ପୁଅର ମୁହଁ ଟିକେ ଦେଖିବାକୁ ଚାତକ ଭଳି ଚାହିଁ ବସିଛି ମାଆ, ହେଲେ ଗାଁରେ ପହଞ୍ଚିପାରୁ ନାହିଁ ମୃତଦେହ

Published By : Prameya-News7 Bureau | January 08, 2021 IST

ବାଲିଗୁଡା୮/୧: ସରୁନି ଦାଦନ ଦୁଃଖ। ପେଟ ପାଟଣା ପାଇଁ ଦାଦନ ଖଟିବାକୁ କେରଳ ଯାଇଥିବା ବାଲିଗୁଡା ସୁନାପଙ୍ଗା ସାହିର ଅନିଲ ବିଶୋଇଙ୍କ ପୁଅ ଶ୍ରୀଧର ବିଶୋଇଙ୍କ ମୃତଦେହ ଗାଁରେ ପହଞ୍ଚି ପାରୁନି। ଏ ନେଇ ପରିବାର ଲୋକେ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି l ଶ୍ରୀଧର ଏକମାତ୍ର ରୋଜଗାରିଆ ପୁଅ ଥିଲେ l ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଦୁଇବର୍ଷ ତଳେ ଦାଦନ ଖଟିବାକୁ  ଯାଇ କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଜର୍ଜ କାର୍ଟୁନ କମ୍ପାନୀରେ ଶ୍ରମିକଭାବେ କାମ କରୁଥିଲେ।

{"id":388812,"sizeSlug":"large","linkDestination":"none"}

 ବୁଧବାର ସକାଳୁ ସକାଳୁ କେରଳ ପୋଲିସ  ଶ୍ରୀଧରଙ୍କ କ୍ଷତ ବିକ୍ଷତ ମୃତଦେହକୁ ଉଦ୍ଧାର କରି ବାଲିଗୁଡା ଥାନାକୁ ଖବର ଦେଇଥିଲେ । ବାଲିଗୁଡା ପୋଲିସ ସୂତ୍ରରୁ ଖବର ପାଇବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି l କେହି ଦୁର୍ବୁତ୍ତ ଶ୍ରୀଧରଙ୍କୁ ହତ୍ୟାକରି ଟ୍ରେନ ଲାଇନରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । କାନ୍ଦ  ବୋବାଳିରେ ଗାଁ ଫାଟି ପଡୁଛି l ଶ୍ରୀଧରଙ୍କ ମଲା ମୁହଁ ଟିକେ ଦେଖିବାକୁ ସାହିପଡିଶା ଆତ୍ମୀୟମାନେ ଚାତକଭଳି ଚାହିଁ ରହିଛନ୍ତି l ନ ଖାଇ  ନ ପିଇ  ପୁଅର ଫେରିବା ବାଟକୁ ଅପେକ୍ଷା କରିଛନ୍ତି ମାଆ l ମୃତ ଶ୍ରୀଧରଙ୍କ ବାପା ଅତ୍ୟନ୍ତ ଗରିବ ହୋଇଥିବାରୁ କେରଳରୁ ଶବ ଆଣିବା ସାମର୍ଥ୍ୟନାହିଁ l ପ୍ରଶାସନ ଶ୍ରୀଧରଙ୍କ ଶବକୁ ଫେରାଇ ଆଣିବା ସହିତ ସରକାରୀ ନିୟମ ଅନୁସାରେ କ୍ଷତି ପୂରଣ ଦେବାକୁ ଦାବୀହୋଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.