ପରୀକ୍ଷା ହଲ୍ ପାଲଟି ଯାଇପାରେ ହଟସ୍ପଟ୍, ଆଶଙ୍କା କଲେ କେଜ୍ରିଓ୍ୱାଲ, ସିବିଏସଇ ପରୀକ୍ଷା ବାତିଲ କରିବା ପାଇଁ କଲେ ନିବେଦନ

Published By : Prameya-News7 Bureau | April 13, 2021 IST

ନୂଆଦିଲ୍ଲୀ,୧୩/୦୪:  ସାରା ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ରାଜଧାନୀ ଦିଲ୍ଲୀରେ ଅଣାୟତ ହୋଇପଡିଛି କରୋନା ସ୍ଥିତି । ଏହାମଧ୍ୟରେ କେନ୍ଦ୍ର ସରକାର ସିବିଏସଇ ପରୀକ୍ଷା କରିବାକୁ ଯାଉଛନ୍ତି । ପରୀକ୍ଷା ବେଳେ ସମସ୍ତ ଗାଇଡଲାଇନ୍ ପାଳନ ହେବେ ଓ ସୁରକ୍ଷିତ ଭାବେ ଆୟୋଜନ ନେଇ ସରକାର କହୁଥିଲେ ମଧ୍ୟ ଅନେକଙ୍କ ମନରେ ଭୟ ରହିଛି । ଏହାମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ, ଦିଲ୍ଲୀ ସରକାର କରୋନାକୁ ନେଇ ସତର୍କ ଅଛନ୍ତି । ଏହାସହ ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ପିଲାଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସିବିଏସଇ ପରୀକ୍ଷାରେ ୬ ଲକ୍ଷ ପିଲା ବସିବେ । ୧ ଲକ୍ଷ ଶିକ୍ଷକ ପରୀକ୍ଷା ଦାୟିତ୍ୱରେ ରହିବେ  । ଯଦି ସୁରକ୍ଷାକୁ ଦୃଷ୍ଟି ନ ଦିଆଯାଏ ତେବେ ପରୀକ୍ଷା କେନ୍ଦ୍ର ହିଁ ହଟସ୍ପଟ୍ ହୋଇଯିବ । ଏହାସହ ସିବିଏସଇ ପରୀକ୍ଷାକୁ ରବ୍ଦ କରିବାକୁ ସେ କହିଛନ୍ତି । ଏହା ବଦଳରେ ଅନଲାଇନ୍ ପରୀକ୍ଷା କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନେ ବିଭିନ୍ନ କାରଣରୁ ଘରୁ ବାହାରକୁ ଯାଉଛନ୍ତି । ଏବେ କିନ୍ତୁ କେବଳ ଅଧିକ ଦରକାର ହେଲେ ବାହାରିବା ଆବଶ୍ୟକ । ବାହାରିବା ପରେ ସମସ୍ତ କରୋନା ପ୍ରୋଟୋକଲ ମାନିବା ଦରକାର । କାରଣ ଆମ ସୁରକ୍ଷା ଆମ ହାତରେ ହିଁ ଅଛି । ଏହାସହ ଯେଉଁମାନେ ୪୫ ବର୍ଷରୁ ଅଧିକ ତୁରନ୍ତ ଭାକସିନ୍ ନେବାକୁ ସେ ଅନୁରୋଧ କରିଛନ୍ତି । ଲକଡାଉନରୁ ବର୍ତ୍ତିବା ପାଇଁ ଗାଇଡଲାଇନ୍ ପାଳନ କରିବା ଜରୁରୀ । କିଛି ସରକାରୀ ଓ ଘରୋଇ ହସ୍ପିଟାଲରୁ କୋଭିଡ୍ ହସ୍ପିଟାଲ ଭାବେ ଘୋଷଣା କରାଯାଇଛି । ଏହାସହ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ପ୍ଲାଜମା ଦାନ କରନ୍ତୁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.