କରୋନା ପ୍ରଭାବ: ବଳଦେବ ଜୀଉଙ୍କ ମନ୍ଦିରରେ କଟକଣା, ୩୧ ଯାଏଁ ବନ୍ଦ ଭିତରକନିକା
16/03/2020 at 7:01 PM

କେନ୍ଦ୍ରାପଡା, ୧୬|୦୩: ଓଡିଶାରେ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଅଭିଯାନ ଆହୁରି ଜୋରଦାର ହୋଇଛି। ମୁକାବିଲାର କୌଣସି ବିକଳ୍ପ ଛାଡିବାକୁ ସରକାର ପ୍ରସ୍ତୁତ ନୁହଁନ୍ତି। ଉତ୍ସବ, ସମୁହ ଉପସ୍ଥିତି ଉପରେ ରୋକ ଲଗାଇବା ପରେ ତିନିରୁ ଅଧିକ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି। ପୁରୀ, କୋଣାର୍କ ଆଦି ପୀଠ ସହ ପର୍ଯ୍ୟଟନସ୍ଥଳୀ ଓ ବିଭିନ୍ନ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗସ୍ତ ଓ ଦର୍ଶନ ଉପରେ କିଛି କଟକଣା ଲାଗୁ ହୋଇଛି। ସେହିଭଳି ନନ୍ଦନକାନନ ମଧ୍ୟ ବନ୍ଦ। ଏହି ପଦକ୍ଷେପ କେନ୍ଦ୍ରାପଡାକୁ ସଂକ୍ରମିତ ହୋଇଛି। କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ବଳଦେବ ଜୀଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଉପରେ କିଛି କଟକମା ଜାରି କରାଯାଇଛି। ସେହିଭଳି ଭିତରକନିକାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଛି.
ସୋମବାର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କରୋନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ କେତେକ କଟକଣା ଜାରି କରାଯାଇଛି l ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ଜଗମୋହନ ପର୍ଯ୍ୟନ୍ତ ଯାଇ ପାରିବେ l ମଝି ଦେଉଳ ଏବଂ ଗର୍ଭଗୃହକୁ କୌଣସି ଶ୍ରଦ୍ଧାଳୁ ଯାଇ ପାରିବେ ନାହିଁ l ସେହିପରି ଶ୍ରଦ୍ଧାଳୁ ମାନେ ଅରୁଣ ସ୍ତମ୍ବ ଓ ଗରୁଡ଼ ସ୍ତମ୍ବ ମଧ୍ୟ ସ୍ପର୍ଶ କରି ପାରିବେ ନାହିଁ l ମନ୍ଦିର ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ହ୍ୟାଣ୍ଡ ୱାସ୍ ଯୋଗାଇ ଦିଆଯିବ l ସେହିପରି ସେବାୟତ ମାନେ ମାସ୍କ କିମ୍ବା ନିଜର ଗାମୁଛା ମୁହଁରେ ବାନ୍ଧିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି l ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ କୌଣସି ବିବାହ କିମ୍ବା ବ୍ରତଘର ଅନୁଷ୍ଠିତ ହେବ ନାହିଁ l ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ମାନେ ଅଧିକ ସଂଖ୍ୟକ ନ ଆସିବା ପାଇଁ ଉପଜିଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ନିବେଦନ କରିଛନ୍ତି l
ଏତତ୍ ବ୍ୟତୀତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। କରୋନା ସତର୍କତା ପାଇଁ ମାର୍ଚ୍ଚ ୧୭ ରୁ ୩୧ ଯାଏଁ ଏହା ବନ୍ଦ ରହିବ ବୋଲି ରାଜନଗର ଡିଏଫଓ ସୂଚନା ଦେଇଛନ୍ତି।