ଇଂଲଣ୍ଡ ଖେଳାଳିଙ୍କ ପାଇଁ ‘ଦ ଓ୍ବାଲ୍’ ଫର୍ମୁଲା, ଟ୍ବିଟ୍ କରି ପିଟରସନ୍ ଦେଲେ ପରାମର୍ଶ- ‘ଡମ୍ ସିବ୍ଲେ ଏବଂ ଜ୍ୟାକ୍ କ୍ରାଉଲେଙ୍କୁ ଦ୍ରାବିଡଙ୍କ ଚିଠି ପଢ଼ାଅ’
23/01/2021 at 9:13 PM

ଲଣ୍ଡନ ୨୩/୦୧: ଇଂଲଣ୍ଡ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ କେଭିନ ପିଟରସନ୍ ଡମ୍ ସିବ୍ଲେ ଓ ଜ୍ୟାକ୍ କ୍ରାଉଲେଙ୍କ ପ୍ରଦର୍ଶନରେ ଖୁସି ନାହାନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଶ୍ରୀଲଙ୍କା ବିପକ୍ଷରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଦୁଇ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନରେ ଦୁଃଖିତ ପିଟରସନ ଇଂଲଣ୍ଡ କ୍ରିକେଟକୁ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ରାହୁଲ ଦ୍ରାବିଡଙ୍କ ଏକ ଇମେଲ୍ ପଠାଇଛନ୍ତି। ଏହା ସହ ସେ ଲେଖିଛନ୍ତି, ଏହା ଦ୍ବାରା ସିବ୍ଲେ ଓ କ୍ରାଉଲେଙ୍କୁ କିଛି ସାହାଯ୍ୟ ମିଳିପାରିବ।
ତେବେ ପିଟରସନଙ୍କୁ ରାହୁଲ ଦ୍ରାବିଡ ବହୁ ପୂର୍ବରୁ ଏକ ମେଲ୍ କରିଥିଲେ। ଯେଉଁଥିରେ ସ୍ପିନ୍ ବଲ୍ ଖେଳିବା ସମ୍ପର୍କରେ କିଛି ତଥ୍ୟ ଥିଲା। ସେହି ମେଲ୍କୁ ନିଜ ଟ୍ବିଟ୍ରେ ଯୋଡ଼ିଛନ୍ତି ପିଟରସନ୍ ଏବଂ ଇଂଲଣ୍ଡ କ୍ରିକେଟକୁ ଟ୍ୟାଗ୍ କରିଛନ୍ତି। ଏହା ସହ ଏହାକୁ ପ୍ରିଣ୍ଟ କରି ସିବ୍ଲେ ଓ କ୍ରାଉଲେଙ୍କୁ ଦେବାକୁ କହିଛନ୍ତି। ଯଦି ସେମାନେ ଚାହିଁବେ ତେବେ ଏନେଇ ମୋ ସହ କଥା ହୋଇପାରିବେ ବୋଲି ପିଟରସନ ଲେଖିଛନ୍ତି।
ଏହି ଟ୍ବିଟ୍ ପୂର୍ବରୁ ପିଟରସନ୍ ଅନ୍ୟ ଏକ ଟ୍ବିଟ୍ କରିଥିଲେ। ଯେଉଁଥିରେ ସେ ଲେଖିଛନ୍ତି, ‘ଡମ୍ ସିବ୍ଲେ ଏବଂ ଜ୍ୟାକ୍ କ୍ରାଉଲେଙ୍କୁ ଦ୍ରାବିଡଙ୍କ ମେଲ୍ ପଢ଼ିବା ଦରକାର। ଯାହାକି ସେ ମୋତେ ପଠାଇଥିଲେ। ସେଥିରେ ସ୍ପିନ୍ ଖେଳିବା ସମ୍ପର୍କରେ ସେ କହିଥିଲେ ତା ପରେ ମୋ ଖେଳ ବଦଳିଯାଇଥିଲା ।’ ମେଲ୍ରେ ସ୍ପିନ ଖେଳିବାର ତରିକା କହିଥିଲେ ଦ ଓ୍ବାଲ୍ ଦ୍ରାବିଡ୍। ବଲ ପଡ଼ିବା ପୂର୍ବରୁ ଏହାର ଲେନ୍ଥକୁ ଦେଖିବା ଦରକାର। ଏହା ସହ ସ୍ପିନକୁ ଅପେକ୍ଷା କରିବା ସହ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ମେଲ୍ ଜରିଆରେ ପିଟରସନଙ୍କୁ ବୁଝାଇଥିଲେ ଦ୍ରାବିଡ।