ଆନ୍ଧ୍ରରେ ଫସିଥିବା କାଶ୍ମୀରୀ ଶ୍ରମିକଙ୍କୁ ଷ୍ଟେସନ ପର୍ଯ୍ୟନ୍ତ ବସରେ ଛାଡିଦେବାକୁ ୧ ଲକ୍ଷ ୮୨ ହଜାର ଟଙ୍କା ଦାବି, ସ୍ଥାନୀୟ ବ୍ୟବସାୟୀ କଲେ ସାହାଯ୍ୟ

Published By : Prameya-News7 Bureau | May 19, 2020 IST

ପୁଟାପର୍ତ୍ତି ୧୯/୦୫ : କରୋନା ଯୋଗୁଁ ସାରା ଦେଶ ଲକଡାଉନ ରହିଛି | ଲକଡାଉନ ଯୋଗୁଁ ଲକ୍ଷ ଲକ୍ଷ ସଂଖ୍ୟକ ପ୍ରବାସୀ ଶ୍ରମିକ ହଇରାଣ ହରକତ ହେଉଛନ୍ତି | କାମ ଧନ୍ଦା ନ ଥିବାକୁ ଖାଇବାକୁ ନ ପାଇଁ ପ୍ରବାସୀ ଶ୍ରମିକ ବର୍ତ୍ତମାନ ଘରମୁହାଁ | କଳେ ବଳେ କୌଶଳେ ସେମାନେ ନିଜ ଭିଟାମାଟିକୁ ଫେରିଯିବାକୁ ଉଦ୍ୟମ କରୁଛନ୍ତି | ପ୍ରତିଦିନ ସୋସିଆଲ ମିଡ଼ିଆରେ ଶ୍ରମିକଙ୍କ ଛାତିଥରା ଦୃଶ୍ୟ ଭାଇରାଲ ହେଉଛି | ନାନା କଷ୍ଟ କରି ସେମାନେ ନିଜ ଘରକୁ ଫେରି ଯାଉଛନ୍ତି | ଶହଶହ, ହଜାର କିଲୋମିଟର ରାସ୍ତା କିଏ ଚାଲି ଚାଲି ତ କିଏ ରିକ୍ସାରେ, ପୁଣି କିଏ ସାଇକେଲରେ ଯାଉଛନ୍ତି | ଏହି ପରିସ୍ଥିତିର ଫାଇଦା ଉଠାଇ ଟ୍ରକ ଡ୍ରାଇଭରମାନେ ମଧ୍ୟ ତାଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେବାକୁ ହଜାର ହଜାର ଟଙ୍କା ଦାବି କରୁଛନ୍ତି | ଏହିଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶ ପୁଟାପର୍ତ୍ତିରେ ଘଟିଛି |

ଗତ ଦୁଇ ସପ୍ତାହ ହେଲା ଖାଦ୍ୟ ଓ ଟଙ୍କା ଅଭାବରୁ ଆନ୍ଧ୍ରପ୍ରଦେଶ ପୁଟାପର୍ତ୍ତିରେ ରାମ ଲକ୍ଷ୍ମଣ ନାମକ ଦୁଇ ଭାଇ କାଶ୍ମୀରରେ ଫସି ରହିଥିବା ୮୦ ଜଣ ପ୍ରବାସୀ ଶ୍ରମିକ ଓ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି | କିଛି ଦିନ ପୂର୍ବରୁ ସେଠାକାର ସ୍ଥାନୀୟ ଅଧିକାରୀ ପ୍ରବାସୀ ଶ୍ରମିକଙ୍କୁ ସୂଚନା ଦେଇଥିଲେ ଯେ ହାଇଦ୍ରାବାଦରୁ ଏକ ଟ୍ରେନ ଚାଲିବ | କିନ୍ତୁ ପୁଟାପର୍ତ୍ତିରୁ ହାଇଦ୍ରାବାଦ ଯାଏଁ ଶ୍ରମିକଙ୍କୁ ନିଜ ବ୍ୟବସ୍ଥା ନିଜେ କରିବାକୁ ପଡିବ ବୋଲି ସେ କହିଥିଲେ | ତେବେ ସେଠାକାର ସ୍ଥାନୀୟ ଅଧିକାରୀ ଶ୍ରମିକଙ୍କ ପାଇଁ ବସ ବ୍ୟବସ୍ଥା କରିଦେବେ ବୋଲି କହିଥିଲେ | କିନ୍ତୁ ସେଥିପାଇଁ ଅଭାବୀ ଶ୍ରମିକଙ୍କୁ ୧ ଲକ୍ଷ ୮୨ ହଜାର ଟଙ୍କା ଦେବାକୁ ହେବ ବୋଲି ସେ କହିଥିଲେ |

