Lockdownରେ ୫ ହଜାର ଗେଷ୍ଟ ଟିଚରଙ୍କୁ ଛଟେଇ କରିଛନ୍ତି କେଜରିୱାଲ ସରକାର: ଆଦେଶ କୁମାର ଗୁପ୍ତା

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮।୧୦: ଭାରତୀୟ ଜନତା ପାର୍ଟି (ବଜେପି) ଦିଲ୍ଲୀର କେଜରିୱାଲ ସରକାରଙ୍କ ଶିକ୍ଷା ମଡେଲ ଉପରେ ପ୍ରଶ୍ନ ଉଠାଇଛି। ଆମ ଆଦମୀ ପାର୍ଟି ସରକାର ରାଜଧାନୀ ଦିଲ୍ଲୀର  ଶିକ୍ଷାବ୍ୟବସ୍ଥା ସହିତ ଖେଳୁଥିବାର ବିଜେପି ଅଭିଯୋଗ ଆଣିଛି। ବିଜେପି ପ୍ରଦେଶ ସଭାପତି ଆଦେଶ କୁମାର ଗୁପ୍ତା ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜରୀୱାଲ ଜନତାଙ୍କ କଷ୍ଟାର୍ଜିତ ଅର୍ଥରେ ଶିକ୍ଷାବ୍ୟବସ୍ଥା ନେଇ ଯେଉଁ ବଡବଡ ବିଜ୍ଞାପନ କରୁଛନ୍ତି ତାର ବାସ୍ତବିକତା ସମ୍ପୂର୍ଣ୍ଣ ବିପରୀତ ବୋଲି କହିଛନ୍ତି।

ଗୁପ୍ତା କହିଛନ୍ତି ଯେ ଦିଲ୍ଲୀର ବିଭିନ୍ନ ବିଦ୍ୟାଳୟରେ ୩୦ ହଜାର ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେବେ କରୋନାଭାଇରସ ମହାମାରୀ କାଳରେ ମୁଖ୍ୟମନ୍ତ୍ରୀ ୫ହଜାର ୬ଶହ ଶିକ୍ଷକଙ୍କୁ ଅବସର ପ୍ରଦାନ କରିଥିବା ବେଳେ ୫ ହଜାର ଗେଷ୍ଟ ଟିଚରଙ୍କୁ ଛଟେଇ କରିଛନ୍ତି। ଶିକ୍ଷାକ୍ଷେତ୍ରରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ସରକାର ଏପର୍ଯ୍ୟନ୍ତ ପୂରଣ ମଧ୍ୟ କରି ନାହାନ୍ତି। ଏହା  କେଜରିୱାଲଙ୍କ ଶିକ୍ଷା ମଡେଲର ବାସ୍ତବିକତା ବୋଲି ଗୁପ୍ତା କହିଛନ୍ତି।

କେବଳ ଏତିକି ନୁହେଁ ରାଜଧାନୀ ଦିଲ୍ଲୀରେ   ଫାଇନାନସଡ କଲେଜ ପରିଚାଳନାରେ ମଧ୍ୟ ଗୁରୁତର ଅବହେଳା ହେଉଥିବାର ଗୁପ୍ତା ଅଭିଯୋଗ ଆଣିଛନ୍ତି। ଯଦି ସରକାର ଏଭଳି କଲେଜମାନଙ୍କର ପରିଚାଳନା କରିପାରୁନାହାନ୍ତି ତେବେ କେନ୍ଦ୍ର ସରକାରଙ୍କୁ କାହିଁକି ହସ୍ତାନ୍ତରିତ କରିଦେଉ ନାହାନ୍ତି ବୋଲି ଗୁପ୍ତା ପ୍ରଶ୍ନ କରିଛନ୍ତି। ପ୍ରଦେଶ ବିଜେପି ସଭାପତି କହିଛନ୍ତି ଯେ କୋଟି କୋଟି ଟଙ୍କାର ବିଜ୍ଞାପନ ଲାଗି ଦିଲ୍ଲୀ ସରକାରଙ୍କ ପାଖରେ ଟଙ୍କା ଅଛି ହେଲେ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ଦେବାକୁ ଟଙ୍କା ନାହିଁ।

କେବଳ ଗୋଟିଏ ବା ୨ଟି ସ୍କୁଲ ମଡେଲ ଉଲ୍ଳେଖ କରିବା ଓ ଦେଖାଇବା ପର୍ଯ୍ୟାପ୍ତ ନୁହେଁ, ସମସ୍ତ ସ୍କୁଲର ପରିଚାଳନା ଏକା ପ୍ରକାର ହେବା ଦରକାର ଭୋଲି ଗୁପ୍ତା ଦାବି କରିଛନ୍ତି। ଏହା ଛଡା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜିକାଲି ଜନସମସ୍ୟା ସମ୍ପର୍କିତ ପ୍ରସଙ୍ଗରେ ମିଛ କହୁଛନ୍ତି। ତାଙ୍କ ମନ୍ତ୍ରୀମାନେ ମଧ୍ୟ ତାଙ୍କଠାରୁ ମିଛ କହିବା ଶିଖିଗଲେଣି ବୋଲି ଅଭିଯୋଗ କରିଛନ୍ତି ଗୁପ୍ତା।  

ଦିଲ୍ଲୀ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ବେତନ ଓ ପବ୍ଲିକ ସ୍କୁଲମାନଙ୍କରେ ପଢୁଥିବା ବିପିଏଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ଯଦି କେଜରିୱାଲ ସରକାର ତୁରନ୍ତ ପୈଠ ନ କରନ୍ତି ତେବେ ଦିଲ୍ଲୀରେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସତର୍କ କରାଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.