କରୋନା ଲଢେଇରେ କାସରଗୋଡ ମୋଡେଲ୍‌ରୁ ମିଳିବ ବିଜୟ ? ୬ ଦିନରେ ମାତ୍ର ୧୪ କେସ୍

Published By : Prameya-News7 Bureau | April 14, 2020 IST

କାସରଗୋଡ ୧୪।୦୪: କେରଳର କାସରଗୋଡରେ କରୋନା ଭାଇରସ୍‌ର ସବୁଠୁ ଅଧିକ ମାମଲା ସାମ୍ନାକୁ ଆସିଥିଲା। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମାର୍ଚ୍ଚ ୨୩ରେ ଆଇପିଏସ ବିଜୟ ଶଖାରେଙ୍କୁ କାସରଗୋଡର ସ୍ଵତନ୍ତ୍ର ଅଫିସର ଭାବେ ନିଯୁକ୍ତି କରିଥିଲେ। ବିଜୟ ଶଖାରେଙ୍କ ନିଯୁକ୍ତିର ତିନି ସପ୍ତାହ ନହେଉଣୁ କାସରଗୋଡ୍ ଜିଲ୍ଲା ଲୋକଙ୍କ ପାଇଁ ସୁରକ୍ଷିତ ସ୍ଥଳରେ ପରିଣତ ହୋଇଛି। କାସରଗୋଡରେ ମାର୍ଚ୍ଚ ୩୧ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଥିଲା। ଏପ୍ରିଲ ୬ରେ ସଂକ୍ରମିତଙ୍କ ସଂଖ୍ୟା ୧୬୪କୁ ବୃଦ୍ଧି ଘଟିଥିଲା। ମାତ୍ର ଗତ ୬ ଦିନରେ କେବଳ ୧୪ କୋଭିଡ୍-୧୯  ଚିହ୍ନଟ ହୋଇଛନ୍ତି।

କୋଚି ସହରର ପୋଲିସ କମିଶନର ସଖାରେ କହିଛନ୍ତି ଯେ, ଏହା ସବୁ ଆମର ରଣନୀତି ଜରିଆରେ ହିଁ ସମ୍ଭବ ହୋଇ ପାରିଛି। ମୁଖ୍ୟତଃ ଆମର ରଣନୀତି ତିନୋଟି ପଦକ୍ଷେପ ଉପରେ ଆଧାରିତ। ଏହାର ଉଦ୍ଦେଶ୍ୟ ଲୋକଙ୍କୁ ମିଳାମିଶାରୁ ଦୂରେଇ ରଖିବା ଏବଂ ସଂକ୍ରମଣ କେମିତି ନବ୍ୟାପିବ। ବିଶେଷ ଅଧିକାରର ପଦ ସମ୍ଭାଳିବା ପରେ ବିଜୟ ଶଖାରେ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ଆଧାରରେ ସଂକ୍ରମଣ ରୋକିବା ପାଇଁ ତିନି ପ୍ରକାରର ପଦକ୍ଷେପ ଉଠାଇଛନ୍ତି।

