'ବହୁତ ହୋଇଗଲା, ଏବେ କାଶ୍ମୀର ଆଶା ଛାଡ', ପାକିସ୍ତାନକୁ ରୋକଠୋକ୍ ଶୁଣାଇଲେ ଜାତିସଂଘରେ ଅବସ୍ଥାପିତ ଭାରତୀୟ ଦୂତ ଆର୍. ମଧୁସୁଦନ

Published By : Prameya-News7 Bureau | June 12, 2021 IST

ନୂଆଦିଲ୍ଲୀ,୧୨/୦୬:  କାଶ୍ମୀର ଉପରୁ ପାକିସ୍ତାନର ମୋହ ତୁଟୁନାହିଁ । ଯାହାକୁ ନେଇ ଭାରତ ସହ ଇସଲାମାବାଦର ସମ୍ପର୍କ ଲଗାତର ଭାବେ ତିକ୍ତ ହେବାରେ ଲାଗିଛି । ଏବେ ସଂଯୁକ୍ତ ରାଷ୍ଟ୍ର ଜାତିସଂଘ ବା ୟୁଏନ୍ ପାକିସ୍ତାନ ସହ ଭାରତ କିପରି ସମ୍ପର୍କ ଚାହୁଁଛି ତାହା ସ୍ପଷ୍ଟ କରୁ ବୋଲି କହିଛି । କାରଣ ୟୁଏନରେ ଶୁକ୍ରବାର ପାକ୍ ପୁଣି ଥରେ ପାକିସ୍ତାନ ପ୍ରସଙ୍ଗ ଉଠାଇଥିଲା । ଭାରତ ଏହା ଉପରେ କଡା ଆପତ୍ତି ପ୍ରକାଶ କରିଥିଲା ।

ଭାରତ କହିଥିଲା ଯେ, ପାକିସ୍ତାନ ସହ ସାଧାରଣ ପଡୋଶୀ ସମ୍ପର୍କ ରକ୍ଷା କରିବାକୁ ଚାହୁଁଛି । କିନ୍ତୁ ପାକିସ୍ତାନ ଉପରେ ସବୁ ନିର୍ଭର କରେ । ଆଲୋଚନା ପାଇଁ ଆତଙ୍କମୁକ୍ତ ମାହୋଲ ଆବଶ୍ୟକ ।ୟୁଏନରେ ଭାରତର ସ୍ଥାୟୀ ମିଶନ ପରାମର୍ଶଦାତା ଆର. ମଧୁସୁଦନ କହିଥିଲେ ଯେ, ଭାରତ ପାକିସ୍ତାନ ସହ ସାଧାରଣ ସମ୍ପର୍କ ରକ୍ଷା କରିବାକୁ ଚାହୁଁଛି । କିନ୍ତୁ ପ୍ରଥମେ ପାକିସ୍ତାନ ଆତଙ୍କବାଦ ବନ୍ଦ କରୁ ।

ୟୁଏନ ସୁରକ୍ଷା ପରିଷଦ ମହାସଭାରେ ଏକ ବାର୍ଷିକ ରିପୋର୍ଟ ଉପରେ ଚାଲିଥିବା ବିତର୍କ ବେଳେ ଭାରତ କହିଥିଲା ଯେ, ପାକିସ୍ତାନ ନିଜ ସୀମାରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ କରୁ । ପାକ୍ ଲଗାତର ନାଟକ କରୁଛି । ୟୁଏନର ଗାରିମା କ୍ଷୁର୍ଣ୍ଣ କରୁଛି ପାକ୍ । ଜମ୍ମୁ-କାଶ୍ମୀର ଓ ଲଦାଖକୁ ସଂସଦରେ କେନ୍ଦ୍ରଶାସିତ ପ୍ରଦେଶ ଭାବେ ନିଷ୍ପତ୍ତି ନିଆଯାଇଛି । ଏହା ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ଅଟେ ।   ପାକିସ୍ତାନ ଭାରତର ଆଭ୍ୟନ୍ତରୀଣ କାଶ୍ମୀର ମାମଲା ଉଠାଇଥିବାରୁ ଭାରତ ଏପରି ଭାବେ କଡା ଆପତ୍ତି ପ୍ରକାଶ କରିଥିଲା ।

ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ପାକିସ୍ତାନୀ ନେତା ଓ ସେନା ପ୍ରମୁଖ ଭାରତ ପ୍ରତି ଆଭିମୁଖ୍ୟ ନରମ କରିଥିବା ପ୍ରକାଶ ପାଇଥିଲା । ଗତ ଏପ୍ରିଲରେ ପାକ୍ ସେନା ମୁଖ୍ୟ ବାଜଓ୍ୱା ଭାରତ-ପାକ ମଧ୍ୟରେ ସ୍ଥିର ସମ୍ପର୍କ ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି କହିଥିଲେ । ପଛ କଥା ଭୁଲି ଆଗକୁ ଦୁଇ ଦେଶ ବାଢନ୍ତୁ ବୋଲି ସେ ମତ ଦେଇଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଭାରତ ପ୍ରଥମେ ଆଗକୁ ବଢୁ ବୋଲି କହିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.