ପୋଷ୍ଟରରେ ଫଟୋ ନଥିବାକୁ ନେଇ କେନ୍ଦ୍ରାପଡ଼ା ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ

Published By : Prameya-News7 Bureau | March 06, 2019 IST

କେନ୍ଦ୍ରାପଡ଼ା ୬/୩: ପୋଷ୍ଟର କି ବ୍ୟାନରରେ ଗୋଟେ ଫଟୋ ଆଉ ସଭାରେ ଖଣ୍ଡେ ଚୌକି ନମିଳିଲେ ଯାହାଙ୍କୁ ବାଧେ ସିଏ ହେଉଛନ୍ତି ଏବେର ନେତା । ଆଉ ଏତକ ନହେଲେ ନିଜ ସମର୍ଥକଙ୍କୁ ଲଗାଇ ଆରମ୍ଭ କରିଦିଅନ୍ତି ହୋ-ହଲ୍ଲା । ତେଣେ ଦଳ ପଛେ ବଦନାମ ହେଉ ସେଥିରେ କିଛି ଯାଏ ଆସେ ନାହିଁ । କେନ୍ଦ୍ରାପଡ଼ା ବିଜେପିରେ ଏବେ ଏମିତି କିଛି ଚିତ୍ର ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ହେଲେ ମଙ୍ଗୁଆଳଙ୍କ ଯୁକ୍ତି ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି, ଥରେ ପ୍ରାର୍ଥୀ ଘୋଷଣା ହୋଇଗଲେ ସବୁ ଠିକ୍ ହୋଇଯିବ । …..
ଦଳୀୟ ପୋଷ୍ଟର ତଳେ ଚାଲିଛି ହୋ-ହଲ୍ଲା । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରାପଡ଼ା ବିଜେପିର ଦୁଇ ଗୋଷ୍ଠୀ । ପୋଷ୍ଟରରେ ନେତାଙ୍କ ଫଟୋ କାହିଁକି ନାହିଁ କହି ଗର୍ଜୁଛନ୍ତି ସମର୍ଥକ । ଆଉ ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି ମଙ୍ଗୁଆଳ । ଖାଲି ଏଇ ଗୋଟିଏ ଘଟଣା ନୁହେଁ ଏକାଧିକ ବାର କେନ୍ଦ୍ରାପଡ଼ାରେ ବିଭିନ୍ନ ସ୍ଥାନରେ ବିଜେପି ନେତା ଓ କର୍ମୀଙ୍କ ଭିତରେ ଏମିତି ବିଶୃଙ୍ଖଳା ସାମ୍ନାକୁ ଆସିଛି । ଗଲା ଫେବ୍ରୁଆରିରେ ପୋଷ୍ଟରରେ ଫଟୋ ନଥିବାକୁ ନେଇ ସଭାସ୍ଥଳରେ ଦୁଇ ନାରୀ ନେତ୍ରୀ ଓ ତାଙ୍କ ସମର୍ଥକଙ୍କ ଭିତରେ କଥାକଟାକଟି ତୀବ୍ର ରୂପ ଧାରଣ କରିଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ସମର୍ଥକଙ୍କ ହଙ୍ଗାମା ପରେ ଜଣେ ନେତ୍ରୀ ସଭାସ୍ଥଳ ଛାଡ଼ି ଚାଲିଯାଇଥିଲେ । ନିର୍ବାଚନ ଯୁଦ୍ଧ ପୂର୍ବରୁ ଦଳର ସିପାହୀଙ୍କ ଭିତରେ ଏଭଳି ଝାମେଲାକୁ କେମିତି ନିୟନ୍ତ୍ରଣ କରାଯିବ ସେନେଇ ମଙ୍ଗୁଆଳଙ୍କ ଚିନ୍ତା ମଧ୍ୟ କିଛି କମ୍ ନାହିଁ । ପଚାରିଲେ କହୁଛନ୍ତି ସମୟ ପୂର୍ବରୁ ସବୁ ଠିକ୍ ହୋଇଯିବ ।
ନିର୍ବାଚନକୁ ନଜରରେ ରଖି ଦଳରେ ନିଜର ପତିଆରା ବଢ଼ାଇବା ଚକ୍କରରେ ମାତିଛନ୍ତି ନେତା । ହେଲେ ଗୋଷ୍ଠୀଗତ ଭାବେ ପତିଆରା ପ୍ରଦର୍ଶନ ଦଳୀୟ ବିଶୃଙ୍ଖଳାକୁ ପଦାରେ ପକାଉଛି । ଯାହାକୁ ପରୋକ୍ଷରେ କିଛି ନେତା ସ୍ବୀକାର ମଧ୍ୟ କରୁଛନ୍ତି ।
ନିର୍ବାଚନ ପୂର୍ବରୁ ପ୍ରାୟ ସବୁ ଦଳରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ଏହାର ଏକମାତ୍ର କାରଣ ହେଲା ଆଉ କେହି ସେନା ହେବାକୁ ଚାହୁଁନାହାନ୍ତି ସେନାପତି ହେବା ସମସ୍ତଙ୍କ ଇଚ୍ଛା । ଆଉ ଯେଉଁ ଦଳରେ ମାଳ ମାଳ ସେନାପତି ସେଇ ଦଳରେ ଏମିତି ବିଶୃଙ୍ଖଳା ହେବା ସ୍ବାଭାବିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.