{"id":254167,"sizeSlug":"large"}

ପ୍ରଥମ ପଦକ୍ଷେପ- ଆଇସୋଲେସନ ଓ ପୋଲିସ ପାଟ୍ରୋଲିଂ

ବିଜୟ ଶଖାରେ କହିଛନ୍ତି ଯେ, ଉପସାଗରୀୟ ଦେଶରୁ ଆସିଥିବା କୋଭିଡ୍-୧୯ ସଂକ୍ରମିତ ଲୋକ ଏବଂ ସେମାନଙ୍କ ସଂସ୍ପର୍ଶରେ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ଆସିଥିବା ଲୋକଙ୍କୁ ସଂପୂର୍ଣ୍ଣ ଭାବେ ଆଇସୋଲେସନ କରିବାକୁ ପଦକ୍ଷେପ ନେଲୁ। ପ୍ରଥମ ପଦକ୍ଷେପ ଆଧାରରେ ପୋଲିସ ବ୍ୟବସ୍ଥାର ପାରମ୍ପରିକ ଶୈଳୀ ଆପଣାଗଲା। ଯେମିତି ସଡକ ବନ୍ଦ କରିବା, ସବୁ ଆଡେ ପାଟ୍ରୋଲିଂ ଜୋରଦାର କରାଗଲା। ଏହି ପରି ଲୋକଙ୍କୁ ଘରୁ ବାହାରିକୁ ରୋକିବାରେ ସଫଳ ହେଲୁ।

ଦ୍ଵିତୀୟ ପଦକ୍ଷେପ- ଡାଟା  କଲେକ୍ସନ ଓ ଇଲାକା ସିଲ୍

ଦ୍ଵିତୀୟ ପଦକ୍ଷେପ ଆଧାରରେ ସମସ୍ତ ସଂକ୍ରମିତ ମାମଲା, ଘରେ କ୍ଵାରେଣ୍ଟାଇନରେ ରହିଥିବା ଲୋକ, ଅନ୍ୟ ଦେଶରୁ ଆସିଥିବା ସମସ୍ତ ଲୋକ ଓ ସଂକ୍ରମିତ ଲୋକଙ୍କ ସହ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା ଲୋକ ଏସବୁର ତଥ୍ୟ ପ୍ରସ୍ତୁତ କରାଗଲା। ଏଥିରୁ ପାଞ୍ଚ ଥାନା ଅନ୍ତର୍ଗତ ସାତ ଇଲାକାରେ ହିଁ କରୋନା ରୋଗୀଙ୍କ ଚିହ୍ନଟ ହୋଇଥିଲା। ଆମେ ଏହି ଅଞ୍ଚଳକୁ ପୂରା ସିଲ୍ କରି ଦେଲୁ। ଅଞ୍ଚଳର ସମସ୍ତ ସକଡକୁ ବନ୍ଦ କରି ଦିଆଗଲା। କାହାରିକୁ ମଧ୍ୟ ଘରୁ ପାଦ କାଢିବାକୁ ଦିଆଗଲା ନାହିଁ। ସଖାରେଙ୍କ ଅନୁଯାୟୀ, ବିଦେଶରୁ ଆସିଥିବା ଯେଉଁ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ସେମାନଙ୍କର ସଂପର୍କୀୟ, ସାଙ୍ଗସାଥୀଙ୍କ ତାଲିକା ପ୍ରସ୍ତୁତ କରାଗଲା। ସମସ୍ତଙ୍କ ତଥ୍ୟ ମିଳିବା ପରେ ତୃତୀୟ ପଦକ୍ଷେପ ନିଆଗଲା।

{"id":254168,"sizeSlug":"large"}

ତୃତୀୟ ପକ୍ଷେପ- ଘର ବାହାରେ ପ୍ରହରା, ଡ୍ରୋନରୁ ନଜର

ସେ କହିଛନ୍ତି ଯେ, ତୃତୀୟ ପଦକ୍ଷେପ ଆଧାରରେ ଚିହ୍ନଟ ବ୍ୟକ୍ତିଙ୍କ ଘର  ବାହାରେ ପ୍ରହରା ଦିଆଗଲା। ପ୍ରଭାବିତ ଲୋକଙ୍କ ୧୦-୧୨ ଘର ପର୍ଯ୍ୟନ୍ତ ପୋଲିସ ଟିମକୁ ମୁତୟନ କରାଗଲା। ପୋଲିସକର୍ମୀ ସେମାନଙ୍କ ପାଖକୁ ସଂପ୍ରତି ସମୟରେ ଘରେ ରହିବାର ମହତ୍ଵ ବୁଝାଉଥିଲେ। ଏହା  ବ୍ୟତୀତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଉପରେ ନଜର ରଖିବା ଲାଗି ଡ୍ରୋନର ବ୍ୟବହାର କରାଗଲା।

