ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଗର୍ଭପାତ ପାଇଁ କେରଳ ହାଇକୋର୍ଟଙ୍କ ଅନୁମତି, ଏମିତି ଥିଲା ପୂରା ଘଟଣା…

Published By : Prameya-News7 Bureau | April 06, 2020 IST

ଥିରୁଅନ୍ତପୁରମ୍ ୬।୪: କେରଳ ହାଇକୋର୍ଟ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି । ଜଣେ ଦୁଷ୍କର୍ମ ପୀଡିତା କେରଳର ହାଇକୋର୍ଟରେ ଏ ନେଇ ଆବେଦନ କରିଥିଲେ । ଏହି ଆବେଦନରେ ପୀଡିତା ଗର୍ଭପାତ ପାଇଁ ହାଇକୋର୍ଟଙ୍କୁ ଅନୁମତି ମାଗିଥିଲେ ।୧୪ ବର୍ଷର ନାବାଳିକା ଦୁଷ୍କର୍ମ ପୀଡିତା ୨୪ ସପ୍ତାହର ଗର୍ଭବତୀ ଥିଲେ । ତେବେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୀଡିତାଙ୍କ ଆବେଦନ ଉପରେ ହାଇକୋର୍ଟର ବେଞ୍ଚ ଶୁଣାଣି କରିଛନ୍ତି ।

ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ କରାଇବାକୁ କେରଳ ହାଇକୋର୍ଟଙ୍କ ବେଞ୍ଚ ଅନୁମତି ଦେଇଛି । ପୀଡିତାଙ୍କ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ଏ.କେ. ଜୟଶଙ୍କରନ ନାମ୍ବିଆର ଏବଂ ଶାଜି ପି ଚେଲିଙ୍କ ଏକ ବେଞ୍ଚ କହିଛନ୍ତି ଯେ ଧାରା ୨୧ ଅନୁଯାୟୀ ଏହା ବ୍ୟକ୍ତିଗତ ସ୍ବାଧୀନତାର ଏକ ଦିଗ । ଦୁଇ ଜଣିଆ ଖଣ୍ଡପୀଠ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୧୪ ବର୍ଷର ପୀଡିତାଙ୍କ ସହ ଦୁଷ୍କର୍ମ ଘଟଣା ଘଟିଥିଲା । ନିଖୋଜର ପାଞ୍ଚ ମାସ ପରେ ପୀଡିତା ଉଦ୍ଧାର ହୋଇଥିଲେ । ସେତେବେଳକୁ ପୀଡିତା ୨୪ ସପ୍ତାହର ଗର୍ଭବତୀ ହୋଇଥିଲେ । ଫଳରେ ଗର୍ଭପାତ ପାଇଁ ଅନୁମତି ମାଗି ପୀଡିତାଙ୍କ ବାପା ହାଇକୋର୍ଟରେ ଆବେଦନ କରିଥିଲେ । ଯେତେବେଳେ ଆବେଦନ କରାଯାଇଥିଲା, ପୀଡିତା ୨୦ ସପ୍ତାହ ଗର୍ଭବତୀ ହୋଇଥିଲେ ।

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପୋଲିସ ୨୮ ବର୍ଷ ବୟସ୍କ ଅଭିଯୁକ୍ତକୁ ଗିରଫ କରିଥିଲା । ପକ୍ସୋ ଏବଂ ଆଇପିସିର ସମ୍ବନ୍ଧିତ ଧାରାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।
ଏହା ପ୍ରଥମ ଘଟଣା ନୁହେଁ ଯେଉଁଠାରେ ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ କରାଇବାକୁ କୋର୍ଟ ଅନୁମତି ଦେଇଛନ୍ତି ।

ଏହାପୂର୍ବରୁ ଗତ ବର୍ଷ ଜୁଲାଇ ମାସରେ ମଧ୍ୟପ୍ରଦେଶ ହାଇକୋର୍ଟ ମଧ୍ୟ ୧୩ ବର୍ଷର ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଥିଲେ । ସେହିଭଳି ବମ୍ବେ ହାଇକୋର୍ଟ ମଧ୍ୟ ୨୦୧୮ରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.