କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ସଭାପତିଙ୍କ ନାଁରେ ଯୌନ କେଳେଙ୍କାରୀ ଅଭିଯୋଗ ଘଟଣା : ମୁହଁ ଖୋଲିଲେ ଏସ୍ପି, କହିଲେ ଚାଲିଛି ତଦନ୍ତ
30/10/2019 at 12:37 PM

କେନ୍ଦ୍ରାପଡା ୩୦।୧୦: କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ୍ ସୋସାଇଟି ଲିମିଟେଡର ସଭାପତିଙ୍କ ନାଁରେ ଯୌନ କଳେଙ୍କାରୀ ଅଭିଯୋଗ । ସଭାପତି ପ୍ରମୋଦ ସାହୁଙ୍କ ନାଁରେ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଇସ୍ତଫା ଦେଇଥିବା ଜଣେ ମହିଳା କର୍ମଚାରୀ।ଏ ନେଇ ମହିଳା ଜଣଙ୍କ ଗତ ମେ ୨୭ ତାରିଖରେ ପ୍ରଥମ ଥର ପାଇଁ ପୋଲିସ ନିକଟରେ ଅନ୍ ଲାଇନ୍ ଅଭିଯୋଗ କରିଥିଲେ। ତାର ୨ ଦିନ ପରେ ଅର୍ଥ।ତ୍ ୩୦ ତରିଖରେ ପୁର୍ନବାର କେନ୍ଦ୍ରାପଡା ଟାଉନ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ ପୋଲିସ ଏହି ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ପୋଲିସଠାରୁ ନିରାଶ ହେବା ପରେ ଜୁଲାଇ ୨୬ ତାରିଖରେ କେନ୍ଦ୍ରାପଡା ଏସଡିଜେଏମ୍ କୋର୍ଟର ଦ୍ବାରସ୍ଥ ହୋଇଥିଲେ ପୀଡିତା। କୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସ ଅଭିଯୋଗ ରେଜିଷ୍ଟର କରିଥିଲା।
ତେବେ ଅଭିଯୋଗ ଅନୁଯାୟୀ ପୀଡିତାଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରୁଥିଲେ ପ୍ରମୋଦ। ଏକୁଟିଆ ନିଜ ଚାମ୍ବରକୁ ଡାକି କୌଶଳରେ ବିଭିନ୍ନ ଅଶ୍ଲୀଳ ଇଙ୍ଗିତ କରୁଥିଲେ । ଏହାସହ ଫୋନ୍ କରି ଖରାପ ବ୍ୟବହାର ଦେଖାଇବା ସହିତ ହ୍ବାଟ୍ସ ଅପ୍ ରେ ଅତି ବ୍ୟକ୍ତିଗତ କଥା ଚାଟ୍ କରୁଥିଲେ। କେବଳ ସେତିକି ନୁହେଁ ଦାମି ଉପହାରର ପ୍ରଲୋଭନ ଦେଖାଇ ତାଙ୍କୁ ହଇରାଣ ହରକତ କରୁଥିଲେ ପ୍ରମୋଦ। ଏନେଇ ଘର ପରିବାର ଅଥବା ବ୍ୟାଙ୍କର ଅନ୍ୟ କୌଣସି କର୍ମଚାରୀଙ୍କୁ ନ କହିବା ପାଇଁ ମଧ୍ୟ କହୁଥିଲେ। ଥରେ ନୁହେଁ ଏମିତି ଅନେକ ଥର ତାଙ୍କୁ ନିଜ କବଜାକୁ ନେବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ଶେଷରେ ତାଙ୍କୁ ଏପ୍ରିଲ ୨୬ ତାରିଖରେ ମାର୍ଶ।ଘାଇ ଶାଖାକୁ ବଦଳି କରି ଦିଆଗଲା। ଏହାର ପ୍ରତିବାଦ କରିବାରୁ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ହଇରାଣ ହରକତ କରାଗଲା। ଶେଷରେ ବାଧ୍ୟ ହୋଇ ଜୁନ୍ ମାସ ୧୬ ତାରିଖରେ ପୀଡିତା ନିଜ ଚାକିରିର ଇସ୍ତଫା ଦେଇଦଲେ।
ଅନ୍ୟପକ୍ଷରେ କେନ୍ଦ୍ରାପଡା ଥାନା ମାମଲା ରୁଜୁ କରି ଚୁପ୍ ବସି ପଡିଲା। ୟା ମଧ୍ୟରେ ପୀଡିତା ମହିଳା କମିଶନ ଓ ମାନବାଧିକାର କମିଶନଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି । କେନ୍ଦ୍ରାପଡା ଏସପି ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟି ନିଜ ପାଖରେ ଥିବା ଅଡିଓ ଓ ସମସ୍ତ ପ୍ରମାଣ ଦେଖାଇଛନ୍ତି । ଶେଷରେ ସପ୍ଟେମ୍ବର ୨୦ରେ କେନ୍ଦ୍ରାପଡା ଡିଏସପି ଅମିତା ପଟ୍ଟନାୟକ କେନ୍ଦ୍ରାପଡା ଟାଉନ୍ ଥାନାରେ ପୀଡିତାଙ୍କ ବୟାନ୍ ରେକର୍ଡ କରିଥିଲେ। କିନ୍ତୁ ଦୁର୍ଭ।ଗ୍ୟ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ପ୍ରମୋଦ ସାହୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେବେ ପ୍ରମୋଦ ସାହୁଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ଥାଇ ସୁଦ୍ଧା ପୋଲିସ ଚୁପ୍ ବସିଛି କାହିଁକି ।
ସେପଟେ କେନ୍ଦ୍ରାପଡା କ୍ରେଡିଟ୍ କୋ ଅଫରେଟିଭ୍ ବ୍ୟାଙ୍କ ସଭାପତି ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । କ୍ୟାମେରା ଆଗରେ କିଛି କହିନଥିଲେ ସୁଦ୍ଧା ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ବ୍ୟାଙ୍କରେ ନାନା ଅନିୟମିତତା ପରେ ସଂପୃକ୍ତ ଯୁବତୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ଏନେଇ ସଂପୃକ୍ତ ଯୁବତୀଙ୍କ ବିରୋଧରେ କେନ୍ଦ୍ରପଡା ଏସ୍ ଡିଜେଏମ୍ ପାଖରେ ଏକ ମାମଲା ହୋଇଛି । ଏହାର ପ୍ରତିଶୋଦ ପରାୟଣ ହୋଇ ସେ ଏପରି ବଦନାମ କରୁଛନ୍ତି ବୋଲି ପ୍ରମୋଦ କହିଛନ୍ତି ।
ସେପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି କେନ୍ଦ୍ରାପଡା ଏସ୍ ପି । ପୀଡିତା ଦେଇଥିବା ଅଡିଓ ସାମ୍ପଲ ଟେଷ୍ଟ ପାଇଁ ଯାଇଛି । ପୀଡିତାଙ୍କ ବୟାନ ରେକର୍ଡ ହୋଇଛି । ଆଡିସନାଲ୍ ଏସପି ରାଙ୍କର ଅଫିସର ତଦନ୍ତ କରୁଛନ୍ତି । ତେବେ ଏତଲାର ୬ ମାସ ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ପଚରା ଯିବାରୁ ସେ କୌଣସି ଉତ୍ତର ରଖିନାହାନ୍ତି ।