ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର

Published By : Prameya-News7 Bureau | June 16, 2021 IST

ଉଦଳା,୧୬|୦୬:  ଖାକି ଉପରେ ଖାକିର ଦବଙ୍ଗଗିରି । ଜଣେ ଜେଲ  ଓ୍ୱାର୍ଡର କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରି ଠେଲାପେଲା କରିଛନ୍ତି । ତାହା ପୁଣି ବିଚ୍‌ ରାସ୍ତାରେ । ଏଭଳି ଘଟଣା ଘଟିଛି ଉଦଳା ଥାନା ଠାରୁ  ମାତ୍ର ଦୁଇ ମିଟର ପରିଧି ଭିତରେ ।

ସୂଚନା ଅନୁସାରେ,  ମଙ୍ଗଳବାର  ରାତି ସମୟରେ ଉଦଳା ପୋଲିସ୍‌ ପାଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ ଅରବିନ୍ଦ ସ୍କୁଲ ନିକଟରେ ଚାରି ଜଣ ଯୁବକ ଛିଡା ହୋଇଥିଲେ । ଯୁବକମାନେ ମାସ୍କ ପିନ୍ଧି ନ ଥିବାରୁ ପୋଲିସ୍ ପାଟ୍ରୋଲିଂ ଦାୟିତ୍ବରେ ଥିବା ଥାନା ଏସଆଇ ଶଶୀଭୂଷଣ ପରିଡା ସେମାନଙ୍କୁ ମାସ୍କ ନ ପିନ୍ଧିବା କଥାକୁ ନେଇ ତାଗିଦ୍‌ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉଠିଥିଲେ ସେଠାରେ ଛିଡା ହୋଇଥିବା ବାରିପଦା ଜେଲର ଓ୍ୱାର୍ଡର ମନୋଜ କୁମାର କୁଅଁର । ସେ ପୋଲିସ ଏସଆଇଙ୍କୁ ତାଗିଦ କରିବା କାରଣରୁ ତାଙ୍କୁ  ଆକ୍ରମଣ କରିବା ସହିତ ଠେଲାପେଲା କରିଥିଲା । ପୋଲିସକୁ ଆକ୍ରମଣ କରିବା ପରେ ଉକ୍ତ ଜେଲ ଓ୍ୱାର୍ଡରକୁ ପୋଲିସ୍‌ ନିଜ ହେପାଜତକୁ ନେବାକୁ ଚେଷ୍ଟା କରିଥିଲା । ହେଲେ ଜେଲ ଓ୍ୱାର୍ଡର ମନୋଜ ପୋଲିସ ଗାଡିରେ ବସିବାକୁ ରାଜି ନ ହୋଇ ତୁମୂଳକାଣ୍ଡ କରିଥିଲେ ।

ସେ ବିଚ୍‌ ରାସ୍ତାରେ ପୋଲିସକୁ ଗାଳିଗୁଲଜ କରିବା ସହିତ ଅନ୍ୟ ପୋଲିସ୍‌ କର୍ମଚାରୀଙ୍କୁ ଠେଲାପେଲା କରିଥିଲେ । ଶେଷରେ ଏକ ଘଂଟାରୁ ଅଧିକ ହେବ ପୋଲିସ ତାଙ୍କୁ କାବୁ କରିବା ନିମନ୍ତେ ନାକେଦମ ହେବା ପରେ ଥାନାକୁ ଆଣିଥିଲେ । ହେଲେ ଥାନାରୁ ମେଡିକାଲ ନେବା ନିମେ ପୁଣି ଆରମ୍ଭ ହୋଇଥିଲା ହାଇଡ୍ରାମା । ସଂପୃକ୍ତ ଜେଲ ଓ୍ୱାର୍ଡର ମନୋଜ ନିଶାସକ୍ତ ଅବସ୍ଥାରେ ତୁମୂଳକାଣ୍ଡ ଭିଆଇଥିବା ବେଳେ ସେ ବାରିପଦା ଜେଲରେ ଓ୍ୱାର୍ଡର ଭାବେ କାର୍ଯ୍ୟ କରୁଥିଲେ । ହେଲେ ସେଠାରୁ ତାଙ୍କର କରିଆ ବଦଳି ହୋଇଥିଲେ ସୁଦ୍ଧା ସେ ସେଠାରେ କାର୍ଯ୍ୟରେ ଯୋଗଦାନ କରି ନ ଥିବା ଜଣାପଡିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.