Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେରଳରେ ବନ୍ୟାର ବିଭୀଷିକା ; ମୃତ୍ୟୁ ସଂଖ୍ୟା ୩୭୦କୁ ଛୁଇଁଲା

20/08/2018 at 4:50 AM

କେରଳ ୨୦/୮ : କେରଳରେ ବର୍ଷା ଓ ବନ୍ୟାର ବିଭୀଷିକା । ଗତକାଲି ଆଉ ୨୩ ଜଣଙ୍କର ମୃତ୍ୟୁ ପରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ଏବେ ୩୭୦କୁ ଛୁଇଁଛି । ୧୦ ଦିନ ହେବ ଲଗାଣ ବର୍ଷା ଓ ବନ୍ୟାରେ ଘାଣ୍ଟି ହେବାପରେ ଆଗାମୀ ୫ ଦିନ ପାଇଁ ବର୍ଷା ହେବାର ନାହିଁ ବୋଲି କହିଛି ପାଣିପାଗ ବିଭାଗ । ଲଗାଣ ବର୍ଷା ନେଇ ୧୨ଟି ଜିଲ୍ଲାକୁ ଜାରି କରାଯାଇଥିବା ରେଡ ଆଲର୍ଟକୁ ପାଣିପାଗ ବିଭାଗ ଉଠାଇନେଇଛି । ଆଇଏମଡିର ଏହି ସୂଚନା ବନ୍ୟା ବିପନ୍ନଙ୍କୁ ସମାନ୍ୟ ଆଶ୍ବସ୍ତ କରିଛି । ବର୍ଷା କମିବାରୁ ଏବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ ଯୋଗାଣ କାର୍ଯ୍ୟକୁ ଜୋରାଦାର କରାଯାଇଛି । ପାଣି ଘେରରେ ରହିଥିବା ଶେଷ ଲୋକପର୍ଯ୍ୟନ୍ତ ପହଞ୍ଚି ତାକୁ ଉଦ୍ଧାରକରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟାନ୍। ବନ୍ୟା ବିପଦ ଟଳିବାପରେ ଏବେ ରାଜ୍ୟବାସୀଙ୍କୁ ସଂକ୍ରମଣର ଭୟ ଘାରିଛି । ୫ହଜାରରୁ ଉର୍ଦ୍ଧ୍ବ ରିଲିଫ ଶିବିରରେ ଆଶ୍ରୟ ନେଇଥିବା ୭ଲକ୍ଷରୁ ଉର୍ଦ୍ଧ୍ବ ବନ୍ୟା ବିପନ୍ନ ଲୋକଙ୍କୁ ବିଭିନ୍ନ ସଂକ୍ରମଣ ଜନିତ ରୋଗର ଆଶଙ୍କା ଦେଖାଦେଇଛି । ସଂକ୍ରମଣକୁ ରୋକିବା ଏବେ ରାଜ୍ୟସରକାରଙ୍କ ପାଇଁ ବଡ ଆହ୍ବାନ ପାଲଟିଛି । ଏଥିପାଇଁ ରାଜ୍ୟପ୍ରଶାସନ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବତନ୍ତ୍ର ଦଳ ଗଠନ କରି ସ୍ବାସ୍ଥ୍ୟସେବାକୁ ନିଶ୍ଚିତ କରିବାକୁ ପଦକ୍ଷେପ ନେଇଛନ୍ତି । ସେପଟେ ବର୍ଷାରେ କେରଳର ପ୍ରାୟ ୧୦ ହଜାରରୁ କିଲୋମିଟରରୁ ଉର୍ଦ୍ଧ୍ବ ରୋଡ ଧୋଇଯାଇଥିବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି।ସଡକ ମରାମତି ସହିତ ସହିତ ଲୋକଙ୍କ ଥଇଥାନ ପାଇଁ ରାଜ୍ୟସରକାର ପ୍ରାଥମିକତା ଦେଇଛନ୍ତି । ଏଥିପାଇଁ ଏନଏଚଏଆଇ ଓ ପିଡବ୍ଲୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଧୋଇଯାଇଥିବା ସଡକ ପଥର ମରାମତି ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପେଟେ ବନ୍ୟା ଜଳ କମିବାପରେ ବିଦ୍ୟୁତ ସରବରାହକୁ ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ବିଜୁଳି ସଂଯୋଗ ପୂର୍ବରୁ ପରିତ୍ୟକ୍ତ ଘରଗୁଡିକରେ ବିଜୁଳି ବ୍ୟବସ୍ଥାକୁ ଯାଞ୍ଚ କରି ତଦଜନିତ ଅଘଟଣକୁ ଏଡାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟାପ୍ରଭାବିତ ଅଞ୍ଚଳରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ରାଜ୍ୟସରକାର ଯୋଗାଇଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

   Related Posts