କମିଶନର ବିଜୟ ଶଖାରେ କହିଛନ୍ତି ଯେ, ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମୋବାଇଲ ଫୋନରେ କୋଭିଡ୍-୧୯ ସେଫ୍‌ଟୀ ଆପ ମଧ୍ୟ ଡାଉନଲୋଡ୍ କରାଗଲା। ଯେବେ କେହି ଘରୁ  ବାହାରୁଥିଲା ତେବେ ପୋଲିସ କର୍ମୀ ସତର୍କ ହୋଇ ଯାଉଥିଲେ। ଏମିତି ସ୍ଥିତିରେ ଘରୁ ବାହାରୁଥିବା ଲୋକଙ୍କୁ ଆଇସୋଲେସନ ସେଣ୍ଟର ପଠାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଗଲା। ତୃତୀୟ ପଦକ୍ଷେପର ତିନି ଦିନ ପରେ ୧୦୭ ଲୋକଙ୍କୁ ସରକାରୀ ସେଣ୍ଟର ପଠାଇ ଦିଆଗଲା, କାରଣ ସେମାନଙ୍କର ବ୍ୟବହାର ସମାଜ ପାଇଁ ବିପଦ ଥିଲା।

{"id":254169,"sizeSlug":"large"}

ପୋଲିସ୍ ଅଧିକାରୀ କହିଛନ୍ତି, ଘରେ କ୍ଵାରେଣ୍ଟାଇନ୍ କରା ଯାଇଥିବା ୧୦, ୭୦୦ରୁ ଅଧିକ ଲୋକଙ୍କ ମୋବାଇଲ ଫୋନରେ ଆପ୍ ଡାଉନଲୋଡ୍ କରାଗଲା। ଜିଲା ପୋଲିସ ସେମାନଙ୍କ ଘର ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ବ୍ୟବସ୍ଥା କଲେ ଯଦ୍ଵାରା ଲୋକ ବାହାରକୁ ନବାହାରିବେ। ଘର ପର୍ଯ୍ୟନ୍ତ ସାମାନ ପହଞ୍ଚାଇବାର ବ୍ୟବସ୍ଥା ପୂରା ଜିଲ୍ଲାରେ ଲାଗୁ କରାଗଲା। ପୋଲିସ୍ କାସରଗୋଡ ସୁରକ୍ଷା ଆପ୍ ଆରମ୍ଭ କଲେ। ଏହା ଜରିଆରେ ଅସୁସ୍ଥ ଲୋକଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ସୁବିଧା ମିଳିଲା।

ବିଜୟ ଶଖାରେ କହିଛନ୍ତି ଯେ, ଏପ୍ରିଲ ୧୪ ପରେ ଏପ୍ରିଲ ୨୧ ସୁଦ୍ଧା ଜିଲ୍ଲାରେ ସଂକ୍ରମଣ କେବଳ ୧୨ ରୁ ୧୪ ରହିବ ବୋଲି ଆଶା କରୁଛୁ। ଚାରି ସପ୍ତାହ ପରେ ମାମଲା ଶୂନ୍ୟ ହେବ ବୋଲି ଆଶା କରୁଛୁ। ଏହି ପରି ସଂକ୍ରମଣର କୌଣସି ମାମଲା ରହିବ ନାହିଁ। କାସରଗୋଡ ଜିଲ୍ଲାରେ ସଂକ୍ରମିତ ୧୬୬ ଲୋକଙ୍କ ମଧ୍ୟରୁ ୭୭ ଜଣ ସୁସ୍ଥ ହୋଇ ସାରିଛନ୍ତି। ସୋମବାର ସଂକ୍ରମଣର ଗୋଟିଏ ହେଲେ ମାମଲା ଚିହ୍ନଟ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.