ଫ୍ରି ଅଯୋଧ୍ୟା ଯାତ୍ରା ପରେ କେଜ୍ରିଓ୍ଵାଲଙ୍କ ନୂତନ ଘୋଷଣା, ଏବେ ଶିଖ୍ ଏବଂ ଖ୍ରୀଷ୍ଟିୟାନଙ୍କୁ ଦେଲେ ଏହି ଉପହାର

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଲୀ ୨୬।୧୧: ଅଯୋଧ୍ୟାକୁ ମୁକ୍ତ ତୀର୍ଥ ଯାତ୍ରାର ପ୍ରତିଶ୍ରୁତି ପରେ ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ଵାଲ ସରକାର ଏବେ ଆଉ ଏକ ବଡ ଘୋଷଣା କରିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି, ଦିଲ୍ଲୀରୁ କରତାରପୁର ସାହିବ ଏବଂ ଭେଲନକନ୍ନିରେ ଶିଖ ଏବଂ ଖ୍ରୀଷ୍ଟିୟାନ ସମୁଦାୟଙ୍କୁ ମୁକ୍ତ ତୀର୍ଥଯାତ୍ରା ପ୍ରଦାନ କରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, କରତାରପୁର ସାହିବ ପାଇଁ ଯାତ୍ରୀଙ୍କ ପ୍ରଥମ ଦଳ ୨୦୨୨ ଜାନୁଆରୀ ୫ରେ ଦିଲ୍ଲୀରୁ ଡିଲକ୍ସ ବସ୍‌ରେ ଯାତ୍ରା କରିବେ। ଭେଲନକନ୍ନି ପାଇଁ ପ୍ରଥମ ଟ୍ରେନ ୨୦୨୨ ଜାନୁଆରୀ ୭ରୁ ଯାତ୍ରା ଆରମ୍ଭ କରିବ।

ନିକଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀର ବୃଦ୍ଧ ବ୍ୟକ୍ତିଙ୍କୁ ତୀର୍ଥ ଯାତ୍ରା ତାଲିକାରେ ସାମିଲ୍ କରିଥିଲେ। ଏବେ କରତାରପୁର ସାହିବ ଏବଂ ଭେଲନକନ୍ନିକୁ ମୁକ୍ତ ତୀର୍ଥଯାତ୍ରାରେ ସାମିଲ୍ କରିବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ରାଜସ୍ଵ ମନ୍ତ୍ରୀ କୈଳାଶ ଗେହଲଟ୍‌ ଶୁକ୍ରବାର କହିଛନ୍ତି, ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ ସହିତ ଦିଲ୍ଲୀ-ଅଯୋଧ୍ୟା-ଦିଲ୍ଲୀ ମାର୍ଗରେ  ଟ୍ରେନକୁ ସବୁଜ ପତାକା ଦେଖାଇବା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅଯୋଧ୍ୟା ପାଇଁ ପ୍ରଥମ ଟ୍ରେନକୁ ଡିସେମ୍ବର ୩ରେ ସବୁଜ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ।

କାର୍ଯ୍ୟାଳୟ ଅନୁଯାୟୀ, କୌଣସି ବି ବ୍ୟକ୍ତି ଯିଏ ଦିଲ୍ଲୀ ବାସିନ୍ଦା ଏବଂ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ଵ, ସେମାନେ ନିଜର ଆର୍ଥିକ ସ୍ଥିତି ନଦେଖି ଅନାୟସରେ ଯୋଜନା ଆଧାରରେ ଆବେଦନ କରି ପାରିବେ। ଏଥିସହ ତାଙ୍କ ସହ ୨୧ ବର୍ଷରୁ ଅଧିକ ବୟସର ଜଣେ ସହାୟକଙ୍କୁ ସାଥିରେ ନେଇ ପାରିବେ। ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନା ୨୦୧୯ ଜୁଲାଇ ୧୨ରୁ କେଜ୍ରିଓ୍ଵାଲଙ୍କ ଦ୍ଵାରା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ଦିଲ୍ଲୀ ସରକାର ଦିଲ୍ଲୀର ବରିଷ୍ଠ ନାଗରିକଙ୍କୁ ମାଗଣା ତୀର୍ଥଯାତ୍ରା ପ୍ୟାକେଜ୍ ପ୍ରଦାନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.