ଚୀନ୍ କୁ କେନିଆ କୋର୍ଟଙ୍କ ଝଟକା, ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭରେ ରେଳପ୍ରକଳ୍ପ ବନ୍ଦ
25/06/2020 at 5:11 PM

ନାଇରୋବୀ : ଆଫ୍ରିକୀୟ ଦେଶଙ୍କୁ ନିଜର କୂଟନୈତିକ ଓ ଅର୍ଥନୈତିକ ଜାଲରେ ଫସାଇବାରେ ଚୀନ୍ର ଆଉ ଏକ ଉଦ୍ୟମ ପଣ୍ଡ ହୋଇଛି। ଚୀନ୍ ରାଷ୍ଟ୍ରପତିଙ୍କ ଚାଲ ବୁଝିପାରିଛନ୍ତି କେନିଆ କୋର୍ଟ। ଏଣୁ ବହୁକୋଟି ଟଙ୍କାର ଏକ ରେଳ ପ୍ରକଳ୍ପକୁ ଅବୈଧ ଘୋଷଣା କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେନ୍ୟା ସରକାର ସୁପ୍ରିମକୋର୍ଟକୁ ଯିବେ ବୋଲି ବିଚାର କରୁଛନ୍ତି। ତେବେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଛି।
କିଛିଦିନ ପୂର୍ବରୁ ବଧେଇ ଜଣାଇଥିଲେ ଜିନ୍ପିଙ୍ଗ
ଚାଇନା-ଆଫ୍ରିକା ସମ୍ମିଳନୀ ଅବସରରେ ବେଲ୍ଟ ଏଣଡ ରୋଡ ଇନିସିଏଟିଭରେ କେନ୍ୟା ସହ ଏକ ଷ୍ଟାଣ୍ଡାର୍ଡ ଗଜ୍ ରେଳ ପ୍ରକଳ୍ପ ଲାଗି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଚୀନ୍ ସହ ସମ୍ପର୍କ ଲାଗି କେନିଆ ମୋମ୍ବାସା ବନ୍ଦର ମଧ୍ୟ ଉନ୍ମୁକ୍ତ କରିଦେଇଥିଲା। ଏଥିପାଇଁ ନିକଟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କେନ୍ୟା ରାଷ୍ଟ୍ରପତି ଉହୁରୁ କେନ୍ୟାଟାଙ୍କୁ ବଧାଇ ଜଣାଇଥିଲେ। ଏହି ରେଳ ପ୍ରକଳ୍ପ ନିର୍ମାଣ ଲାଗି ୩.୨ ବିଲିୟନ ଡଲାରର ଆବଶ୍ୟକତା ଥିଲା। ଏକ୍ସିସ୍ ବ୍ୟାଙ୍କ ଅଫ ଚାଇନାରୁ ଏହି ଅର୍ଥ ଋଣରେ ଦେଇଛନ୍ତି। ଚୀନ୍ ରୋଡ ଏଣ୍ଡ ବ୍ରିଜ କର୍ପୋରେସନ କେନ୍ୟାରେ ଏହି ରେଳ ପ୍ରକଳ୍ପ କାର୍ଯ୍ୟ କରୁଥିଲା।
କ୍ରୟ ପ୍ରକ୍ରିୟାରେ ହୋଇଥିଲା ଅନିୟମିତତା
କେନିଆ ଅପିଲ ଅଦାଲତ କେନିଆ ଓ ଚାଇନା ରୋଡ ଏଣ୍ଡ ବ୍ରିଜ କର୍ପୋରେସନ ମଧ୍ୟରେ ହୋଇଥିବା ରାଜିନାମାକୁ ଅବୈଧ ବୋଲି କହିଛନ୍ତି। ଦେଶର ମାଲିକାନାଧୀନ କେନ୍ୟା ଷ୍ଟାଣ୍ଡାର୍ଡ ଗଜ ରେଲୱେ ପ୍ରକଳ୍ପ ନେଇ ହୋଇଥିବା କ୍ରୟରେ ଆଇନର ଉଲ୍ଲଂଘନ ହୋଇଥିବା କୋର୍ଟ କହିଛନ୍ତି।
ଅନିୟମିତତା ଅଭିଯୋଗ ଆଣିଥିଲେ ସାମାଜିକ କାର୍ଯ୍ୟକର୍ତ୍ତା
ଏହି ରେଳ ପ୍ରକଳ୍ପ ଲାଗି ବ୍ୟାପକ ଅନିୟମିତତା ହୋଇଥିବାର କେନିଆର ଜନୈକ ସାମାଜିକ କାର୍ଯ୍ୟକର୍ତ୍ତା ଓକିଆ ଓମତାତହ ଅଭିଯୋଗ କରିଥିଲେ। ଲ ସୋସାଇଟି ସହ ମିସି ଓକିଆ କୋର୍ଟଙ୍କ ଶରଣାପନ୍ନ ହୋଇଥିବା ବେଳେ ରେଳବାଇ ଏକ ସାର୍ବଜନିକ ସମ୍ପତ୍ତି ଓ ତତ୍ ସମ୍ପର୍କିତ ସମସ୍ତ କିଣାବିକା ଟେଣ୍ଡର ପ୍ରକ୍ରିୟା ନିରପେକ୍ଷତା ଓ ପ୍ରତିଯୋଗୀତାମୂଳକ ପରିବେଶରେ ହେବା କଥା ବୋଲି ଆବେଦନରେ ଦର୍ଶାଇ ଥିଲେ। ତେବେ ସରକାର ଏଭଳି କୌଣସି ପଦକ୍ଷେପ ନେଉ ନଥିବା ବେଳେ ଏକ ବହୁଦେଶୀୟ କମ୍ପାନୀ ସହ ମିସି ଏକଚାଟିଆ ଭାବେ ପ୍ରକଳ୍ପ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଥିଲେ। ଏବେ ସରକାର କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି।