ରାଜ୍ୟ କଂଗ୍ରେସର ‘କ୍ଷେତି ବଞ୍ଚାଓ’ ଯାତ୍ରା : କଟକରେ ପହଞ୍ଚିବା ପୂର୍ବରୁ ଅଟକାଇଲା ପୋଲିସ

Published By : Prameya-News7 Bureau | November 09, 2020 IST

ଭୁବନେଶ୍ବର ୯।୧୧: କଂଗ୍ରେସ ସଭବନରୁ ବାହାରିଥିବା କଂଗ୍ରେସର ‘କ୍ଷେତି ବଞ୍ଚାଓ’ ରାଲି କଟକରେ ପହଞ୍ଚିବା ପୂର୍ବରୁ ଅଟକାଇଲା ପୋଲିସ । ଗୋପାଳପୁର ନିକଟରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇଛି । ସହରରେ ଭିଡ଼ ହେବା ଆଶଙ୍କାରେ ପୋଲିସ ଏହି ପଦକ୍ଷେପ ନେଇଛି । କେବଳ ଚେଲାକୁମାରଙ୍କ ସହିତ ଅନ୍ୟ କିଛି ଗାଡ଼ିକୁ କଟକ ଭିତରକୁ ଯିବା ଲାଗି ଅନୁମତି ଦିଆଯାଇଛି ।

ସୋମବାର ସକାଳେ ୪୦ରୁ ଅଧିକ ଟ୍ରାକ୍ଟରରେ ରାଲି କରି କଟକ ଯାଇଛନ୍ତି କଂଗ୍ରେସ ନେତା । କ୍ଷେତି ବଞ୍ଚାଓ ରାଲିରେ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ବରିଷ୍ଠ ନେତା ପ୍ରମୁଖ ସାମିଲ ହୋଇଛନ୍ତି ।  କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା କୃଷକ ଆଇନ ବିରୋଧରେ କଂଗ୍ରେସ ଏହି ବ୍ୟାପକ ଆନ୍ଦୋଳନ କରୁଛି ।

ଗାଁ ଗାଁରେ ଆନ୍ଦୋଳନ ପାଇଁ କଂଗ୍ରେସ ବ୍ୟାପକ ପ୍ରସ୍ତୁତି କରିଥିବା କହିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ଯଦି ରାଜ୍ୟ ସରକାର କୃଷକଙ୍କୁ ଏହି କୃଷକ ବିରୋଧୀ ଆଇନରୁ ବଞ୍ଚାଇବାକୁ ଚାହୁଁଛନ୍ତି ପଞ୍ଜାବ ସରକାରଙ୍କ ଭଳି ନୂଆ ବିଧେୟକ ଆଣିବାକୁ ଯୋଜନା କରନ୍ତୁ ବୋଲି ଚେଲ୍ଲା କୁମାର ଆହ୍ବାନ ଦେଇଛନ୍ତି । ଗତ ଅକ୍ଟୋବର ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଞ୍ଜାବ ଓ ହରିୟାଣାରେ ‘କ୍ଷେତି ବଞ୍ଚାଓ’ ଯାତ୍ରା କରିଥିଲେ । ସେହି ଢାଞ୍ଚାରେ ପିସିସି ପକ୍ଷରୁ କ୍ଷେତି ବଞ୍ଚାଓ ଯାତ୍ରା କରାଯାଉଛି।

ଅନ୍ୟପଟେ କଂଗ୍ରେସର କ୍ଷେତି ବଞ୍ଚାଓ ଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । କୃଷକଙ୍କ ସ୍ୱାର୍ଥ ପାଇଁ ସବୁବେଳେ ଲଢେଇ ଜାରି ରଖିଛି ବିଜେଡି ।କୃଷି ଆଇନର ବିଭିନ୍ନ କ୍ଲଜକୁ ବିଜେଡି ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଛି । କୃଷକଙ୍କ ସ୍ୱାର୍ଥ ବିରୋଧରେ କିଛି ହେଲେ ଦଳ ଲଢେଇ କରିବ । ସେହିପରି ବିଜେପି ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସର ଏହି ମିଛ ପ୍ରତିବାଦକୁ ଦେଶବାସୀ ଜାଣି ସାରିଲେଣି । କଂଟ୍ରାକ୍ଟ ଫର୍ମିଙ୍ଗ ନାଁରେ କଂଗ୍ରେସ ଚାଷୀଙ୍କ ପାଖରେ ମିଛ ପହଞ୍ଚାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.