କେନ୍ଦ୍ରାପଡ଼ା ଜିଲ୍ଲା ବିଧାୟକମାନଙ୍କ ଦାବି: ହରିଦାସପୁର-ପାରାଦୀପ ଲାଇନ୍‌ରେ ଯାତ୍ରୀ ବାହୀ ଟ୍ରେନ୍ ଚଳାଚଳ ହେଉ

Published By : Prameya-News7 Bureau | August 03, 2020 IST

ଭୁବନେଶ୍ୱର୩/୮: କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ ବର୍ଷର ଆଶା, ଆକାଂକ୍ଷା ଓ ସହଯୋଗ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲା ଏବେ ରେଳମାନ ଚିତ୍ରରେ ଯୋଡ଼ି ହୋଇପାରିଛି। ନବ ନିର୍ମିତ ହରିଦାସପୁର-ପାରାଦୀପ ରେଳ ମାର୍ଗରେ ଅଗଷ୍ଟ ୩୧ତାରିଖରୁ ବିଧିବଦ୍ଧ ଭାବେ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ କରି ସାରିଛି। କିନ୍ତୁ ମାଲବାହୀ ଟ୍ରେନ ସହ ପାସେଞ୍ଜର ଟ୍ରେନ ଚାଲିବ ବୋଲି ଜିଲ୍ଲାବାସୀ ଆଶା କରିଥିଲେ। ତେଣୁ ଏହି ରେଳମାର୍ଗ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ତ୍ୟାଗ, ଭାବାବେଗ ଓ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ଆମେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବିଧାୟକ ଗଣ ଦାବି କରୁଛୁ।

ମାନବ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ରେଳମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଏହି ମାର୍ଗରେ ପାସେଞ୍ଜର ଟ୍ରେନ ଚଳାଇବା ପାଇଁ ଅନୁରୋଧ କରିଛନ୍ତି। ଏପରିକି ଏହି ରେଳମାର୍ଗ ସହ କେନ୍ଦ୍ରାପଡ଼ାବାସୀଙ୍କ ଭାବାବେଗ ଓ ତ୍ୟାଗ ଜଡ଼ିତ ଥିବା ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ଚିଠି ଲେଖି ପାସେଞ୍ଜର ଟ୍ରେନ ଚଳାଚଳ ନିମନ୍ତେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ମାର୍ଗରେ ପାସେଞ୍ଜର ଟ୍ରେନ ଚଳାଚଳର ଉଦଘାଟନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠି ଲେଖି ମଧ୍ୟ ଅନୁରୋଧ କରିଥିଲେ।

ମାତ୍ର ରେଳବାଇ କର୍ତ୍ତୃପକ୍ଷଙ୍କ ଗତ ୩୧ତାରିଖରେ ଏକ ପ୍ରେସ ରିଲିଜ୍ କେନ୍ଦ୍ରାପଡ଼ାବାସୀଙ୍କ ଉଦବେଗକୁ ବଢ଼ାଇ ଦେଇଛି। ଯେଉଁଥିରେ ଅଗଷ୍ଟ ୩୧ତାରିଖରେ ହରିଦାସପୁର-ପାରାଦୀପ ରେଳପଥରେ ପରୀକ୍ଷାମୂଳକ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ କଲା ବୋଲି ଉଲ୍ଲେଖ ଅଛି । ମାତ୍ର ପାରାଦୀପ ଠାରେ ଫ୍ଲାଗଅପ୍ ହେବାର ଫଟୋ ଚିତ୍ର ସହିତ ବିଭାଗୀୟ ଅଧିକାରୀଙ୍କ ଚିଠିରୁ ଏହା ଟ୍ରାଏଲ ଟ୍ରେନ୍ ନଥିବା ସ୍ପଷ୍ଟ ଜଣାପଡ଼ୁଛି।

ଏହି ମାର୍ଗରେ ତରବରିଆ ଭାବେ ସମସ୍ତଙ୍କ ଅଗୋଚରରେ ରେଳବାଇ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ମାଲବାହୀ ଟ୍ରେନ ଚଳାଚଳ କରିବାର ନିଷ୍ପତ୍ତିକୁ କେନ୍ଦ୍ରାପଡ଼ାବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାବାସୀ ଏହି ମାର୍ଗରେ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦୀର୍ଘବର୍ଷ ଧରି ସ୍ୱପ୍ନ ଦେଖି ଆସୁଛନ୍ତି। ଯେଉଁଥିପାଇଁ କେବଳ ମାଲବାହୀ ଟ୍ରେନ ଚଳାଚଳକୁ ବିରୋଧ ହେବା ସ୍ୱାଭାବିକ।

