ବାର୍ଡ ଫ୍ଲୁକୁ ରାଜ୍ୟ ବିପତ୍ତି ଘୋଷଣା କଲେ କେରଳ ସରକାର, ହଜାର ସଂଖ୍ୟକ ବତକ ଓ କୁକୁଡା ମାରିବାକୁ ଦେଲେ ଆଦେଶ

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୦୫।୦୧: ଦେଶରେ ଏବେ କରୋନା ମହାମାରୀର ଭୟ ଦୂର ହୋଇ ନାହିଁ। ଅପରପକ୍ଷେ ନୂଆ ବର୍ଷରେ ନୂତନ ରୋଗ ଦେଶରେ ପ୍ରବେଶ କରିଛି। ଦେଶର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପି ଯାଇଛି। ହଜାର ସଂଖ୍ୟକ ପକ୍ଷୀଙ୍କ ଏହି ରୋଗରେ ମୃତ୍ୟୁ ଘଟି ସାରିଲାଣି। ରାଜସ୍ଥାନ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶରେ ପକ୍ଷୀଙ୍କ ମରିବା ଖବର ପରେ ପ୍ରଶାସନ ଆଲର୍ଟ ହୋଇ ଯାଇଛି। କେରଳରେ ବାର୍ଡ ଫ୍ଲୁର ପ୍ରକୋପକୁ ଦେଖି ରାଜ୍ୟ ସରକାର ଏହାକୁ ବିପତ୍ତି ଘୋଷିତ କରିଛନ୍ତି।

ଦେଶର ଅନେକ ରାଜ୍ୟରେ ମୃତ ପକ୍ଷୀଙ୍କଠାରୁ ଏଚ୫ଏନ୮ ଏବଂ ଏଚ୫ଏନ୧ ଭାଇରସ୍ ମିଳିଛି। କିଛି  ଜାଗାରେ କାଉଙ୍କଠାରେ ଏଚ୫ଏନ୮ ଭାଇରସ ଚିହ୍ନଟ ହୋଇଛି। ସାଧାରଣତଃ ଏହି ଭାଇରସ୍‌ ପକ୍ଷୀଙ୍କଠାରେ ହିଁ ଦେଖିବାକୁ ମିଳିଥାଏ। ଏହା ସତ୍ଵେ ବି ସମସ୍ତଙ୍କୁ ସତର୍କ ରହିବା ଦରକାର। ଏହି ଭାଇରସ୍ ପ୍ରବାସୀ ପକ୍ଷୀଙ୍କଠାରୁ  ବ୍ୟାପିଥାଏ। ଭାରତରେ ସଂପ୍ରତି ପ୍ରବାସୀ ପକ୍ଷୀଙ୍କ ସଂଖ୍ୟା ବହୁତ ରହିଛି।

ଏଚ୫ଏନ୮ ଏବଂ ଏଚ୫ଏନ୧ ବାର୍ଡ ଫ୍ଲୁ ଭାଇରସ୍‌କୁ ଘାତକ କୁହାଯାଏ। ଏହା ସଂକ୍ରାମକ ମଧ୍ୟ ହୋଇଥାଏ। କିନ୍ତୁ ଏଚ୫ଏନ୮ ଏଭିଏନ ଇନଫ୍ଲୁଏଞ୍ଜାରେ କେବଳ କାଉଙ୍କ ମୃତ୍ୟୁ ହୋଇଛି। ଏଚ୫ଏନ୧ ଭାଇରସ୍‌କୁ ଡବ୍ଲ୍ୟୁଏଚଓ ବହୁତ ବିପଦଜ୍ଜନକ ଶ୍ରେଣୀରେ ରଖିଛି। ବିଶେଷ କରି ଏହି ଭାଇରସ୍‌ ମଣିଷଙ୍କଠାରେ ଅତି ନଗଣ୍ୟଭାବେ ଚିହ୍ନଟ ହୋଇଥାଏ। ହେଲେ ଏହା ମଣିଷଠୁ ମଣିଷକୁ ବ୍ୟାପେ ନାହିଁ। ଏହି ଭାଇରସ୍‌ରେ ପୀଡିତ ୬୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟିଥାଏ।

କେରଳର କୋଟ୍ଟାୟମ ଏବଂ ଅଲପୂଜା ଜିଲ୍ଲାରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ସତର୍କ ହୋଇ ଯାଇଛନ୍ତି। ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଅଧିକାରୀ ବାର୍ଡ ଫ୍ଲୁର ବିପଦକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ଏକ କିଲୋମିଟର ପରିଧି ଭିତରେ ହଜାର ସଂଖ୍ୟକ ବତକ, କୁକୁଡା ଏବଂ ଅନ୍ୟ ପକ୍ଷୀଙ୍କୁ ମାରିବାକୁ ଆଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.