‘କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଶାନ୍ତି ପ୍ରତିଷ୍ଠା ହୋଇଛି, ପାକିସ୍ତାନୀ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦିଆଯାଇଛି’ : ଅମିତ ଶାହା

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୦୪/୧୨ : ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ଶାନ୍ତି ପ୍ରତିଷ୍ଠା ହୋଇଛି । ୨୦୧୯ ମସିହାରେ ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ପରେ ସେଠାରେ ବ୍ୟବସାୟ ପାଇଁ ନିବେଶ ହେଉଛି । ଏହା ସହିତ ପର୍ଯ୍ୟଟକମାନେ ମଧ୍ୟ ଆସୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି, ଦେଶରେ କୋଭିଡ୍‌ ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ବେଶ ସହାୟକ ହୋଇଛି । ଏହା ସହିତ ଦେଶରେ ଅକ୍ସିଜେନ ଅଭାବ ଦେଖାଦେଇଥିବା ବେଳେ ମୋଦି ଏହାକୁ ସଫଳତାର ସହ ମୁକାବିଲା କରିଛନ୍ତି ବୋଲି ଅମିତ ଶାହା କହିଛନ୍ତି ।

ଶାହା କହିଛନ୍ତି, ‘ପାକିସ୍ତାନ ପକ୍ଷରୁ ବାରମ୍ବାର କରାଯାଉଥିବା ସୀମା ପାର୍‌ ଆତଙ୍କବାଦକୁ ମୁହଁତୋଡ ଜବାବ ଦିଆଯାଇଛି । ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍‌ ମାଧ୍ୟମରେ ପାକିସ୍ତାନ ଘରେ ପଶି ମାରିଥିଲା । ଏହା ବାଦ୍‌ କାହାକୁ ଜଣା ମଧ୍ୟ ନଥିଲା ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଏବଂ ୩୫-ଏ ହଟାଯିବ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ରେ ତାହା କରିଦେଖାଇଥିଲେ । ଏବେ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି । ବ୍ୟବସାୟିକ କାରବାର ବୃଦ୍ଧିପାଇବାରେ ଲାଗିଛି । ଧିରେ ଧିରେ କାଶ୍ମୀର ସ୍ଥିତି ବଦଳିବାରେ ଲାଗିଛି’ ।

ଶାହା ଆହୁରି ମଧ୍ୟ କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍‌ ମାଧ୍ୟମରେ ପାକିସ୍ତାନକୁ କଡା ଜବାବ ଦିଆଯିବା ସହିତ ମୋଦି ସରକାର ଏହା ସ୍ପଷ୍ଟ କରିଦେଇଛନ୍ତି ଯେ, ଭାରତୀୟ ସୀମାରେ ଅନୁପ୍ରବେଶ କରିବା ଏତେ ସହଜ ନୁହେଁ । ଭାରତ ଏବେ ନୂଆ ଭାରତ ଭାବେ ଉଭା ହୋଇଛି । ଆମେରିକା ଏବଂ ଇସ୍ରାଏଲ ପରେ ଭାରତ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତ ହୋଇଛି ବୋଲି ଗୃହମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ପ୍ରଭାବୀ ନୀତିଗୁଡିକ ପାଇଁ ମହାମାରୀ କରୋନାରେ ଭୁଶୁଡି ପଡିଥିବା ଅର୍ଥନୀତି ଖୁବଶୀଘ୍ର ଟ୍ରାକ୍‌କୁ ଫେରିଛି । ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.