରିଛି । ଘଟଣା ନେଇ ବେଙ୍ଗାଲୁରୁ ପୋଲିସକୁ ଅବଗତ କରିଛି । ଘଟଣା ଘଟିଥିଲା ଗତ ୫ ତାରିଖରେ। ବେଙ୍ଗାଲୁରେ ହୋଇଥିବା ସ୍କାଉଟ କ୍ୟାମ୍ପରେ ଭାଗ ନେବା ଲାଗି ଏହି ଛାତ୍ରଛାତ୍ରୀ ଯାଇଥିଲେ। ୧ରୁ ୪ ତାରିଖ ପର୍ଯ୍ୟନ୍ତ କ୍ୟାମ୍ପରେ ଭାଗ ନେବା ପରେ ସେମାନେ ୫ ତାରିଖରେ ପ୍ରଶାନ୍ତି ଏକ୍ସପ୍ରେସରେ ଓଡ଼ିଶା ଫେରିବାର ଥିଲା। ତେବେ ପ୍ଲାଟଫର୍ମରେ ଠିଆ ହୋଇଥିବା ସମୟରେ ଏମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ବାହାରକୁ ମିଲ୍ ସି ଆଣିବା ଲାଗି ଯାଇଥିଲେ। ଏହି ସମୟରେ ପ୍ଲାଟଫର୍ମରେ ଥିବା ଛାତ୍ରୀମାନଙ୍କୁ ଟିକେଟ ମାଗିଥିଲେ ଟିଟିଇ। ପୂର୍ବରୁ କିଛି ଯାତ୍ରୀଙ୍କ ସହିତ ଗଣ୍ଡଗୋଳ କରିଥିବା ସଂପୃକ୍ତ ଟିଟିଇ ଏହି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଏହାପରେ ରେଳବାଇ ପୋଲିସ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଘରେ ପୂରେଇ ଦେଇ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଟ୍ରେନକୁ ଅପେକ୍ଷା କରିଥିବା ଏହି ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଘରେ ବନ୍ଦ ରଖିବା ସିହତ ସେମାନଙ୍କୁ କିଛି ରେଳ କର୍ମଚାରୀ ଧମକଚମକ ଦେଇଥିଲେ । ଏହାର ଆପତ୍ତି କରିବାରୁ ସେମାନଙ୍କୁ ମାଡ଼ ବି ମାରିଥିଲେ।  ଏପରିକି ଏନେଇ ସେମାନେ ବେଙ୍ଗଳୁର ପୋଲିସ ପାଖରେ ଏତଲା ଦେଇଥିଲେ ମଧ୍ୟ ତାହା ସେଠାରେ ଗ୍ରହଣ କରାଯାଇନଥିଲା। ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରି  ଖୋର୍ଦ୍ଧାରୋଡ୍  ଜିଆରପି ଥାନାରେ ଏତଲା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.