କେନ୍ଦ୍ରାପଡା ରାଜକନିକାବାସୀଙ୍କ ପାଇଁ ମହଂଗା ପଡିଲା ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ

Published By : Prameya-News7 Bureau | September 03, 2018 IST

କେନ୍ଦ୍ରାପଡା ୩|୯: ସରକାରଙ୍କ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ହୋଇଥିଲା । ଦୁଇମାସ ମାଗଣା ବିଜୁଳି ବତୀ ଜାଳିବା ପରେ ବିଲ୍ ପଇଠ କରିବାକୁ କୁହାଯାଇଥିଲା । ହେଲେ ମିଟର ଲାଗିବା ବଦଳରେ ପହଞ୍ଚିଯାଇଛି ୪ହଜାର ଟଙ୍କାର ବିଲ୍ । ଏହାକୁ ଦେଖି କେନ୍ଦ୍ରାପଡା ରାଜକନିକା ବାସୀଙ୍କ କାନମୁଣ୍ଡା ଝାଇଁ ମାରି ଯାଇଛି । ଦୁଇ ମାସର ମାଗଣା ବିଜୁଳି ଜାଳିବା ଲୋଭ ଦେଖାଇଥିଲେ ବିଦ୍ୟୁତ କର୍ମଚାରୀ ।ମିଟର ଲାଗିଲେ ବିଲ୍ ପଇଠ କରିବାକୁ ପଡିବ ବୋଲି କୁହାଯାଇଥିଲା । ହେଲେ ସରକାରଙ୍କ ସୌଭାଗ୍ୟ ଯୋଜନା ଏବେ କିପରି ଗ୍ରାହକଙ୍କ ପାଇଁ ଗଳାର ଫନ୍ଦା ପାଲଟି ଯାଇଛି, ତାହା କେନ୍ଦ୍ରାପଡା ରାଜକନିକାର ଲୋକଙ୍କ କଥା ଶୁଣିଲେ ବୁଝିହେବ । ବିଜୁଳି ଆଲୁଅର ସ୍ବପ୍ନ ଦେଖୁଥିବା ଏହି ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ବୋଝ ପାଲଟି ଯାଇଛି । କାରଣ ବିଜୁଳି କର୍ମଚାରୀ ହାତରେ ଧରାଇ ଦେଇଛନ୍ତି ୩୯୪୪ଟଙ୍କାର ବିଲ୍ । ଦୁଇମାସ ତଳେ ବିଦ୍ୟୁତ ବିଭାଗର ଏକ ଟିମ ଯାଇ କନେକସନ୍ ଦେଇଥିଲେ । ମାସେ ମାଗଣା ବିଜୁଳି ଜାଳିବା ପରେ ମିଟର ଲାଗିବ ଏବଂ ମିଟର ଅନୁଯାୟୀ ବିଲ୍ ପଇଠ କରିବାକୁ କହି ଯାଇଥିଲେ । ମିଟର ତ ଲାଗିଲାନି, ଏଣେ ଝଟକା ଦେବାକୁ ଆସି ଯାଇଥିଲା ବିଲ୍ । ବିଲ୍ ଝଟକା ଖାଇ ହିତାଧିକାରୀଙ୍କ ମୁଣ୍ଡ ଖରାପ । ବିଦ୍ୟୁତ ବିଭାଗର ଏ ଅଫିସ ସେ ଅଫିସ ଦୌଡିବା ପରେ ବି କିଛି ହୋଇନି । ତେବେ ସେସୁ ସହକାରୀ ଯନ୍ତ୍ରୀ କହିଛନ୍ତି, ଭୟ କରିବାର କିଛି କାରଣ ନାହିଁ ମିଟର ବସିଲେ ସବୁ ଠିକ ହୋଇଯିବ । ଏତେ ବର୍ଷ ପରେ ବିଜୁଳି ଆଲୁଅ ଦେଖିଥିଲେ, ହେଲେ ଏମିତି ଝଟକା ଲାଗିବ ବୋଲି ଜାଣିନଥିଲେ ରାଜକନିକା ଅଞ୍ଚଳର ବିଭିନ୍ନ ଗାଁ ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.