ଘଟଣା ସମ୍ପର୍କରେ ସୂଚନା ପାଇ ରାମ ଲକ୍ଷ୍ମଣ ସ୍ଥାନୀୟ ଅଧିକାରୀ ଏବଂ ବିଧାୟକଙ୍କ ସାହାଯ୍ୟ ମାଗିଥିଲେ | କିନ୍ତୁ ଅଧିକାରୀଙ୍କ କୌଣସି ସାହାଯ୍ୟ ପାଇନଥିଲେ | ଫଳରେ ଦୁଇ ଭାଇ ନିଜ ଉଦ୍ୟମରେ କାଶ୍ମିରୀ ପରିବାରଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ |

ଦୁଇ ଭାଇଙ୍କର ସୁନା, ରୁପା ଦୋକାନ ସହ ଆନ୍ଧ୍ରପ୍ରଦେଶରେ ପେଟ୍ରୋଲ ପମ୍ପ ମଧ୍ୟ ଅଛି | ଲକ୍ଷ୍ମଣ କହିଥିଲେ ଯେ ସେ ଏହି କାଶ୍ମିରୀ ପରିବାରଙ୍କୁ ୨୦ ବର୍ଷ ହେଲା ଜାଣିଛନ୍ତି | ସେମାନେ ତାଙ୍କର ଭାଇ ସଦୃଶ୍ୟ | ସେଥିପାଇଁ ତାଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରକୁ ପଠାଇବା ତାଙ୍କ ଦାୟିତ୍ୱ ବୋଲି ସେ କହିଥିଲେ |

ଜଣେ କାଶ୍ମିରୀ କହିଛନ୍ତି ଯେ, ସରକାର କହୁଛନ୍ତି ଶ୍ରମିକଙ୍କୁ ମାଗଣାରେ ପଠାଇ ଦିଆଯିବ | କିନ୍ତୁ ସେମାନଙ୍କୁ ବସରେ ଯିବା ପାଇଁ ଜଣକା ବସ ଭଡା ୬୫ ହଜାର ଟଙ୍କା ଦାବି କରାଯାଇଥିଲା | କାଶ୍ମିରୀ ପ୍ରବାସୀଙ୍କ ପାଇଁ ୩ଟି ବସ ବ୍ୟବସ୍ଥା କରାଯାଇଥିଲା | ତେବେ ରାଓ ଭାଇ ରାମ ଲକ୍ଷ୍ମଣ ବସ ଅଧିକାରୀଙ୍କୁ ପ୍ରତି ବସ ପିଛା ୩୦ ହଜାର ଟଙ୍କା ଛାଡ଼ କରିବାକୁ ଅନୁରୋଧ କରିଥିଲେ |

ତାରିଖ ନାମକ ଜଣେ କାଶ୍ମିରୀ କହିଛନ୍ତି ଯେ, ସାମନେ ରାଓ ଭାଇଙ୍କ ଟଙ୍କା ଫେରାଇଦେବେ | ତାଙ୍କୁ ପଛେ ନିଜ ଘରର ଆସବାବପତ୍ର ବିକ୍ରି କରିବାକୁ ପଡୁ କିନ୍ତୁ ସେମାନେ ସବୁତକ ଟଙ୍କା ଫେରାଇ ଦେବେ | ଲକ୍ଷ୍ମଣ କହିଛନ୍ତି ଯେ ପ୍ରବାସୀମାନେ ତାଙ୍କ ଟଙ୍କା ତାଙ୍କୁ ଫେରାଇଦେବେ ସେ ଜାଣିଛନ୍ତି | କିନ୍ତୁ ଯଦିବା କୌଣସି କାରଣବଶତଃ ନଫେରାଇ ନ ପାରନ୍ତି ତାହେଲେ ବି ତାଙ୍କର ମନ ଦୁଃଖ ନାହିଁ | ଅସୁବିଧା ସମୟରେ ସେ କିଛି ଅଭାବୀଙ୍କୁ ସାହାଯ୍ୟ କରି ସମାଜସେବା କରିଛନ୍ତି ବୋଲି ଭାବିନେବେ |

ତେବେ ଏହି ପ୍ରବାସୀ ଶ୍ରମିକମାନେ ବର୍ତ୍ତମାନ ଭଗବାନଙ୍କୁ ଡାକୁଛନ୍ତି ଯେପରିକି ସମୟରେ ହାଇଦ୍ରାବାଦରେ ପହଞ୍ଚି ପାରିବେ ଏବଂ ଟ୍ରେନ ଧରି ପାରିବେ | ଜାମ୍ମୁ କଶ୍ମୀର ଛାତ୍ର ସଂଗଠନର ମୁଖପାତ୍ର ନାସିର ଖୁଏହାମି ଏନେଇ ଟ୍ୱିଟ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.