Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେଜ୍ରିଓ୍ଵାଲ କହିଲେ- ସିଙ୍ଗାପୁର ସହ ତୁରନ୍ତ ବିମାନ ସେବା ରଦ୍ଦ କରାଯାଉ, ହରଦୀପ ପୁରୀଙ୍କ ଜବାବ- ଉଡାଣ ଗତ ବର୍ଷରୁ ହିଁ ବନ୍ଦ ଅଛି

18/05/2021 at 9:25 PM

ନୂଆଦିଲ୍ଲୀ ୧୮।୦୫: ସିଙ୍ଗାପୁରରେ କରୋନା ଭାଇରସ୍‌ର ନୂତନ ଷ୍ଟ୍ରେନର ପ୍ରକୋପକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସିଙ୍ଗାପୁର ସହ ସମସ୍ତ ଉଡାଣ ରଦ୍ଦ କରିବାକୁ ଦାବି କରିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି, ସିଙ୍ଗାପୁରର ନୂତନ ଷ୍ଟ୍ରେନ ଭାରତରେ ତୃତୀୟ ଲହରର କାରଣ ହୋଇପାରେ। ତେଣୁ କେନ୍ଦ୍ର ସରକାର ତତ୍କାଳ ପ୍ରଭାବରୁ ସିଙ୍ଗାପୁର ସହ ବିମାନ ସେବା ବାତିଲ୍ କରନ୍ତୁ। ଏହା ଉପରେ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଜବାବ ଆସିଛି। ମନ୍ତ୍ରୀ କହିଛନ୍ତି, ଗତ ବର୍ଷ ମାର୍ଚ୍ଚ ମାସରୁ ହିଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। ସିଙ୍ଗାପୁର ସହ ଏୟାର ବବଲ ମଧ୍ୟ ନାହିଁ।

ହରଦୀପ ପୁରୀ ଟୁଇଟ୍ କରି କହିଛନ୍ତି, କେଜ୍ରିଓ୍ଵାଲ ଜୀ, ୨୦୨୦ ମାର୍ଚ୍ଚରୁ  ହିଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। ସିଙ୍ଗାପୁର ସହ ମଧ୍ୟ ଏୟାର ବବଲ ନାହିଁ। କେବଳ କିଛି ବନ୍ଦେ ଭାରତ ଉଡାଣରେ ଆମେ ସେଠାରେ ଫସିଥିବା ଭାରତୀୟଙ୍କୁ ସ୍ଵଦେଶ ଫେରାଇ ଆଣୁଛୁ। ସେମାନେ ଆମ ନିଜ ଲୋକ। ତଥାପି ସ୍ଥିତି ଉପରେ ଆମେ ନଜର ରଖିଛୁ। ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ପୁରୀ କହିଛନ୍ତି।

ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ,  ସିଙ୍ଗାପୁରରେ କରୋନାର ନୂତନ ରୂପ ପିଲାଙ୍କ ପାଇଁ ବହୁତ ବିପଦଜ୍ଜନକ ରହିଛି। ଭାରତରେ ଏହା ତୃତୀୟ ଲହରର କାରଣ ସାଜିପାରେ। କେନ୍ଦ୍ରକୁ ମୋର ଅପିଲ୍ ସିଙ୍ଗାପୁର ସହ ତତ୍କାଳ ପ୍ରଭାବରୁ ବିମାନ ସେବା ରଦ୍ଦ କରାଯାଉ। ଦ୍ଵିତୀୟତଃ ପିଲାଙ୍କ  ଟିକାକରଣ ବିକଳ୍ପ ଉପରେ ପ୍ରାଥମିକତା ଆଧାରରେ କାମ କରାଯାଉ।

   Related Posts