କରୁଣାନିଧିଙ୍କ ସମାଧି ସ୍ଥାପନ ବିବାଦ ତୁଟିଲା ; ଆନ୍ନା ସ୍ମାରକୀ ନିକଟରେ ସମାଧି ପ୍ରତିଷ୍ଠା ହେବ

Published By : Prameya-News7 Bureau | August 08, 2018 IST

ତାମିଲନାଡୁ ୮/୮ : ଡି.ଏମ୍.କେ ସୁପ୍ରିମୋ କରୁଣାନିଧିଙ୍କ ମୃତ୍ୟୁ ପରେ ଲାଗିରହିଥିବା ସମାଧି ବିବାଦ ତୁଟିଛି । ମରିନା ବିଚ୍ ରେ ହିଁ କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହେବ । ଗତ କାଲି ରାତିରୁ ଜାରି ରହିଥିବା ମାରାଥନ ଶୁଣାଣି ପରେ ମାଡ୍ରାସ୍ ହାଇକୋର୍ଟ ମରିନା ବିଚ୍ ରେ ମହାନ ଦ୍ରାବିଡ ନେତାଙ୍କ ଶେଷ କୃତ୍ୟ ଲାଗି ଅନୁମତି ଦେଇଛନ୍ତି । ଫଳରେ ତାମିଲନାଡୁର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା କରୁଣାନିଧିଙ୍କ ସମାଧି ଏବେ ତାଙ୍କ ରାଜନୈତିକ ଗୁରୁ ଆନ୍ନା ଦୁରାଇଙ୍କ ସମାଧି ସ୍ଥଳ ଆନ୍ନା ସ୍ମାରକୀ ନିକଟରେ ହିଁ ପ୍ରତିଷ୍ଠା ହେବ । ସେହିଠାରେ ହିଁ ସମାଧିସ୍ଥଳ ପ୍ରତିଷ୍ଠା କରିବାକୁ ଦାବି କରୁଥିଲା ଡି.ଏମ୍.କେ । ହାଇକୋର୍ଟଙ୍କ ରାୟ ପରେ ଡି.ଏମ୍.କେ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଏପଟେ ଦିବଙ୍ଗତ ଦ୍ରାବିଡ ନେତାଙ୍କୁ ସମ୍ମାନ ଜଣାଇ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିତ ହେଉଛି । ତାମିଲନାଡୁରେ ୭ ଦିନ ଶୋକ ପାଳନ କରାଯାଉଛି । ଦିବଙ୍ଗତ କରୁଣାନିଧିଙ୍କ ଶେଷ ଦର୍ଶନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇରେ ପହଞ୍ଚିଛନ୍ତି । ଏହା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧି ଦଳ ନେତା ଏବଂ ବହୁ ବରିଷ୍ଠ ରାଜନେତା ଆଜି ଚେନ୍ନାଇ ଆସୁଥିବା ଏବଂ ପହଞ୍ଚିଥିବା ଜଣାପଡିଛି । କରୁଣାନିଧିଙ୍କ ଝିଅ ତଥା ସାଂସଦ କାନିମୋଇଙ୍କ ବାସଭବନରେ କରୁଣାନିଧିଙ୍କ ମରଶରୀରକୁ ଜନତାଙ୍କ ଶେଷ ଦର୍ଶନ ପାଇଁ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.