ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ‘ଖସାପଡା ଲାଗି’ ନୀତି, ୪ ଘଣ୍ଟା ବନ୍ଦ ରହିପାରେ ଦର୍ଶନ
5/04/2021 at 11:34 AM

ପୁରୀ ୫।୪: ଚୈତ୍ର କୃଷ୍ଣ ନବମୀ ତିଥିରେ ଶ୍ରୀଜିଉଙ୍କ ‘ଖସାପଡା ଲାଗି’ ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗମଣ୍ଡପ ପରେ ସୋମବାର ଅପରାହ୍ନ ୪ଟା ୩୦ମିନିଟରୁ ସନ୍ଧ୍ୟା ୮ଟା ୩୦ମିନିଟ୍ ପର୍ଯ୍ୟନ୍ତ ଆପାତତଃ ଦର୍ଶନ ବନ୍ଦ ରହିବ । ଏହି ନୀତି ଦଇତାପତି ସେବକମାନଙ୍କ ଦ୍ବାରା ସମ୍ପାଦିତ ହେବ ।
ସେପଟେ କରୋନାର ଦ୍ବିତୀୟ ଲହର ରାଜ୍ୟକୁ ଆସିବା ପରେ ଏହା ଚିନ୍ତାଜନକ ବିଷୟ ପାଲଟିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା । କେବଳ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସେବାୟତମାନେ ରହିଥିଲେ । ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଭକ୍ତଙ୍କ ପାଦଚଲା ରାସ୍ତା, ଜୋତା ଷ୍ଟାଣ୍ଡ, ଶ୍ରୀମନ୍ଦିର ଚାରିଦ୍ବାର, ବାଇଶି ପାହାଚ, ସ୍ନାନମଣ୍ଡପ ଆଦି ସ୍ଥାନକୁ ବିଶୋଧନ କରାଯାଇଛି । ରବିବାର ମନ୍ଦିର ସାନିଟାଇଜ୍ କରିବା ପରେ ସୋମବାର ପୁଣି ମନ୍ଦିର ଖୋଲିଛି । ଭକ୍ତମାନେ ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କାରଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ, ସମାଜିକ ଦୂରତ୍ବ ଓ ହାତ ସାନିଟାଇଜ କରିବା ସହ କୋଭିଡ଼ ନିୟମକୁ କଡ଼ାକଡ଼ି କରାଯାଇଛି ।