ବିଗତ ଦିନରେ ଏହି ହରିଦାସପୁର-ପାରାଦୀପ ରେଳମାର୍ଗରେ ୩ଥର ଟ୍ରାଏଲ ଟ୍ରେନ୍ ଗଡ଼ିଛି ଓ ଏହି ରେଳ ମାର୍ଗ ଫିଟ୍ ଅଛି ବୋଲି ରେଳବାଇ କର୍ତ୍ତୃପକ୍ଷ ସାର୍ଟିଫିକେଟ୍ ଦେଇଛନ୍ତି। ତେଣୁ କେନ୍ଦ୍ରାପଡ଼ାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଜିଲ୍ଲାର ସମସ୍ତ ବିଧାୟକମାନେ ମଧ୍ୟ ଇଷ୍ଟକୋଷ୍ଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ଭେଟି ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଦେଇଛନ୍ତି। ବିଧାୟକମାନଙ୍କ ସହ ଆଲୋଚନାବେଳେ ବି ଏଯାବତ୍ ପାସେଞ୍ଜର ଟ୍ରେନ ଗଡ଼ିବା ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଇଷ୍ଟକୋଷ୍ଟ୍ ରେଳବାଇ ଜେନେରାଲ ମ୍ୟାନେଜର ସ୍ପଷ୍ଟ କରିଥିଲେ।

ସୂଚନାଯୋଗ୍ୟ, ବିଧାୟକମାନଙ୍କ ସହ ରେଳବାଇ କର୍ତ୍ତୃପକ୍ଷଙ୍କ ଏହି ଆଲୋଚନାର ଭିଡିଓ ରେକର୍ଡିଂ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହି ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳମାର୍ଗ ନିର୍ମାଣ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ଅନେକ କିଛି ତ୍ୟାଗ ରହିଛି। ଜମି,ପାଣିଠୁ ଆରମ୍ଭ କରି ସମସ୍ତ ପ୍ରକାରର ସହଯୋଗ ମଧ୍ୟ ରହିଛି। ଏହି ରେଳମାର୍ଗ ନିର୍ମାଣ ଦ୍ୱାରା ପ୍ରବାଦପୁରୁଷ ବିଜୁବାବୁଙ୍କ ଦୀର୍ଘଦିନର ସ୍ୱପ୍ନ ଆଜି ବହୁବର୍ଷ ପରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ବିଜୁବାବୁଙ୍କ ସମେତ ପ୍ରିୟନେତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କଠୁ ଆରମ୍ଭ କରି ବର୍ତ୍ତମାନର ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସମେତ କେନ୍ଦ୍ରାପଡ଼ାର ବିଗତ ଦିନରେ ଥିବା ଜନପ୍ରତିନିଧି ଓ ବର୍ତ୍ତମାନର ଜନ ପ୍ରତିନିଧିମାନଙ୍କ ଅବଦାନ ରହିଛି ଓ ଏଥିପାଇଁ ଆମେ କୃତଜ୍ଞ।

କେନ୍ଦ୍ରାପଡ଼ାବାସୀ ଆଶା କରିଥିଲେ ଯେ ମାଲବାହୀ ଟ୍ରେନ ସହ ପାସେଞ୍ଜର ଟ୍ରେନ ଗଡ଼ିବ। କିନ୍ତୁ ରେଳବାଇ କର୍ତ୍ତୃପକ୍ଷଙ୍କ ତରବରିଆ ନିଷ୍ପତ୍ତି ଏବେ କେନ୍ଦ୍ରପଡ଼ା ଜିଲ୍ଲାବାସୀଙ୍କ ମନରେ ଅନେକ ଆଶଙ୍କା ଓ ପ୍ରଶ୍ନବାଚୀ ସୃଷ୍ଟି କରାଇଛି। ତେଣୁ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀଙ୍କ ପାଖରେ ବିଶେଷ ଅନୁରୋଧ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ସମ୍ମାନ ଓ କେନ୍ଦ୍ରାପଡ଼ାବାସୀଙ୍କ ଭାବାବେଗକୁ ଗୁରୁତ୍ୱ ଦେଇ ଏହି ମାର୍ଗରେ ପାସେଞ୍ଜର ଟ୍ରେନ୍ ସମ୍ପର୍କିତ ନିଷ୍ପତ୍ତି ନେବା ସହ କେବେସୁଦ୍ଧା ଏହା ଚାଲିବ ତାହା ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇବାକୁ ଆମେ ଜିଲ୍ଲାର ବିଧାୟକଗଣ ଦାବି କରୁଛୁ।
ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ଗଠନମୂଳକ କାର୍ଯ୍ୟରେ ଆମେ ବିଶ୍ୱାସ କରୁ ଓ ଏଥିପାଇଁ ସମସ୍ତ ପ୍ରକାରର ସହଯୋଗ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛୁ। ଆଗାମୀ ଦିନରେ ଜିଲ୍ଲାର ବିକାଶ ଓ ଗଠନମୂଳକ କାର୍ଯ୍ୟ ନିମନ୍ତେ ଯାହା ଆବଶ୍ୟକ ପଡ଼ିବ, ସେଥିରେ ଜିଲ୍ଲାର ବିଧାୟକମାନେ ପୂର୍ଣ୍ଣମାତ୍ରାରେ ସହଯୋଗ ଯୋଗାଇ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.