ଚେକ୍‌ରେ ଦେୟ ପୈଠ କରୁଥିଲେ ନୂଆ ନିୟମ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ପଡିବ ପେନାଲ୍ଟି

Published By : Prameya-News7 Bureau | August 05, 2021 IST

ମୁମ୍ବାଇ ୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୧ ଅଗଷ୍ଟରୁ ବ୍ୟାଙ୍କିଙ୍ଗ ନିୟମରେ ପରିବର୍ତ୍ତନ କରିଛନ୍ତି। ଏଣୁ ଚେକ୍‌ ମାଧ୍ୟମରେ ଦେୟ ପୈଠ କରୁଥିଲେ ଅତିରିକ୍ତ ସାବଧାନତା ଅବଲମ୍ବନ  କରିବା ବାଞ୍ଛନୀୟ। କେନ୍ଦ୍ରୀୟ ବ୍ୟାଙ୍କ ଏବେ ୨୪ ଘଣ୍ଟା ବଲ୍କ କ୍ଲିୟରିଂ ସୁବିଧା ଉପଲବ୍ଧ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏଣୁ ଚଳିତମାସରୁ ନ୍ୟାସନାଲ ଅଟୋମେଟେଡ କ୍ଲିୟରିଂ ହାଉସ୍ (ଏନଏସିଏଚ୍ ) ୨୪ ଘଣ୍ଟା କାର୍ଯ୍ୟ କରୁଛି।

ଯେହେତୁ ଏନଏସିଏଚ୍‌ ଏବେ ୨୪ ଘଣ୍ଟା କାର୍ଯ୍ୟ କରୁଛି ତେଣୁ ଆପଣଙ୍କୁ ଚେକ୍‌ ଜାରି କରୁଥିବା ବେଳେ ଏହାକୁ ଧ୍ୟାନରେ ରଖି ଆକାଉଣ୍ଟରେ ପର୍ଯ୍ୟାପ୍ତ ରାଶି ରଖନ୍ତୁ। କୌଣସି ସମୟରେ ମଧ୍ୟ ଆପଣ ଜାରି କରିଥିବା ଚେକ୍‌ କ୍ଲିୟରିଂ ପାଇଁ ଯାଇପାରେ। ଏଣୁ ଆକାଉଣ୍ଟରେ ଅର୍ଥ ଉପଲବ୍ଧ ନଥିଲେ ଚେକ୍‌ ବାଉନ୍ସ ହୋଇପାରେ। ଏପରି ହେଲେ ଆପଣଙ୍କୁ ପେନାଲ୍ଟି ମଧ୍ୟ ଦେବାକୁ ପଡିପାରେ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ( ଏନପିସିଆଇ)ଙ୍କ ଏକ ଅଂଶବିଶେଷ ହେଉଛି ଏନଏସିଏଚ୍। ଏହା ଡେଭିଡେଣ୍ଟ, ସୁଧ, ପେନସନ୍‌  ଭଳି ଏକାଧିକ କ୍ରେଡିଟ୍‌ ଟ୍ରାନ୍ସଫର ସୁବିଧା ଦେଇଥାଏ। ବିଦ୍ୟୁତ, ଗ୍ୟାସ୍, ଟେଲିଫୋନ, ପାଣି, ଲୋନ ଇଏମଆଇ, ମ୍ୟୁଚୁଆଲ ଫଣ୍ଡ ବୀମା ପ୍ରିମିୟମ ପୈଠ ଆଦି ସୁବିଧା ମଧ୍ୟ ପ୍ରଦାନ କରିଥାଏ। ଚଳିତବର୍ଷ ଜାନୁୟାରୀ ମାସରୁ ଆରବିଆଇ ଚେକ୍ ଆଧାରିତ ନେଣଦେଣ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ‘ପଜେଟିଭ ପେ’ ସିଷ୍ଟମ ଲାଗୁ କରିଛନ୍ତି। ବ୍ୟବସ୍ଥା ଅନୁସାରେ ୫୦ ହଜାରରୁ ଅଧିକ ପୈଠ ଲାଗି ଦ୍ୱିତୀୟବାର ପୁଷ୍ଟି କରିବା ଜରୁରି ହୋଇଛି। ଏହି ପ୍ରକ୍ରିୟାରେ ଚେକ୍ ଜାରି କରିଥିବା ବ୍ୟକ୍ତିଙ୍କୁ ତାଙ୍କ ଚେକ୍‌ ଡିଟେଲ ଦ୍ୱିତୀୟବାର ଦେବାକୁ ପଡୁଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.