ବକରିଦ୍‌ରେ କଟକଣା କୋହଳ ନିଷ୍ପତ୍ତି ପ୍ରତ୍ୟାହାର କରୁ କେରଳ ସରକାର, ନଚେତ୍ ଯିବୁ ସୁପ୍ରିମକୋର୍ଟ: ଚେତାବନୀ ଦେଲା ଆଇଏମଏ

Published By : Prameya-News7 Bureau | July 18, 2021 IST

ଥିରୁଅନନ୍ତପୁରମ ୧୮।୦୭: କରୋନା କାଳରେ  ବକରିଦ୍‌ ପର୍ବ ପାଇଁ କଟକଣାରେ କୋହଳ କରିଛନ୍ତି କେରଳ ସରକାର। ରାଜ୍ୟ ସରକାରଙ୍କର ଏପରି ନିର୍ଦ୍ଦେଶକୁ ନେଇ ଖପ୍ପା  ଭାରତୀୟ ମେଡିକାଲ ସଂଘ ବା ଆଇଏମ୍‌ଏ। ଯଦି ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର ନକରନ୍ତି ତେବେ ସଂଘ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ଆଇଏମ୍‌ଏ କହିଛି।

ଏନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାଇ ଦିଆଯାଇଛି। କରୋନା ସଂକ୍ରମଣ ସମୟରେ ଇଦ-ଅଲ୍-ଅଦାହ ଓ ବକରିଦ୍‌ ପାଇଁ ଲୋକଙ୍କୁ ଗୋଟିଏ ସ୍ଥାନରେ ଭିଡ଼ ଜମାଇବା ପାଇଁ ରାସ୍ତା ଖୋଲିଦେବା ଉଚିତ୍‌ ନୁହେଁ। ଏପରି ନକରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛ ଆଇଏମ୍‌ଏ। ଆଉ ଯଦି ସରକାର ନଶୁଣନ୍ତି ତେବେ ସଂଘ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛି ଆଇଏମ୍‌ଏ।

ଜୁଲାଇ ୨୦ ତାରିଖରେ ବକରିଦ୍‌ ଥିବାରୁ କେରଳ ସରକାର କରୋନା କଟକଣାରେ କେତେକ କୋହଳ କରିଛନ୍ତି। ରବିବାର ଠାରୁ ୩ ଦିନ ନିୟମ କୋହଳ କରାଯାଇଛି। ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ପରେ କ୍ଷୁବ୍ଧ ହୋଇିଛି ଆଇଏମଏ। ଦେଶର ଏବେ ବି କେତେକ ରାଜ୍ୟରେ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହେଉଛି। ତେଣୁ ଧାର୍ମିକ କାର୍ଯ୍ୟକ୍ରମ ପାଇଁ କରୋନା କଟକଣା କୋହଳ କରାଯିବା କଥା ନୁହେଁ ବୋଲି ଆଇଏମଏ କହିଛି।

କରୋନା ସଂକ୍ରମଣକୁ ଦେଖି ୟୁପି ଓ ଉତ୍ତରାଖଣ୍ଡ କିପରି କାଉଁଡ଼ି ଯାତ୍ରା ବନ୍ଦ କରିଦେଲେ, ରାଜ୍ୟ ସରକାରଙ୍କୁ ତାହାର ଉଦାହରଣ ମଧ୍ୟ ଦେଇଛି ସଂଘ। ଏଭଳି ଗୋଟେ ସମୟରେ କେରଳ ସରକାରଙ୍କର ଏପରି ନିଷ୍ପତ୍ତି ଅତ୍ୟନ୍ତ ଦୁଃଖ ଦାୟକ ଏବଂ ଅନୁଚିତ ପଦକ୍ଷେପ ବୋଲି ଆଇଏମ୍ କହିଛି।

ସୂଚନଯୋଗ୍ୟ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶନିବାର କରୋନା କଟକଣା କୋହଳ ଘୋଷଣା କରିଥିଲେ। ବକରିଦ୍‌କୁ ଦୃଷ୍ଟିରେ ରଖି ସମସ୍ତ ଦୋକାନ ୧୮, ୧୦ ଓ ଜୁଲାଇ ୨୦ ଏହି ତିନି ଦିନ ସକାଳ ୭ଟାରୁ ରାତି ୮ଟା ଯାଏଁ ଖୋଲିବାକୁ ଅନୁମତି ଦେଇଥିଲେ। ଏଥିସହ ରାଜ୍ୟର ଜିଲ୍ଲାଗୁଡିକୁ ଏ, ବି ଓ ସି ଶ୍ରେଣୀରେ ବିଭକ୍ତ କରି ସେହି ହିସାବରେ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.