ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଏବେ ବଡ ପ୍ରସଙ୍ଗ : ବିରୋଧୀ ପଚାରିଲେ ଘରୋଇ ବ୍ୟାଙ୍କ ପ୍ରୀତି କାହିଁକି , ରାଜ୍ୟ-କେନ୍ଦ୍ର-RBIର ହସ୍ତକ୍ଷେପ ଲୋଡିଲେ ଶ୍ରୀମନ୍ଦିର ପ୍ରଶାସନ

Published By : Prameya-News7 Bureau | March 07, 2020 IST

ଭୁବନେଶ୍ବର ୦୭।୦୩ : ୟେସ୍ ବ୍ୟାଙ୍କ ଆର୍ଥିକ ସଙ୍କଟରେ ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ମହାପ୍ରଭୁଙ୍କ  ଟଙ୍କା କେମିତି ମିଳିବ ତାକୁ ନେଇ ଉଠିଛି ପ୍ରଶ୍ନ  ।  ଶ୍ରୀମନ୍ଦିର ପରିଚାଳନା ଆଇନ ଅନୁସାରେ ଜାତୀୟ ବ୍ୟାଙ୍କରେ ଟଙ୍କା ନରଖି କଣ ପାଇଁ ଘରୋଇ ବ୍ୟାଙ୍କରେ ମନ୍ଦିର ପ୍ରଶାସନ ଟଙ୍କା ରଖିଥିଲେ ତାକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସେପଟେ ଟଙ୍କା ଉଠାଣ ଲାଗି ଶ୍ରୀମନ୍ଦିର ପ୍ରଶାସନ ରିଜର୍ଭ ବ୍ୟାଙ୍କ ଓ ରାଜ୍ୟ ଅର୍ଥ ବିଭାଗ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡି ଚିଠି ଲେଖିଥିବା ସୂଚନା ମିଳିଛି ।

{"id":234606,"sizeSlug":"large"}

ୟେସ୍ ବ୍ୟାଙ୍କରେ ଥିବା ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଆଉ ଫେରିବ ତ?  ୟେସ୍‌ ବ୍ୟାଙ୍କକୁ ଦେଶବ୍ୟାପୀ ଯେମିତି ହଲଚଲ ଜାରି ରହିଛି, ଟଙ୍କା ଉଠାଣ ନେଇ ଯେଭଳି କଟକଣା ଲାଗିଛି, ଏହାକୁ ଦେଖି ଏବେ ଚାରିଆଡ଼େ ଏମିତି ପ୍ରଶ୍ନ । ବେଳଦେଖି ବିରୋଧୀ ସରକାରଙ୍କୁ ଆକ୍ଷେପ କରିଛନ୍ତି।  ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଶ୍ରୀମନ୍ଦିର ହୁଣ୍ଡି ପରିଚାଳନା ଆଇନ ପ୍ରସଙ୍ଗ ଉଠାଇଛନ୍ତି । ଶ୍ରୀମନ୍ଦିର ପରିଚାଳନା ଆଇନ ଧାରା  ୪(୬) ଅନୁସାରେ ହୁଣ୍ଡି ଟଙ୍କା ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା ହେବା କଥା । ସେହିପରି ଧାରା ୭(୪) ଅନୁସାରେ ଫାଉଣ୍ଡେସନ ଫଣ୍ଡ ଟଙ୍କା କେଉଁ ବ୍ୟାଙ୍କରେ ଜମା ହେବ ସରକାର ନିଷ୍ପତ୍ତି ନେବା କଥା । ଏସବୁ ଆଇନରେ ଉଲ୍ଲଂଘନ ହେଲା କେମିତି ବିଜୟ ପ୍ରଶ୍ନ କରିଛନ୍ତି ? ସେପଟେ କଂଗ୍ରେସ ନେତା ନରସିଂହ ମିଶ୍ର ସମାନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ତିନି ମାସ ପୂର୍ବରୁ ତିରୁମାଲା ତିରୁପତି ମନ୍ଦିର ଏହାର ପାଖାପାଖି ୧୩ଶହ କୋଟି ଡିପୋଜିଟ ଉଠାଇନେଲା ହେଲେ ଶ୍ରୀମନ୍ଦିର ଟ୍ରଷ୍ଟ କାହିଁକି ପାରିଲାନି ବୋଲି ସେ ପ୍ରଶ୍ନ କରିଛନ୍ତି।   

