ଭାରତୀୟ କ୍ରିକେଟ୍ ଟିମ୍‌ରେ ଅଲଗା ଅଲଗା ଅଧିନାୟକ ରଖିବା ବିଚାର କାମରେ ଆସିବ ନାହିଁ: କପିଲ୍ ଦେବ

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ ୨୦।୧୧: ଜାତୀୟ କ୍ରିକେଟ୍ ଦଳର ଅଲଗା ଅଲଗା ଫର୍ମାଟ୍ ପାଇଁ ଅଲଗା ଅଲଗା ଅଧିନାୟକ କରାଯିବା ନେଇ ଜାରି ବିତର୍କରେ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ଅଧିନାୟକ କପିଲ ଦେବ। ସେ ଶୁକ୍ରବାର କହିଛନ୍ତି, ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଦୁଇ ସିଇଓ ରହି ପାରିବେ ନାହିଁ।

ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ଆଇପିଏଲ ଟାଇଟଲ୍ ଜିତିବା ପରେ ଜାତୀୟ ଦଳରେ ଭିନ୍ନ ଫର୍ମାଟ ପାଇଁ ଭିନ୍ନ ଅଧିନାୟକ କରାଯିବା ବିତର୍କ ବଢିବାରେ ଲାଗିଛି। ଅନେକ ପୂର୍ବତନ ଖେଳାଳି ପ୍ରସ୍ତାବ ଦେଇଛନ୍ତି ଯେ, ରୋହିତ ଶର୍ମାଙ୍କୁ ଅତି କମରେ ଟି-୨୦ ଅଧିନାୟକ ଦାୟିତ୍ଵ ଦେବା କଥା।

ବର୍ତ୍ତମାନ ବିରାଟ କୋହଲି ତିନୋଟି ଫର୍ମାଟରେ ଭାରତୀୟ ଦଳର ନେତୃତ୍ଵ ନେଉଛନ୍ତି। ଏହା ଉପରେ କପିଲ୍ ଦେବ କହିଛନ୍ତି ଯେ, ଆମ ସଂସ୍କୃତିରେ ଏମିତି ହୋଇ ପାରିବ ନାହିଁ। କଣ ଗୋଟିଏ କମ୍ପାନୀରେ ଆପଣ ଦୁଇ ଜଣ ସିଇଓ ରଖି ପାରିବେ ? ଯଦି କୋହଲି ଟି-୨୦ ଖେଳୁଛନ୍ତି ଏବଂ ଭଲ କରୁଛନ୍ତି ତେବେ ତାଙ୍କୁ ସେହି ପଦରେ ରହିବାକୁ ଦିଆଯାଉ।

କପିଲ କହିଛନ୍ତି, ସମସ୍ତ ଫର୍ମାଟରେ ଆମର ୭୦-୮୦ ପ୍ରତିଶତ  ଦଳ ସମାନ ରହିଛି। ଅଲଗା ଅଲଗା ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ ରଖିବା ମୋ ବିଚାରରେ ଉଚିତ୍ ନୁହେଁ। ଯଦି ଆପଣ ଦୁଇ ଜଣ ଅଧିନାୟକଙ୍କୁ ରଖିବେ ତେବେ ଖେଳାଳି ଚିନ୍ତା କରିବେ ଯେ, ସେ ଟେଷ୍ଟରେ ମୋର ଅଧିନାୟକ। ମୁଁ ତାଙ୍କୁ ନିରାଶ କରିବାକୁ ଚାହିଁବି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.