ଜାତୀୟ ପତାକାକୁ ଓଲଟା ଉଡାଇ ବିବାଦରେ କେରଳର ମନ୍ତ୍ରୀ, ସାଲ୍ୟୁଟ୍ ବି କଲେ...

Published By : Prameya-News7 Bureau | January 26, 2022 IST

ଥିରୁଅନନ୍ତପୁରମ,୨୬/୦୧: କେରଳର ମନ୍ତ୍ରୀଙ୍କ ନାଁରେ ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗ । ଗଣତନ୍ତ୍ର ଦିବସ ଅବସରରେ କେରଳ ସରକାରରେ ମନ୍ତ୍ରୀ ଅହମଦ ଦେବରକୋଲି ଜାତୀୟ ପତାକା ଓଲଟା ଉଡାଇ ବିବାଦକୁ ଆସିଛନ୍ତି । କାସାରାଗୋଡର ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ଗଣତନ୍ତ୍ର ଦିବସ ସମାରୋହରେ ମନ୍ତ୍ରୀ ଜାତୀୟ ପତାକାକୁ ଓଲଟା ଉତ୍ତୋଳନ କରିବା ସହ ସାଲ୍ୟୁଟ ମାରିଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ପୋଲିସ ଏସପି ମଧ୍ୟ ଓଲଟା ପତାକାକୁ ସ୍ୟାଲୁଟ୍ ମାରିଥିଲେ।

ଏହାପରେ ମନ୍ତ୍ରୀ ଅଭିଭାଷଣ ଦେବାକୁ ଯିବା ସମୟରେ ସମାରୋହକୁ ଆସିଥିବା କିଛି ସାମ୍ୱାଦିକ ଭୁଲ ଧରିବା ସହ ଅଧିକାରୀଙ୍କୁ ଜଣାଇଥିଲେ । ଲଜ୍ଜିତ ଜିଲ୍ଲା ଅଧିକାରୀମାନେ ତ୍ରିରଙ୍ଗାକୁ ତଳକୁ ଓହ୍ଲାଇ ଠିକ କରିଥିଲେ । ପରେ ମନ୍ତ୍ରୀ ପୁଣି ଥରେ ପତାକା ଉତ୍ତୋଳନ କରିଥିଲେ ।

ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଅନ୍ୟପଟେ ବିରୋଧୀ ବିଜେପି ସମ୍ପୃକ୍ତ ମନ୍ତ୍ରୀ ଏବଂ ଅଧିକାରୀଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ରାଜ୍ୟ ବିଜେପି ମୁଖ୍ୟ କେ.ସୁରେନ୍ଦ୍ରନ ମନ୍ତ୍ରୀ ଦେବରକୋଲିଙ୍କ ତତ୍କାଳ ଇସ୍ତଫା ଦାବି କରିଛନ୍ତି । ଏବଂ ରାଷ୍ଟ୍ରୀୟ ଧ୍ୱଜାର ଅପମାନ କରିଥିବା ଅଧିକାରୀଙ୍କ ବିରୋଧରେ ପୋଲିସ କେସ ରୁଜୁ କରିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ସର୍ବସାଧାରଣ ସ୍ଥାନରେ ଜାତୀୟ ପତାକା କିମ୍ୱା ସମ୍ୱିଧାନ ପ୍ରତି ଅପମାନ କିମ୍ୱା ଅସମ୍ମାନ ପ୍ରଦର୍ଶନ କରିବା ଏକ ଦଣ୍ଡନୀୟ ଅପରାଧ। ଏପରିସ୍ଥଳେ ଜଣଙ୍କୁ ତିନି ବର୍ଷ ଯାଏଁ ଜେଲ କିମ୍ୱା ଜରିମାନ କିମ୍ୱା ଉଭୟ ହୋଇପାରେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.