୩୦ ବର୍ଷ ତଳେ ଉଧାର ନେଇଥିବା ୨ଶହ ଟଙ୍କା ଫେରାଇବାକୁ ଭାରତ ଆସିଲେ କେନ୍ୟାର ସାଂସଦ…
11/07/2019 at 7:12 PM

ମୁମ୍ବାଇ : ପ୍ରାୟ ୩୦ ବର୍ଷ ପୂର୍ବେ ଭାରତରେ ରହି ପାଠ ପଢୁଥିବା ବେଳେ ନେଇଥିବା ଏକ ଛୋଟ ଉଧାର ସୁଝିବାକୁ ନିକଟରେ ଭାରତ ଆସିଥିଲେ କେନ୍ୟାର ସାଂସଦ ରିଚାର୍ଡ ଟୋଙ୍ଗ ଆଇ। ଔରଙ୍ଗାବାଦରେ ରହି ପାଠ ପଢୁଥିବା ବେଶେ ରିଚାର୍ଡ ତାଙ୍କ କଲେଜ ପାଖ ରେସନ ଦୋକାନୀ କାଶୀନାଥ ଗବଲୀଙ୍କଠାରୁ ୨ଶହ ଟଙ୍କା ଉଧାର ନେଇଥିଲେ। ଯାହାକୁ ସେ ସୁଝିବାଲାଗି ଦୀର୍ଘ ବର୍ଷ ପରେ ମୁମ୍ବାଇ ଆସିଥିବା ବେଳେ କାଶୀନାଥ ତାଙ୍କୁ ଚିହ୍ନି ପାରିନଥିଲେ।

ତେବେ ରିଚାର୍ଡ ତାଙ୍କ ପାଠପଢା ଦିନକ ସମ୍ପର୍କ ମନେ ପକାଇବାରୁ ୭୦ ବର୍ଷ ବୟସ୍କ କାଶୀନାଥଙ୍କର ସବୁ ଗୋଟି ଗୋଟି କରିମନେ ପଡିଥିଲା। ସ୍ମୃତିର ଦିନଗୁଡିକୁ ମନେ ପକାଇ ରିଚର୍ଡ ଓ କାଶୀନାଥ ବେଶ ରୋମାଞ୍ଚିତ ହୋଇଥିଲେ। ରିଚାର୍ଡ ଓ ତାଙ୍କ ପତ୍ନୀଙ୍କୁ ଘରେ କାଶୀନାଥ ଭବ୍ୟ ସ୍ୱାଗତ କରିଥିଲେ। ଉଭୟଙ୍କୁ ହୋଟେଲରେ ଖୁଆଇବାକୁ ଚାହିଁଥିଲେ କାଶୀନାଥ ହେଲେ ରିଚାର୍ଡ ସହମତ ନ ହେବାରୁ ସାଂସଦ ଦମ୍ପତ୍ତି ତାଙ୍କ ଘରେ ହିଁ ଭୋଜନ କରିଥିଲେ।

ରିଚାର୍ଡ ୧୯୮୫-୮୯ ପର୍ଯ୍ୟନ୍ତ ଔରଙ୍ଗାବାଦର ଏକ ମ୍ୟାନେଜମେଣ୍ଟ କଲେଜରେ ପାଠ ପଢୁଥିଲେ। ସେତେବେଳେ ରିଚାର୍ଡ ଘୋର ସଙ୍କଟ ଦେଇ ଗତି କରୁଥିବା ବେଳେ କଲେଜ ନିକଟରେ ଥିବା କାଶୀନାଥଙ୍କ ଦୋକାନ ହିଁ ତାଙ୍କର ଶାହାଭରସା ଥିଲା। ଏପରିକି ପାଠପଢା ଶେଷରେ କେନ୍ୟା ଫେରିବା ବେଳେ ଆବଶ୍ୟକ ୨ଶହ ଟଙ୍କା ମଧ୍ୟ ରିଚାର୍ଡ କାଶୀନାଥଙ୍କଠାରୁ ନେଇଥିଲେ। ଏବେ ରିଚାର୍ଡ ନ୍ୟାରିବରୀ ଚାଚେରୁ କେନ୍ୟା ସଂସଦକୁ ନିର୍ବାଚିତ ହୋଇଛନ୍ତି।