ଆଜି ପାର୍ଲାମେଣ୍ଟରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ସଜବାଜ ହେଉଛନ୍ତି ବିରୋଧୀ : ଶ୍ରୀନଗରରେ ସର୍ବଦଳୀୟ ବୈଠକ ଡକାଇଲେ ମୁଫତି ଓ ଅବଦୁଲ୍ଲା

Published By : Prameya-News7 Bureau | August 05, 2019 IST

ଶ୍ରୀନଗର ୫/୮: ଜାମ୍ମୁ କାଶ୍ମୀରକୁ ନେଇ ଜାରି ରହିଛି ସସପେନ୍ସ । କାଶ୍ମୀରକୁ ନେଇ କେନ୍ଦ୍ର ସରକାର କ'ଣ ବଡ଼ ନିଷ୍ପତ୍ତି ନେବେ ଯାହା ଉପରେ ସାରା ଦେଶର ନଜର ରହିଛି । କାରଣ ବିରୋଧୀ ନଜର ରଖିଛନ୍ତି ପାର୍ଲାମେଣ୍ଟରେ ଉଠାଇବେ ପ୍ରସଙ୍ଗ । ସରକାରଙ୍କ ଠାରୁ ମାଗିବେ ଜବାବ । କଣ କାଶ୍ମୀରରେ ।  କାହିଁକି କାଶ୍ମୀରରେ ତୁହାକୁ ତୁହା ସେନା ପ୍ରେରଣ କରାଯାଇଛି । କାହିଁକି ଅମରନାଥ ଯାତ୍ରାକୁ ଅଧାରୁ ବନ୍ଦ କରାଗଲା । ବିରୋଧୀ ଏହି ପ୍ରସଙ୍ଗ ଉଠାଇବାକୁ ନଜର ରଖିଛନ୍ତି ।

ମେହବୁବା ମୁଫତିଙ୍କ ପିଡିପି ସାଂସଦ ନାଜିର ଅହମ୍ମଦ ଲାୱା ନୋଟିସ ଦେଇଛନ୍ତି ଏହା ଉପରେ ଆଲୋଚନା କରିବା ଲାଗି । ତେବେ ସଂସଦର କାର୍ଯ୍ୟ ଆରମ୍ଭ ପୂର୍ବରୁ ସକାଳ ସାଢେ ୯ଟାରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର କ୍ୟାବିନେଟ୍ ବୈଠକ ଡକାଇଛନ୍ତି । ସେହି ବୈଠକରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କ'ଣ ଚାଲିଛି କାଶ୍ମୀର ରଣନୀତିକାରଙ୍କର ମସ୍ତିଷ୍କରେ । କ'ଣ ସେମାନେ କରିବାକୁ ଯାଉଛନ୍ତି ଯେଉଁଥି ପାଇଁ କାଶ୍ମୀରରେ ମୁତୟନ ନିୟମିତ ସେନା ଯବାନ ଓ ଅର୍ଦ୍ଧସାମରିକ ବାହିନୀ ସହିତ ଦରକାର ପଡ଼ିଛନ୍ତି ୩୫ ହଜାରରୁ ଅଧିକ ଯବାନ । ଏମିତି ସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ  ସଂସଦ ପରିସରରେ ଅଫିସରେ ଆଲୋଚନା କରିଛନ୍ତି । ବୈଠକରେ ଗୃହ ସଚିବ ରାଜୀବ ଗୌବା ମଧ୍ୟ ଉପସ୍ଥିତ ଥିଲେ । ତେବେ ଏ ବୈଠକରେ କଣ ଆଲୋଚନା ହୋଇଛି ତାହାର ଟିକିଏ ବି ସୁରାଗ୍ ମିଳିପାରିନାହିଁ ।

କାଶ୍ମୀରରେ କଣ ଚାଲିଛି ତାକୁ ନେଇ ଏବେ ବେଶୀ  ବିବ୍ରତ ହୋଇପଡ଼ିଛନ୍ତି ପିଡିପି ନେତ୍ରୀ ମେହବୁବା ମୁଫତି । ମେହବୁବା ସିଧା ନିଶାନା ସାଧିଛନ୍ତି ମୋଦିଙ୍କୁ । ଟ୍ବିଟ୍ କରିଛନ୍ତି ଅମରନାଥ ଯାତ୍ରୀ, ପର୍ଯ୍ୟଟକ, ଶ୍ରମିକ, ଛାତ୍ର, କ୍ରିକେଟରଙ୍କୁ ରାଜ୍ୟ ଛାଡ଼ିବାକୁ କୁହାଯାଉଛି । ରବିବାର ମେହବୁବା ଏକ ହୋଟେଲରେ ଆଞ୍ଚଳିକ ଦଳ ଗୁଡ଼ିକର ବୈଠକ ଡକାଇଥିବା ବେଳେ ପୋଲିସ କିନ୍ତୁ ଏଥିପାଇଁ ଅନୁମତି ଦେଇନଥିଲା । ଏଥିପାଇଁ ପରେ ସେ ନିଜ ବାସଭବନରେ ବୈଠକ ଡାକିଥିଲେ ।  ଧାରା ୩୫-ଏ ଏବଂ ୩୭୦ରେ କିଛି ପରିବର୍ତ୍ତନ କରାଯିବାକୁ ଚେଷ୍ଟା କଲେ ଏହାର ପରିଣତି ଖୁବ୍ ଭୟାବହ ହେବ ବୋଲି କହିଛନ୍ତି ମେହବୁବା ।

କଂଗ୍ରେସ ମଧ୍ୟ ମେହବୁବାଙ୍କ ସହିତ ସ୍ବର ମିଳାଇଛି । ସେପଟେ ମେହବୁବା ମୁଫତିଙ୍କୁ ଆଣ୍ଟି କରପସନ୍ ବ୍ୟୁରୋ ନୋଟିସ୍ ପଠାଇଛି । ଜାମ୍ମୁ କାଶ୍ମୀର ବ୍ୟାଙ୍କରେ କେତେକ ନିଯୁକ୍ତିରେ ଦୁର୍ନୀତି ମାମଲାରେ ତାଙ୍କୁ ଏହି ନୋଟିସ୍ ହୋଇଛି । ତେବେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କହିଛନ୍ତି ଲୋକେ ଆତଙ୍କିତ ହେବାର କିଛି କାରଣ ନାହିଁ । କାଶ୍ମୀରରେ କିଛି ଲୁଚାଛପା କାର୍ଯ୍ୟ ହେଉନାହିଁ । ଯାହା ହେବ ପାର୍ଲାମେଣ୍ଟରେ ଆଲୋଚନା ଦ୍ବାରା ହିଁ ହେବ ।............

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.