ସାର ଗଙ୍ଗାରାମ ହସ୍ପିଟାଲ ବିରୋଧରେ ଏତଲା ରୁଜୁ କଲେ କେଜରୀୱାଲ ସରକାର

Published By : Prameya-News7 Bureau | June 06, 2020 IST

ନୂଆଦିଲ୍ଲୀ ୬।୬: ଅରବିନ୍ଦ କେଜରୀୱାଲ ସରକାରଙ୍କ ଅଭିଯୋଗ ଆଧାରରେ ସାର ଗଙ୍ଗାରାମ ହସ୍ପିଟାଲ ବିରୋଧରେ ଏତଲା ରୁଜୁ କରିଛି ପୋଲିସ। କରୋନା ଭାଇରସ ଯାଞ୍ଚ ଲାଗି ନମୁନା ସଂଗ୍ରହରେ ହସ୍ପିଟାଲ ଆରଟି-ପିସିଆର ଆପ୍‌ର ବ୍ୟବହାର କରୁନଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ରେଜିଷ୍ଟ୍ରେଡ କରିଥିବା ଜଣାପଡିଛି।

ସୂଚନା ଯୋଗ୍ୟଯେ ରାଜଧାନୀ ଦିଲ୍ଲୀର ଏହି ବୃହତ୍ତ ଘରୋଇ ହସ୍ପିଟାଲ କୋଭିଡ-୧୯ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।  ତେବେ ହସ୍ପିଟାଲ ସଂକ୍ରାମକ ରୋଗ ଅଧିନିୟମ ଆଇନ ୧୮୯୭ ଅନୁସାରେ ଦିଆଯାଇଥିବା ନିର୍ଦ୍ଦେଶନାମାର ପାଳନ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ଗଙ୍ଗାରାମ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

ପୂର୍ବରୁ କୋଭିଡ-୧୯ ରୋଗୀଙ୍କୁ ହସ୍ପିଟାଲରେ ଆଡମିଟ୍ ନ କରିବା ଓ ହସ୍ପିଟାଲ ବେଡ୍ କଳାବଜାରି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲେ। ଏବେ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ସମସ୍ତ ହସ୍ପିଟାଲ ଲାଗି ଜଣେ ମେଡିକାଲ ପ୍ରଫେସନାଲ ନିଯୁକ୍ତି କରିବେ ବୋଲି କହିଛନ୍ତି। କୋଭିଡ-୧୯ ରୋଗୀଙ୍କ ଲାଗି ହସ୍ପିଟାଲରେ ଉପଲବ୍ଧ ବେଡ୍ ନେଇ ଅଧିକାରୀକ ଆପ୍‌ରେ ପ୍ରଫେସନାଲ ସୂଚନା ଉପଲବ୍ଧ କରିବେ। ସେହିପରି କରୋନା ସଂକ୍ରମିତଙ୍କୁ ଆଡମିଟ୍ କରିବେ ନାହିଁ ବୋଲି କୌଣସି ହସ୍ପିଟାଲ ଆଗକୁ ଯେପରି ମନା ନ କରିପାରନ୍ତି ସେଥିଲାଗି ଆଇନ ଆଣିବେ ବୋଲି ମଧ୍ୟ କେଜରିୱାଲ ଚେତାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.