ହିନ୍ଦୀରେ ଟ୍ଵିଟ୍ କରି ଟିମ୍ ଇଣ୍ଡିଆକୁ ଚେତାବନୀ ଦେଲେ ପିଟରସନ: କହିଲେ- ଆସୁଛି ଅସଲି ଦଳ, ଅଷ୍ଟ୍ରେଲିଆକୁ ହରାଇ ଅଧିକ ଉତ୍ସବ ମନାନ୍ତୁ ନାହିଁ

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ ୨୦।୦୧: ଭାରତୀୟ ଦଳ ବ୍ରିସବେନର ଗାବାରେ ଘରୋଇ ଅଷ୍ଟ୍ରେଲିଆକୁ ୩ ଓ୍ଵିକେଟ୍‌ରେ  ହରାଇ ଇତିହାସ ରଚିଛି। ଋଷଭ ପନ୍ତ ଓ ଶୁବମାନ ଗିଲ୍‌ଙ୍କ ସ୍ମରଣୀୟ ଓ ଐତିହାସିକ ଇନିଂସ ବଳରେ ଭାରତ ଚତୁର୍ଥ ଟେଷ୍ଟ ଜିତି କ୍ରମାଗତ ଦ୍ଵିତୀୟ ଥର ବର୍ଡର-ଗାଭାସ୍କର ଟ୍ରଫି କବ୍‌ଜା କରିଛି। ଟିମ୍ ଇଣ୍ଡିଆ ପ୍ରତି  ସବୁ ଦିଗରୁ ଅଭିନନ୍ଦନର ସୂଅ ଛୁଟିବାରେ ଲାଗିଛି। ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ ଚେତାବନୀ ମଧ୍ୟ ଦେଇଛନ୍ତି। ଭାରତ ଆଗାମୀ ସିରିଜ୍ ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ଖେଳିବ।

ପୂର୍ବତନ ବରିଷ୍ଠ ଖେଳାଳି ପିଟରସନ ହିନ୍ଦୀରେ  ଟ୍ଵିଟ୍ କରିଛନ୍ତି ଯେ, ଏହି ଐତିହାସିକ ବିଜୟ ଉତ୍ସବ ମନାନ୍ତୁ କାରଣ ଏହି ବିଜୟ ସବୁ ବାଧାବିଘ୍ନ ବିରୋଧରେ ହାସଲ ହୋଇଛି। ମାତ୍ର ଅସଲି ଦଳ ତ ଇଂଲଣ୍ଡ ଯିଏ କିଛି ସପ୍ତାହ ପରେ ଆସୁଛି, ଯାହାକୁ ଆପଣଙ୍କୁ  ହରାଇବାକୁ ପଡିବ ନିଜ ଘରେ। ସତର୍କ ରୁହନ୍ତୁ, ଦୁଇ ସପ୍ତାହରେ ବହୁତ ଅଧିକ ଉତ୍ସବ ପାଳନ ପ୍ରତି ସାବଧାନ ରୁହନ୍ତୁ।

wp:html /wp:html

ଇଂଲଣ୍ଡ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଜୋ ରୁଟଙ୍କ ଦ୍ଵିଶତକ ବଳରେ ଇଂଲଣ୍ଡ ଘରୋଇ ଶ୍ରୀଲଙ୍କାକୁ ସାତ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃଆରୀ ୫ରେ ଚେନ୍ନାଇରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ ଫେବୃଆରୀ ୧୩ରୁ ଆରମ୍ଭ ହେବ। ଏହା ପରେ ଅହମ୍ମଦାବାଦର ନୂତନ ମୋଟେରା ଷ୍ଟାଡିୟମରେ ଫେବୃଆରୀ ୨୪ରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ମାର୍ଚ୍ଚ ୪ରୁ ଏହି ପଡିଆରେ ସିରିଜ୍‌ର ଶେଷ ମ୍ୟାଚ୍‌ ଆୟୋଜନ ହେବ। ଟେଷ୍ଟ ସିରିଜ୍ ପରେ ମାର୍ଚ୍ଚ ୧୨ରୁ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ। ଶେଷରେ ମାର୍ଚ୍ଚ ୨୩ ରୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ।

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା, ଶୁବମାନ ଗିଲ୍, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଆର ଅଶ୍ଵିନ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.