{"id":234607,"sizeSlug":"large"}

ପୁରୀର ଜଗନ୍ନାଥ ସେନା ପକ୍ଷରୁ ପୁରୀ ଭିଜିଲାନ୍ସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଯେଉଁ ଅଧିକାରୀମାନେ ଏଭଳି ବେଆଇନ୍ କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛି ସେନା । ସେପଟେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଫିକ୍ସଡ ଡିପୋଜିଟ ଉଠାଇବା ଲାଗି ଶ୍ରୀମନ୍ଦିର ପ୍ରଶାସନ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖି ଅନୁମତି ଲୋଡ଼ିଛି। ରାଜ୍ୟ ସରକାର ବି ଏ ପ୍ରସଙ୍ଗରେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ସେନେଇ ଏସବୁର ଅନୁଧ୍ୟାନ କରୁଛନ୍ତି।  ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି କହିଥିଲା ଯେ ସବୁ ବ୍ୟାଙ୍କ ମଧ୍ୟରେ ୟେସ ବ୍ୟାଙ୍କ ଅଧିକ ସୁଧ ଦେଉଥିବାରୁ ଟେଣ୍ଡର ମାଧ୍ୟମରେ ୫୪୫କୋଟି ଟଙ୍କା ୟେସ ବ୍ୟାଙ୍କରେ ଡିପୋଜିଟ କରାଯାଇଥିଲା । ଆଉ ଏବେ ୟେସ ବ୍ୟାଙ୍କରୁ ଯଦି ମାସିକ ସୁଧ କିମ୍ବା ମୂଳ ଟଙ୍କା ବୁଡ଼ିଯାଏ ତେବେ ଏହା ମନ୍ଦିର ପରିଚାଳନା ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ଦେଖାଦେଇଛି।

{"id":234608,"sizeSlug":"large"}

ଭୁବନେଶ୍ବର ବାପୁଜି ନଗର ୟେସ ବ୍ୟାଙ୍କ ଶାଖାରେ ଜମା ରଖିଥିବା ଅର୍ଥକୁ ବୁଡିଯିବା ଭୟରେ ଉଠାଇବାକୁ ଗ୍ରାହକଙ୍କ ଲାଗିଛି ଲାଇନ । ଗ୍ରାହକଙ୍କ ଉଦବେଗ ଓ ଆଶଙ୍କା ଦେଖି  ଦେବାଳିଆ ସ୍ଥିତିରେ ଥିବା ୟେସ୍  ବ୍ୟାଙ୍କ ସମସ୍ୟାରେ ସୁଧାର ଆଣିବା ଲାଗି ଆକ୍ସନପ୍ଲାନ ଜାରି କରିଛି ଆରବିଆଇ  । ଭାରତୀୟ ଷ୍ଟେଟ୍  ବ୍ୟାଙ୍କ ଏଥିରେ ଟଙ୍କା ନିବେଶ କରିବା ସହିତ ୟେସ୍  ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବ। ଏହି ଯୋଜନାକୁ ‘ୟେସ୍  ବ୍ୟାଙ୍କ ପୁନଃନିର୍ମାଣ ଯୋଜନା-୨୦୨୦’ ନାମ ଦିଆଯାଇଛି। ୪୯ ପ୍ରତିଶତ ଅଂଶଧନ କିଣିବା ଲାଗି ଏସବିଆଇକୁ ୨୪୫୦ କୋଟି ଟଙ୍କା ନିବେଶ କରିବାକୁ ପଡ଼ିବ । ଏନେଇ ଆରବିଆଇ ବ୍ୟାଙ୍କର ସେୟାର ହୋଲ୍ଡର ଓ ନିବେଶକଙ୍କ ମତାମତ ମାଗିଛନ୍ତି ଆରବିଆଇ ।

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆମ ସରକାର ଜମାକାରୀଙ୍କୁ ଭରସା ଦେଉଛି ଯେ ସେମାନଙ୍କ ଟଙ୍କା ସୁରକ୍ଷିତ ରହିବ। ଏହା ସହ ଆଇନ ଅନୁସାରେ ଏହି ମାମଲାର ଗମ୍ଭୀରତା ଏବଂ ମହତ୍ତ୍ଵକୁ ବୁଝି ସମାଧାନର ବାଟ ବାହାର କରିବାକୁ ଆରବିଆଇକୁ ଅନୁରୋଧ କରିଛନ୍ତି । ଯାହାଦ୍ବାରା ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ। ତେବେ ଜଗନ୍ନାଥଙ୍କ ଅର୍ଥ ହୁଣ୍ଡି ଅର୍ଥ ହେଉ ବା ସାଧାରଣ ଲୋକଙ୍କ ଅର୍ଥ  କିପରି ମିଳିବ ତାହା ଏବେ ସବୁଠୁ ବଡ ପ୍ରଶ୍ନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.