ଅଧା ରହିଗଲା କୋଠାଘର ସ୍ବପ୍ନ, ଗାଁ ମଶାଣୀରେ ପହଞ୍ଚିଲା ମୃତଦେହ : ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛି ପରିବାର
8/08/2020 at 11:32 AM

ମହାକାଳପଡା ୮।୮: ପୁଅର ଫେରିବା ବାଟକୁ ଚାହିଁ ରହିଥିଲା ପୁରା ପରିବାରେ । ପୁଅ ରୋଜଗାର କରିବାକୁ ବାହାର ରାଜ୍ୟକୁ ଯାଇଛି । ଝାଟିମାଟିର ଚାଳଘର ରହିବନି କୋଠାଘର ତିଆରି ହେବ ବୋଲି ଆଶ୍ବାସନା ଦେଇ ଯାଇଥିଲା ପୁଅ । ରୋଜଗାର କରି ପଇସା ପଠେଇବ ଘର ତିଆରି ହେବ । ପରିବାରର ଦୁଃଖ ଯିବ । ପୁଅ ଫେରିବ କ’ଣ,ଗାଁ ମଶାଣୀରେ ପହଞ୍ଚିଲା ପୁଅର ଶବ । ଏମିତି ହୃଦୟ ବିବାଦରକ ଦୃଶ୍ୟ ଦେଖିବାକୁ ମିଳିଥିଲା ମହାକାଳପଡା ବ୍ଲକ୍ ଶଙ୍ଖପଦା ଗ୍ରାମରେ ।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଶଙ୍ଖପଦା ଗ୍ରାମର ଅଜୟ ମହାନ୍ତିଙ୍କ ବଡ ପୁଅ ମାନସ ମହାନ୍ତି । ତାଙ୍କ ବୟସ ୨୫ ବର୍ଷ । ଜମିବାଡି ନଥିବାରୁ ଅଜୟଙ୍କ ପରିବାର ମୂଲ ମଜୁରୀ ଲାଗି ଚଳନ୍ତି । ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ମାନସ ଦୀର୍ଘ ୫ ବର୍ଷ ହେବ ସୁଦୁର ମୁମ୍ବାଇ ଯାଇ ପାଣି ପାଇପ୍ କାମ କରୁଥିଲେ । ମୁମ୍ବାଇ ଥାନେ ସାଇ ବିକ୍ଟର ନିକଟରେ କାମ କରୁଥିଲେ । ଘରେ ପରବାରର ଚଳିବା କଷ୍ଟସାଧ୍ୟ ହୋଇଥିବା ବେଳେ କରୋନା ଭୟରେ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରବାସୀ ଓଡିଆ ଘରକୁ ଫେରୁଥିଲେ। ହେଲେ ମାନସ ପରିବାରର ଆର୍ଥିକ ଅବସ୍ଥା ଦେଖି ଘରକୁ ଫେରି ନଥିଲେ । ସବୁଦିନ ଭଳି କାମ କରିବାକୁ ଯାଇଥିଲେ ଗତ ମଙ୍ଗଳବାର ଦିନ ୨୩ ତାଲା କୋଠା ଉପରେ କାମ କରୁଥିବା ବେଳେ ହଠାତ୍ ଖସି ପଡିଥିଲେ ମାନସ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିଦିନ ସକାଳୁ ବାପାଙ୍କ ସହିତ କଥା ହୋଇଥିଲେ ‘ଇନ୍ଦିରା ଆବାସ ଗୃହ ମିଳିଛି ମୁଁ କିଛି ଟଙ୍କା ପଠେଇବି ଭଲ କୋଠାଘର ତିଆରି କରିବା ।’ ମାତ୍ର ବିଧି ବିଡମ୍ବନା ଦିନ ୧୧ଟା ବେଳେ ଖବର ଆସିଥିଲା ପୁଅର ମୃତ୍ୟୁ ଖବର । ପରିବାର ମୁଣ୍ଡରେ ପଡିଥିଲା ଚଡକ ।
ପରିବାରଲୋକ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି । ପୁଅକୁ କିଏ ମାରିଦେଇଛନ୍ତି ବୋଲି ମା’ ସବିତା କହିଛନ୍ତି । ପରିବାର ଲୋକଙ୍କ ନିବେଦନ ପରେ ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମରେ ଗାଁକୁ ଶବ ଆସିଥିଲା ମାତ୍ର କୋଭିଡ୍ କଟକଣା ଯୋଗୁଁ ଶବକୁ ଘର ନିକଟକୁ ନିଆଯାଇ ନଥିଲା । ଗାଁ ମଶାଣୀରେ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶବ ସତ୍କାର କରାଯାଇଥିଲା । ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକ ।