ନୂଆଦିଲ୍ଲୀ ୦୭/୦୬ : ଦେଶର ରାଜଧାନୀ ଦିଲ୍ଲୀରେ ମଦ ପ୍ରେମୀଙ୍କ ପାଇଁ ଖୁସି ଖବର | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ଉପରେ ଲାଗୁ ହୋଇଥିବା ୭୦ ପ୍ରତିଶତ ବିଶେଷ କରୋନା ଟ୍ୟାକ୍ସ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି | ଜୁନ ୧୦ ତାରିଖରୁ ମଦ ଉପରୁ ୭୦ ପ୍ରତିଶତ କରୋନା ଟ୍ୟାକ୍ସ ହଟାଇ ଦିଆଯିବ | ଏହାସହ ୭୦ ପ୍ରତିଶତ ଟ୍ୟାକ୍ସ ହଟାଇବା ସହ ଭାଟ ବଢାଇବା ପାଇଁ ଘୋଷଣା କରିଛନ୍ତି | ବର୍ତ୍ତମାନ ମଦ ଉପରେ ୫ ପ୍ରତିଶତ ଅତିରିକ୍ତ ଭାଟ ଆଦାୟ କରାଯିବ | ବର୍ତ୍ତମାନ ୨୦ ପ୍ରତିଶତ ଭାଟ ଲାଗୁଛି, ଏହାକୁ ବଢ଼ାଇ ୨୫ ପ୍ରତିଶତ କରାଯିବ | ତେବେ ୭୦ ପ୍ରତିଶତ କରୋନା ଟ୍ୟାକ୍ସ ଏମଆରପି ଉପରେ ଲଗାଯାଇଛି |
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ ମଦ ଉପରେ ଲାଗୁ ହୋଇଥିବା ୭୦ ପ୍ରତିଶତ ବିଶେଷ କରୋନା ଟ୍ୟାକ୍ସକୁ ହଟାଇବା ପାଇଁ ଘୋଷଣା କରିଛନ୍ତି | ଲକଡାଉନ ଯୋଗୁଁ ଦିଲ୍ଲୀର ଅର୍ଥ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା | ଅବସ୍ଥା ଏତେ ଶୋଚନୀୟ ହୋଇପଡିଲା ଯେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ମୁସକିଲ ହୋଇଯାଇଥିଲା | ଏହାକୁ ଦେଖି ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ୫ ହଜାର କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ମାଗିଥିଲେ | ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ସୋମବାର ଠାରୁ ଦିଲ୍ଲୀରେ ସମସ୍ତ ରେସ୍ତୋରାଁ, ସପିଙ୍ଗ ମଲ, ଧାର୍ମିକ ସ୍ଥଳ ଖୋଲାଯିବ | କିନ୍ତୁ ସବୁଜାଗାରେ ସାମାଜିକ ଦୂରତା ପାଳନ କରାଯିବ | କିନ୍ତୁ ହୋଟେଲ ଓ ବଙ୍କେଟ ହଲ ବନ୍ଦ ରହିବ | ହୋଟେଲ ଓ ବଙ୍କେଟ ହଲ ଖୋଲିବାକୁ ବର୍ତ୍ତମାନ ଅନୁମତି ଦିଆଯାଇନାହିଁ |
ଏହାସହ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ହସ୍ପିଟାଲର ସମସ୍ତ ବେଡ଼ ଦିଲ୍ଲୀବାସୀଙ୍କ ପାଇଁ ସୁରକ୍ଷିତ ରଖାଯିବ | କିନ୍ତୁ କେନ୍ଦ୍ର ଅନ୍ତର୍ଗତ ହସ୍ପିଟାଲରେ ଦିଲ୍ଲୀ ବାହାରର ରୋଗୀଙ୍କ ପାଇଁ ବେଡ଼ ଉପଲବ୍ଧ ରହିବ | ସେ କହିଛନ୍ତି, ଗତ ସପ୍ତାହରେ ସେ ଦିଲ୍ଲୀବାସୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଦିଲ୍ଲୀ ହସ୍ପିଟାଲ ସବୁ ରାଜ୍ୟ ପାଇଁ ଖୋଲିବା ଉଚିତ କି ? ପାଖାପାଖି ୯୦ ପ୍ରତିଶତ କହିଥିଲେ ଯେ, ଯେପର୍ଯ୍ୟନ୍ତ କରୋନା ରହିଛି ସେପର୍ଯ୍ୟନ୍ତ ଦିଲ୍ଲୀ ହସ୍ପିଟାଲ ଦିଲ୍ଲୀବାସୀଙ୍କ ପାଇଁ ଆରକ୍ଷିତ ରହିବ ଉଚିତ | ଆସନ୍ତାକାଲି ସୋମବାର ଠାରୁ ଦିଲ୍ଲୀ ସୀମା ଖୋଲାଯିବ ବୋଲି କେଜ୍ରିୱାଲ କହିଛନ୍ତି | କ୍ୟାବିନେଟ ବୈଠକରେ କମିଟି ଓ ଲୋକଙ୍କ ପରାମର୍ଶ ଅନୁସାରେ ଏହିଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି |