ଖୋର୍ଦ୍ଧା ରାଜ୍ୟର ଏକ ମାତ୍ର ହଟ୍‌ସ୍ପଟ୍, ଅଣ ହଟ୍ ସ୍ପଟ୍ ତାଲିକାରେ ଓଡିଶାର ୭ ଜିଲ୍ଲା ସାମିଲ

Published By : Prameya-News7 Bureau | April 15, 2020 IST

ଭୁବନେଶ୍ଵର ୧୫।୦୪: କରୋନା ଭାଇରସ୍ ମହାମାରୀର ପ୍ରତିହତ ପାଇଁ କେନ୍ଦ୍ର ସରକାରଠୁ ନେଇ ରାଜ୍ୟ ସରକାର ଯଥା ସମ୍ଭବ ପଦକ୍ଷେପ ନେଉଛନ୍ତି। ଏପ୍ରିଲ ୧୪ରେ ଶେଷ ହୋଇଥିବା ପ୍ରଥମ ଲକ୍‌ଡାଉନ୍‌ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏବେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦେଶରେ କରୋନା ହଟ୍‌ସ୍ପଟ୍ ଚିହ୍ନଟ କରିଛନ୍ତି। ଏହା ସହିତ ଜିଲ୍ଲାଗୁଡିକୁ ତିନୋଟି ଜୋନ୍‌ରେ ବିଭକ୍ତ କରିଛନ୍ତି। ଦେଶରେ  ୧୭୦  ହଟ୍‌ସ୍ପଟ୍ ଚିହ୍ନଟ କରାଯାଇଛି। ସେଥିରେ ଓଡିଶାର କେବଳ ଗୋଟିଏ ଜିଲ୍ଲା ଖୋର୍ଦ୍ଧା ସାମିଲ।

ଦେଶରେ ୧୨୩ ହଟ୍‌ସ୍ପଟ୍ ରେଡ୍ ଜୋନ ଏବଂ ୪୭ଟି  ହଟ୍‌ସ୍ପଟ୍‌ କ୍ଲଷ୍ଟର ଚିହ୍ନଟ ହୋଇଛି। ୧୨୩  ହଟ୍‌ସ୍ପଟ୍ ରେଡ୍ ଜୋନରେ ଓଡିଶା ଏକ ମାତ୍ର ଜିଲ୍ଲା ଭାବେ ଖୋର୍ଦ୍ଧା ରହିଛି। ସେହି ପରି ୪୭ଟି କ୍ଲଷ୍ଟର ଥିବା ହଟ୍‌ସ୍ପଟ୍ ତାଲିକାରେ ଭଦ୍ରକ ସାମିଲ। ସେହି ପରି ଅଣ ହଟ୍ ସ୍ପଟ୍ ତାଲିକାରେ ଓଡିଶାର ୭ ଜିଲ୍ଲା ସାମିଲ। ସେଗୁଡିକ ହେଉଛି କଟକ, କେନ୍ଦ୍ରାପଡା, ଢେଙ୍କାନାଳ, ଯାଜପୁର, ପୁରୀ, ସୁନ୍ଦରଗଡ ଓ କଳାହାଣ୍ଡି। ଉଲ୍ଲେଖଯୋଗ୍ୟ ଦେଶରେ ୨୦୭ ନନ ହଟ୍‌ସ୍ପଟ୍ ଘୋଷିତ ହୋଇଛି।

ଦେଶର ୭୧୮ ଜିଲ୍ଲା ମଧ୍ୟରୁ ୪୦୦ ଜିଲ୍ଲା ଏମିତି ରହିଛି ଯେଉଁଠି କରୋନାର ଚିହ୍ନ ବର୍ଣ୍ଣ ହିଁ ନାହିଁ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏହାର ସୂଚନା ଦେଇ କହିଛନ୍ତି ଯେ, ସରକାର ସେହି ଜିଲ୍ଲାଗୁଡିକୁ ସଠିକ୍ ଚିହ୍ନଟ କରିବାରେ ସଫଳ ହୋଇଛି ଯେଉଁଠି କରୋନା ଭାଇରସ୍ ପହଞ୍ଚି ସାରିଛି।

ଜିଲ୍ଲାକୁ ଜୋନ୍‌ରେ ବିଭକ୍ତ କରାଯିବ

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, କୋଭିଡ୍ ଡେଇକେଟିଡ୍ ହସ୍ପିଟାଲ, ମାଇଲ୍ଡ କେସ୍ ପାଇଁ କୋଭିଡ୍ କେୟାର ସେଣ୍ଟର ଓ ଗମ୍ଭୀର ମାମଲା ପାଇଁ କୋଭିଡ୍‌ ହେଲ୍‌ଥ ସେଣ୍ଟର, ସଙ୍କଟାପନ୍ନ ମାମଲା ପାଇଁ ଭେଣ୍ଟିଲେଟର ଉପଲବ୍ଧ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ରଓ୍ଵାଲ କହିଛନ୍ତି ଯେ, ଦେଶର ଜିଲ୍ଲାଗୁଡିକୁ ଯେଉଁଠି କରୋନାର ମାତ୍ରା ଅଧିକ ରହିଛି ହଟ୍‌ସ୍ପଟ୍‌ ଜିଲ୍ଲା, ନନ-ହଟ୍‌ସ୍ପଟ୍ ଜିଲ୍ଲା (ଯେଉଁଠି କରୋନା ଚିହ୍ନଟ ହେଉଛି) ଓ ଗ୍ରୀନ ଜୋନ ଜିଲ୍ଲା(ଯେଉଁଠି କୌଣସି ମାମଲା ନାହିଁ)ରେ ବିଭକ୍ତ କରାଯିବ। ସେହି ଜିଲ୍ଲାକୁ ହଟ୍‌ସ୍ପଟ୍ ଜୋନ୍‌ କରାଯିବ, ଯେଉଁଠି ଅଧିକ ମାମଲା ଆସୁଛି କିମ୍ବା ସଂକ୍ରମିତ ସଂଖ୍ୟା ବଢୁଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦେଶରେ ୧୭୦ ଜିଲ୍ଲା ହଟ୍‌ସ୍ପଟ୍‌ ଓ ୨୦୭ ନନ ହଟ୍‌ସ୍ପଟ୍ ଘୋଷିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.