କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ: ସଂକ୍ରମଣ ବୃଦ୍ଧି ପାଇଁ ପ୍ରଦୂଷଣକୁ ଦାୟୀ କଲେ କେଜ୍ରିଓ୍ଵାଲ, ଜିଏସଟି ବକେୟା ଦାବି କଲେ ମମତା

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪।୧୧: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ସ୍ଥିତି ସଙ୍କଟ ଆଡକୁ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି।

ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ନିଜ ନିଜ ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ଦେଶରେ ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ, ହରିୟାଣା ଓ ଗୁଜରାଟ ଏହି ଆଠ  ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ଘଟିଛି।

ବୈଠକର ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅଚାନକ କରୋନା ବୃଦ୍ଧି ନେଇ ପ୍ରଦୂଷଣକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ନଭେମ୍ଵର ୧୦ରେ ରାଜଧାନୀ ଦିଲ୍ଲୀରେ ଅଚାନକ ଗୋଟିଏ ଦିନରେ ୮,୬୦୦ ନୂତନ କେସ୍ ସାମ୍ନାକୁ ଆସିଲା। କିନ୍ତୁ ସକ୍ରିୟ କେସ୍‌ ସଂଖ୍ୟାରେ ହ୍ରାସ ଘଟୁଥିବା କେଜ୍ରିଓ୍ଵାଲ କହିଛନ୍ତି।

କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କେନ୍ଦ୍ର ସରକାରଙ୍କଠାରେ ଅତିରିକ୍ତ ୧୦୦୦ ଆଇସିୟୁ ବେଡ୍ ଯୋଗାଇ ଦେବାକୁ ଦାବି କରିଛନ୍ତି। ବୈଠକରେ ଆଲୋଚନା ବେଳେ କେଜ୍ରିଓ୍ଵାଲ ତଥ୍ୟ ଉପସ୍ଥାପନ କରି କହିଛନ୍ତି, ରାଜଧାନୀ ଦିଲ୍ଲୀରେ ଗତ ଗୋଟିଏ ସପ୍ତାହରେ ହାରାହାରି ୧୧୧ ଜଣଙ୍କ ମୃତ୍ୟୁ ଘଟିଛି। ଗତ ଶେଷ ସପ୍ତାହରେ ମହାରାଷ୍ଟ୍ରରେ ହାରାହାରି ୯୩ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ସେହିପରି ରାଜସ୍ଥାନରେ ଗତ ସପ୍ତାହରେ କରୋନା ସଂକ୍ରମଣରେ ୨୧ ପ୍ରତିଶତ ବୃଦ୍ଧି ଘଟିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଏଥିସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, ନିତି ଆୟୋଗ ସଦସ୍ୟ ଭିକେ ପଲ, କ୍ୟାବିନେଟ୍ ସଚିବ ଓ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ମଧ୍ୟ ବୈଠକ ସମୟରେ ଉପସ୍ଥିତ ଥିଲେ।

ମିଟିଂ ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ, କୋଭିଡ୍‌ରେ ରାଜ୍ୟର ଏମିତି ସ୍ଥିତି ଅନ୍ୟ ଦେଶ ସହିତ ଅନ୍ତରାଷ୍ଟ୍ରୀୟ ସୀମା କାରଣରୁ ହୋଇଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ବାନାର୍ଜୀ ବୈଠକରେ କେନ୍ଦ୍ରର ରାଜ୍ୟଗୁଡିକୁ ଦେବାକୁ ଥିବା ଜିଏସଟି ବକେୟା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।

ବୈଠକ ପୂର୍ବରୁ ରାଜସ୍ଥାନ ସରକାର ମାସ୍କ ନପିନ୍ଧିଲେ ଆଦାୟ ହେଉଥିବା ଜୋରିମାନା ରାଶିରେ ବୃଦ୍ଧି କରିଛନ୍ତି। ସାର୍ବଜନୀନ ସ୍ଥାନରେ ମାସ୍କ ନପିନ୍ଧିଥିଲେ ୫୦୦ ଟଙ୍କା ଜୋରିମାନା ଆଦାୟ କରିବାକୁ ରାଜସ୍ଥାନ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ବୈଠକ ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

ଏହି ସମୟରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପର ଉଦାହରଣ ଦେଇ ରାଜ୍ୟଗୁଡିକୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ଶାହା ଆଠଟି ରାଜ୍ୟଙ୍କୁ ଉପଦେଶ ଦେଇ କହିଛନ୍ତି, ରେଡ୍ ଜୋନ୍‌ରେ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ଓ ସାମାଜି ଦୂରତା ନିୟମ ପାଳନକୁ ସୁନିଶ୍ଚିତ କରାଯାଉ।

କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ କହିଛନ୍ତି, କରୋନା ପରିସ୍ଥିତିରେ ବିଶେଷ କରି ଚାରୋଟି ରାଜ୍ୟ ଦିଲ୍ଲୀ, କେରଳ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ପ୍ରତି ଦିନ ସ୍ଥିତି ଉପରେ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.